/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723100667.jpg)
Load default
ସବୁକିଛି ଓଲଟପାଲଟ କରିଦେଲା ଉଧାର ଟଙ୍କା । ଘରୁ ବାହାଚିତା ଲିଭିନି, କିନ୍ତୁ ନୂଆବୋହୂ ମଥାରୁ ଲିଭିଗଲା ସିନ୍ଦୂର । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ । ମା’ ବି ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଛନ୍ତି । ଆଉ ବାରଣ୍ଡାରେ ଶବ ହୋଇ ଶୋଇରହିଛି ରୋଜଗାରିଆ ପୁଅ । ଏ ସବୁ ଦେଖି ଏ ନୂଆ ବୋହୁଟା ଆଖିରୁ ଯେମିତି ଲୁହ ଶୁଖିଯାଇଛି । ଆଉ ଛାତିରେ ରଖିଦେଇଛି ପଥର । ନା କାନ୍ଦି ପାରୁଛି ନା କୋହ ସମ୍ଭାଳି ପାରୁଛି । ତା’ ପାଇଁ ତା’ ଦୁନିଆ ଯେମିତି ଏଇଠି ଶେଷ ହୋଇଗଲା ।
ଏ ଦୃଶ୍ୟ କପ୍ତିପଦା ଥାନା ଡିବାସାହି ଗାଁର । ଆଉ ଫ୍ୟାନ୍ରେ ଦଉଡି ଦେଇ ଜୀବନ ହାରିଥିବା ଯୁବକଙ୍କ ନାଁ ହେଉଛି ଦୀପକ ପାତ୍ର । ଗତ ମାର୍ଚ୍ଚ ୧୦ ତାରିଖରେ ଦୀପକଙ୍କ ବିବାହ ହୋଇଥିଲା । ବିବାହ ସମୟରେ ଆବଶ୍ୟକ ପଡ଼ିବାରୁ ଜଣେ ପଡ଼ୋଶୀ ମହିଳାଙ୍କ ଠାରୁ ସେ ୫ ପଇସା ସୁଧରେ ୧୦ ହଜାର ଟଙ୍କା ଉଧାର ଆଣିଥିଲେ । ହେଲେ ଟଙ୍କା ସୁଝିବାରେ ବିଳମ୍ବ ହେବାରୁ ମହିଳା ଜଣକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ତେଣୁ ଅପମାନ ସହିନପାରି ଦୀପକ ଏପରି ଏକ ଚରମ ନିଷ୍ପତ୍ତି ନେଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।
ଅଭିଯୋଗ ଆଧାରରେ ଘଟଣାର ତଦନ୍ତ କରୁଛି କପ୍ତିପଦା ପୋଲିସ । ମୃତଦେହ ଜବତ କରିବା ସହ ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି । ସେପଟେ ସୁଧ ଟଙ୍କା ପାଇଁ ଭାଇକୁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକ ଦୀପକଙ୍କ ଭାଇ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)