Advertisment

Lord Jagannath Hati Besha: ସ୍ନାନପୂର୍ଣ୍ଣିମାରେ କାହିଁକି ହୁଏ ମହାପ୍ରଭୁଙ୍କ ହାତୀ ବେଶ ?

ସ୍ନାନବେଦୀରୁ ହାତୀବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତ କୃତ ଲକ୍ଷାଧିକ ଭକ୍ତ । ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ କାହିଁକି ହୁଅନ୍ତି ଗଜାନନ ବେଶ, ଜାଣନ୍ତୁ...

ଅଦ୍ୟତନ ହୋଇଛି
Lord Jagannath Hati Besa

Lord Jagannath Hati Besa

Advertisment

ସ୍ନାନବେଦୀରେ କାଳିଆ ସାଆନ୍ତଙ୍କ ଦୁର୍ଲ୍ଲଭ ହାତୀବେଶ । ଗଜାନନ ବା ହାତୀ ବେଶରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସେଇ ଅପୂର୍ବ ଦୃଶ୍ୟ...ସେଇ ଅବର୍ଣ୍ଣନୀୟ ଅନୁଭୂତି । ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ଓ ହାତୀ ବେଶ ଦର୍ଶନ ଲାଗି ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର । ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି ବଡଦାଣ୍ଡରେ । ଘଣ୍ଟଘଣ୍ଟା ନାଦ, ହରିବୋଲ, ହୁଳହୁଳିରେ ଜଗନ୍ନାଥମୟ ହୋଇଛି ବଡଦାଣ୍ଡ । ମହାପ୍ରଭୁଙ୍କ ଦୁର୍ଲ୍ଲଭ ବେଶ ଦର୍ଶନ କରି ଭାବବିହ୍ୱଳ ହେଉଛନ୍ତି ଶ୍ରଦ୍ଧାଳୁ ।

Advertisment

ସକାଳେ ଘଣ୍ଟ ଘଣ୍ଟାର ତାଳେ ତାଳେ ଟାହିଆର ଅପୂର୍ବ ଦୋଳଣରେ, ରତ୍ନବେଦୀରୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଥିଲେ ତିନି ଦିଅଁ ଓ ଚକ୍ରରାଜ ସୁଦର୍ଶନ । ବିଭିନ୍ନ ନୀତିକାନ୍ତି ପରେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସମ୍ପନ୍ନ ହୋଇଥିଲା ତିନି ଠାକୁରଙ୍କ ସ୍ନାନ । ଏହାପରେ ଶ୍ରୀଜିଉଙ୍କ ଶ୍ରୀଚରଣ ତଳେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଛେରାପହଁରା କରିଥିଲେ । ପରେ ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ହାତୀ ବେଶରେ ସଜ୍ଜିତ କରାଯାଇଛି ।  ତେବେ ୧୦୮ ଗରା ଜଳରେ ସ୍ନାନ ପରେ ଆଜିଠୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିବାକୁ ଥିବାରୁ ଆସନ୍ତାକାଲିଠାରୁ ପୂଜା ପାଇବେ ପଟିଦିଅଁ ।

Advertisment


ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ବଙ୍ଗୀୟ ଭକ୍ତ; ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କହିବା ନେଇ ବର୍ଷିଲେ...

ସାଧାରଣତଃ ବର୍ଷରେ ଥରୁଟିଏ ଶ୍ରୀ ଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ। ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ଭାବେ ମଧ୍ୟ ପାଳନ କରାଯାଇଥାଏ। ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ମହାପ୍ରଭୁଙ୍କର ଏକ ପୂଜା ବିଧି ।

Advertisment

କାହିଁକି ହୁଏ ହାତୀ ବେଶ ?

ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ଗଣପତି ଭଟ୍ଟ ନାମରେ ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଥରେ ମହାପ୍ରଭୁଙ୍କ ମହିମା ବିଷୟରେ ଶୁଣି, ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ । ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ ରାଗରେ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଆଖି ସାମ୍ନାରେ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇଗଲା । ମହାପ୍ରଭୁ ଗଣପତି ରୂପ ଧାରଣ କଲେ ।

ମହାପ୍ରଭୁଙ୍କ ଏହି ଅଲୌକିକ ଲୀଳା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ୍‌ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ।

Lord Jagannath Hati Besha Deba Snana Purnima
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ