/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754065847.jpg)
Outsourcing Rule Enforced
ସରକାରଙ୍କ ଆଭିମୁଖ୍ୟ ଆଉ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି କି ବିଭାଗ ? ଆଉଟସୋର୍ସିଂ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ପରେ ବି କାହିଁକି ପୁଣି ନିର୍ଦ୍ଦେଶନାମା ଜାରି କରୁଛନ୍ତି ମୁଖ୍ୟଶାସନ ସଚିବ ଓ ଅର୍ଥ ବିଭାଗ। ନିକଟରେ ନଗର ଉନ୍ନୟନ ବିଭାଗରେ ଏକ ଆଉଟସୋର୍ସ ସଂସ୍ଥାକୁ ନିଯୁକ୍ତି ପରେ ଉଠିଛି ବଡ ପ୍ରଶ୍ନ।
ଗତକାଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ଏଣିକି ସରକାରୀ କାର୍ଯ୍ୟରେ consultancy ନିଯୁକ୍ତି ପାଇଁ ଆବଶ୍ୟକ ଅର୍ଥ ବିଭାଗର ଅନୁମତି। ଅର୍ଥ ବିଭାଗ ଦ୍ୱାରା ଅନୁମୋଦିତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଷ୍ପତ୍ତି ନେବ ଗୋଟିଏ ବିଭାଗ ସର୍ବାଧିକ କେତେ କନସଲଟାନ୍ସି ନିଯୁକ୍ତ କରିବ। କିନ୍ତୁ ପ୍ରଶ୍ନ ହେଉଛି, କାହିଁକି ବାରମ୍ବାର ଏନେଇ କାଢିବାକୁ ପଡୁଛି ନିର୍ଦ୍ଦେଶନାମା ? ସରକାରଙ୍କ ଆଭିମୁଖ୍ୟକୁ ମାନିବାକୁ ନାରାଜ କି ବିଭାଗୀୟ ବାବୁମାନେ ?
ଦୁଇ ଦିନ ତଳେ ଆସିଥିବା ନଗର ଉନ୍ନୟନ ବିଭାଗର ଏକ ଚିଠିରୁ ଜଣା ପଡ଼ୁଛି Grant Thornton Bharat LLP ନାମକ ଏକ ସଂସ୍ଥାକୁ ୧୦ କୋଟି ୫୩ ଲକ୍ଷ ଟଙ୍କାରେ କନସଲଟାନ୍ସି ଭାବେ ନିଯୁକ୍ତ କରାଯାଇଛି। ଏଠି ପ୍ରଶ୍ନ ଉଠୁଛି ଏନେଇ ଅର୍ଥ ବିଭାଗଠୁ ଅନୁମତି ନେଇଥିଲା ତ ନଗର ଉନ୍ନୟନ ବିଭାଗ ? ନା ନଗର ଉନ୍ନୟନର ଏହି ନିଯୁକ୍ତି ପରେ ମୁଖ୍ୟ ଶାସନ ସଚିବ ରଖିଛନ୍ତି ଏମିତି କଡା ଆଭିମୁଖ୍ୟ ? ମନ୍ତ୍ରୀଙ୍କ କହିବା କଥା ସରକାରୀ ପଦବୀ ଖାଲି ଥିବାରୁ ଆବଶ୍ୟକ ସ୍ଥଳେ କନସଲଟାନ୍ସି ଏବଂ ଆଉଟସୋର୍ସିଂ ସଂସ୍ଥାକୁ ନିଯୁକ୍ତ କରାଯାଉଛି।
ବଡ କଥା ହେଲା ଖୋଦ୍ ମୁଖ୍ୟମନ୍ତ୍ରୀ ଆଉଟସୋର୍ସିଂ ବ୍ୟବସ୍ଥାକୁ ନେଇ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି। ଏମିତି କି ଇଞ୍ଜିନିୟରିଂ ବିଭାଗରେ ଗତ ୧୦ ବର୍ଷରେ କେତେ ସଂସ୍ଥାକୁ କାହିଁକି ନିଯୁକ୍ତି ଦିଆଯାଇଛି ସେ ନେଇ ତଥ୍ୟ ବି ମାଗିଛନ୍ତି। ନିକଟରେ ଜୁଲାଇ ୨୪ରେ ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଯେଉଁଥିରେ ଆଉଟସୋର୍ସଂ ନିଯୁକ୍ତିରେ ଅର୍ଥ ବିଭାଗର ଅନୁମତି ବା ମଞ୍ଜୁରୀ ବାଧ୍ୟତାମୂଳକ ବୋଲି ଦର୍ଶା ଯାଇଥିଲା। ତା ସତ୍ତ୍ୱେ ବି ବ୍ୟବସ୍ଥାରେ ପରିବର୍ତ୍ତନ ଆସିପାରୁନି। ପୂର୍ବତନ ପ୍ରାଶାସନିକ ଅଧିକାରୀଙ୍କ ମତରେ ପୂର୍ବ ସରକାରରେ ବାବୁମାନେ ପିସି କାରବାର କରିବା ପାଇଁ ଥାର୍ଡ ପାର୍ଟି ନିଯୁକ୍ତ ପ୍ରଥା ଆରମ୍ଭ ହୋଇଥିଲା। ନୂଆ ସରକାର କେବଳ ଆଭିମୁଖ୍ୟ ରଖିଲେ ହେବନାହିଁ, ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ବି ନେବା ଆବଶ୍ୟକ। ଖାଲି ଥିବା ପଦବୀ ପୂରଣ କରିବା ଦରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)