ମୋହନ ସରକାରଙ୍କ ପ୍ରଥମ ନିଷ୍ପତ୍ତି, ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର

ଅନ୍ୟପକ୍ଷରେ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଧାନ MSP ୩୧ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

Mohan Majhi on Srimandir

ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମୋହର । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ‘ଆସନ୍ତାକାଲି ସକାଳେ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବ । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାଯିବ । ଆଜି ମନ୍ତ୍ରିପରିଷଦର ସମସ୍ତ ସଦସ୍ୟ ପୁରୀ ଯିବେ । ଆଜି ସମସ୍ତ ସଦସ୍ୟ ପୁରୀରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ମନ୍ତ୍ରିପରିଷଦଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ’ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଓ ସମସ୍ତଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେହିପରି ଦ୍ୱିତୀୟ ପ୍ରସ୍ତାବରେ ଶ୍ରୀମନ୍ଦିରର ସୁପରିଚାଳନା, ସୌନ୍ଦର୍ଯ୍ୟକରଣ, ମରାମତି ଓ ଭକ୍ତଙ୍କ ପାଇଁ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ କର୍ପସ ପାଣ୍ଠି ଗଠନ କରାଯିବ । ସେଥିରେ ୫୦୦କୋଟି ଟଙ୍କା ରହିବ ଓ ବଜେଟରେ ଏଥିପାଇଁ ବ୍ୟବସ୍ଥା ରହିବ । ଅଚାନକ କୌଣସି ସମସ୍ୟା ଆସିଲେ ଏହି ଅର୍ଥରୁ ତାହା ଖର୍ଚ୍ଚ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

ତୃତୀୟ ପ୍ରସ୍ତାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ପାଇଁ ବିଜେପି ନିଜର ସଂକଳ୍ପପତ୍ର ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ନୂଆ ସରକାର ‘ସମୃଦ୍ଧ କୃଷକ ନୀତି’ ଆଣିବା ପାଇଁ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଧାନର ଏମଏସପି ୩୧ ଶହ ଟଙ୍କା ପ୍ରଦାନ କରାଯିବ । ସରକାରର ୧୦୦ଦିନର କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ।

ସେହିପରି ଚତୁର୍ଥ ତଥା ଶେଷ ପ୍ରସ୍ତାବ ଭାବେ ରାଜ୍ୟରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ବୋଲି ମୋହନ ମାଝୀ କହିଛନ୍ତି । ବିଜେପି ଏନେଇ ନିଜର ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯିବା ସହ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର ପ୍ରଦାନ ନିମନ୍ତେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଓ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । '୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେପଟେ ଆଜି ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଥିଲା ଏକ ବଡ଼ ନିଷ୍ପତ୍ତି । ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଥିଲେ ନୂଆ ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ପ୍ରବେଶ ଅନୁମତି ମିଳିଥିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା । କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ଏହି କଟକଣା ଲଗାଇଥିଲେ । କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ହିଁ ସାମ୍ବାଦିକଙ୍କୁ ମିଳିଛି ଲୋକସେବା ଭବନ ପାଇଁ ପ୍ରବେଶ ଅନୁମତି ।

ଅଧିକ ପଢ଼ନ୍ତୁ: ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...