Advertisment

କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ନେବ ବାସ୍ତବତାର ରୂପ ?

ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।

author-image
Sujit kumar Swain
undefined

Chintaguda Project

କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳର ଚାଷୀମାନେ ଭାବିଥିଲେ ଚିନ୍ତାଗୁଡ଼ା ପ୍ରକଳ୍ପ ହେଲେ ଚିନ୍ତା ଯିବ। ଜମିକୁ ଜଳ ଆସିବ ଆଉ ସୁନା ଫଳିବ । ହେଲେ ବର୍ଷ ପରେ ବର୍ଷ ବିତି ଚାଲିଛି, ପଦ୍ମ ବି ଘୁଞ୍ଚି ଘୁଞ୍ଚି ଯାଉଛି । ଝଞ୍ଜାବତୀ ନଦୀ ଉପରେ ଚିନ୍ତାଗୁଡ଼ା ବ୍ୟାରେଜ କାମ ଏଯାଏଁ ସରିବା ତ ଦୂରର କଥା, ମୂଳରୁ ଆରମ୍ଭ ହୋଇପାରୁନି। ଏହା ସତେ ଯେମିତି କେବଳ ନେତାଙ୍କ ପ୍ରତିଶ୍ରୁତି ଓ ସରକାରୀ ଫାଇଲରେ ହିଁ ସୀମିତ ହୋଇ ରହିଛି ।

Advertisment

କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ବାସ୍ତବତାର ରୂପ ନେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ? ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ । କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ଅନ୍ତର୍ଗତ କୁମ୍ଭାରୀ ପଞ୍ଚାୟତର ଯେଉଁଠି ତିଆରି ହେବାର ଅଛି ପ୍ରସ୍ତାବିତ ଚିନ୍ତାଗୁଡ଼ା ପ୍ରକଳ୍ପ। ନାରାୟଣପାଟଣା ଓ ବନ୍ଧୁଗାଁ ଦେଇ ପ୍ରବାହିତ ଚିରସ୍ରୋତା ନଦୀ ଝଞ୍ଜାବତୀ ଉପରେ ବ୍ୟାରେଜ ନିର୍ମାଣ ହେଲେ ଜଳସେଚିତ ହେବ ୧୯୧୦ ହେକ୍ଟର ଚାଷ ଜମି।

ପ୍ରତିଥର ନିର୍ବାଚନ ଆସିଲେ ଏହି ଆଶା ଦେଖାଇ, ଖୁବଶୀଘ୍ର ପ୍ରକଳ୍ପ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦିଅନ୍ତି ନେତା । ହେଲେ ବାସ୍ତବତା ହେଉଛି, ଚିନ୍ତାଗୁଡ଼ା ପ୍ରକଳ୍ପରୁ ଭୂତଳ ପାଇପ ଯୋଗେ ସିଧା ଜମିକୁ ଜଳସେଚନ ସ୍ବପ୍ନ ଏବେବି ଅଧୁରା ରହିଛି। ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚିନ୍ତାଗୁଡ଼ା ପ୍ରକଳ୍ପ ପାଇଁ ଚିହ୍ନଟ ସ୍ଥାନ ଠାରୁ ୪୦ କିଲୋମିଟର ଦୂରରେ ଆନ୍ଧ୍ରପ୍ରଦେଶ ଡ୍ୟାମ ନିର୍ମାଣ କରି ଝଞ୍ଜାବତୀର ପାଣି ଅଟକାଉଛି ଓ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଶସ୍ୟ ଶ୍ୟାମଳା କରିପାରୁଛି । ହେଲେ ଓଡ଼ିଶାର ଚାଷୀ ଧାନ ଓ ଅନ୍ୟାନ୍ୟ ଚାଷ ଛାଡ଼ି, ଅଳ୍ପ ପାଣିରେ ହେଉଥିବା ଲେମନଗ୍ରାସ ଚାଷ କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ଚିନ୍ତାଗୁଡ଼ା ପ୍ରକଳ୍ପ ବାରମ୍ବାର ବନିଆସିଛି ନିର୍ବାଚନୀ ମୁଦ୍ଦା। ୨୦୧୯ରେ ଏହାର କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲେ ତତ୍କାଳୀନ ବିଜେଡି ସରକାର । ହେଲେ ବର୍ଷ ପରେ ବର୍ଷ ବିତିଗଲା । ୨୦୨୩ରେ ବି ଖୁବଶୀଘ୍ର ଏହାର କାମ ଆରମ୍ଭ ହେବ ବୋଲି ସ୍ଥିତି ଅନୁଧ୍ୟାନ ପରେ ପ୍ରତିଶ୍ରୁତି ଦେଇଥିଲେ ପୂର୍ବତନ ଫାଇଭ-ଟି ସଚିବ ଭି.କେ. ପାଣ୍ଡିଆନ। ହେଲେ ପ୍ରକଳ୍ପ ପାଇଁ ଶିଳାନ୍ୟାସ ବି ହୋଇପାରିନାହିଁ । ପୂର୍ବରୁ ଏହାର ବ୍ୟୟ ଅଟକଳ ଶହେ କୋଟି ଟଙ୍କା ଥିବା ବେଳେ, ବର୍ତ୍ତମାନ ଏହା ୧୮୦ କୋଟିକୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। 

କେବଳ ଚାଷୀ କି ସ୍ଥାନୀୟ ଲୋକ ନୁହଁନ୍ତି, ଚିନ୍ତାଗୁଡ଼ା ପ୍ରକଳ୍ପ କେବେ ତିଆରି ହେବ, ତାକୁ ଚାତକ ଭଳି ଚାହିଁ ବସିଛନ୍ତି ନାରାୟଣପାଟଣାର ଏନ୍. ସୁରେନ୍ଦ୍ରନାଥ । କହିଛନ୍ତି ଏହା ତାଙ୍କ ବାପା ଏନ୍. ଝାଡ଼େଶ୍ବରମଙ୍କର ଦୀର୍ଘବର୍ଷର ସ୍ବପ୍ନ ଥିଲା। ୧୯୭୫ ରୁ ୮୦ ମସିହା ଯାଏଁ ନାରାୟଣପାଟଣା ବ୍ଲକ୍ ଚେୟାରମ୍ୟାନ ଥିବା ଝାଡ଼େଶ୍ବରମ୍ ଏହି ପ୍ରକଳ୍ପ ପାଇଁ ୨୨ ବର୍ଷ ଲଢ଼େଇ କରିବା ପରେ ୨୦୦୭ରେ ଆରପାରିକୁ ଚାଲିଗଲେ । ଆଉ ତା ପରେ ୧୭ ବର୍ଷ ହେଲା ଲଢ଼ିଆସୁଛନ୍ତି ତାଙ୍କ ପୁଅ ସୁରେନ୍ଦ୍ରନାଥ। ସେପଟେ ଏହି ପ୍ରକଳ୍ପକୁ ନେଇ କୋରାପୁଟ ଜିଲ୍ଲାପାଳ ବି ପ୍ରତିକ୍ରିୟା ରଖିଛନ୍ତି।

Farmers
Advertisment
Advertisment