Family Carries Dead Loved One Through Floodwater
ରାସ୍ତା ଉପରେ ମାଡ଼ି ଆସିଛି ବନ୍ୟା ପାଣି, ସେଇ ବନ୍ୟା ସ୍ରୋତ ଭିତରେ କାନ୍ଧରେ କାନ୍ଧେଇ ମୃତଦେହ ନେଲେ ପରିବାର ଲୋକେ। ବାଲେଶ୍ବରରେ ବନ୍ୟା ବିଭୀଷିକା ଭିତରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି।
ବାଲେଶ୍ବର ବାଲିଆପାଳ ବ୍ଲକ ଚୌଧୁରୀକିଦ୍ ଗାଁର ମଧୁ ପ୍ରରମାଣିକଙ୍କ ମୃତ୍ୟୁ ହୋଇଥିଲା। ପୁରୀ ସ୍ବର୍ଗଦ୍ବାରକୁ ସଂସ୍କାର ପାଇଁ ନେବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକେ। ହେଲେ ନେବେ କେମିତି ? ଚାରିଆଡ଼େ ପାଣି ଆଉ ପାଣି। ତେଣୁ ବାଧ୍ୟ ହୋଇ ୫ କିଲୋମିଟର୍ ବନ୍ୟା ପାଣିରେ କାନ୍ଧେଇ ନେବା ପରେ ସ୍ବର୍ଗରଥକୁ ମୃତଦେହକୁ ଅଣାଯାଇଥିଲା।
ଏପଟେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ । କେନ୍ଦ୍ରାପଡ଼ାରେ ବନ୍ୟା ବିଭୀଷିକା ଭିତରେ କୁମ୍ଭୀର ଭୟ । ପଟ୍ଟାମୁଣ୍ଡାଇ ବ୍ଲକ ଚଉଦ କୁଲାଟ ଅଞ୍ଚଳରେ ବୁଲୁଛନ୍ତି ବହୁ କୁମ୍ଭୀର। ବ୍ରାହ୍ମଣୀ ନଦୀରେ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି। ବନ୍ୟା ପାଇଁ ବ୍ରାହ୍ମଣୀ ନଦୀ ପାଣି ଗାଁ ଭିତରକୁ ପଶିଥିବାରୁ କୁମ୍ଭୀର ଗାଁ ଭିତରେ ବୁଲୁଥିବା ନଜର ଆସିଛି। ଭୟରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏପରିକି ରାତିରେ ଗାଁ ଲୋକ ଘରୁ ବାହାରିବା ମୁସ୍କିଲ ହୋଇପଡିଛି।
ଅନ୍ୟପଟେ କେନ୍ଦ୍ରାପଡ଼ା ଆଳିରେ ଫୁଲୁଛି ବ୍ରାହ୍ମଣୀ ନଦୀ। ଖାଲି ବ୍ରାହ୍ମଣୀ ନୁହେଁ ଖରସ୍ରୋତା ଓ କାଣୀ ନଦୀରେ ବି ବନ୍ୟା ଆସିଛି । ଫଳରେ ଆଳି ବ୍ଲକର ୧୨ଟି ପଞ୍ଚାୟତ ପ୍ରଭାବିତ ହୋଇଛ। ବିଶେଷ କରି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଧୋୟା ଅଞ୍ଚଳକୁ ସଂଯୋଗ କରୁଥିବା ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୭ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଗାଁ ଦାଣ୍ଡରେ ଡଙ୍ଗା ଚାଲୁଥିବା ବେଳେ, ହଜାର ହଜାର ଏକର ଚାଷ ଜମି ବୁଡିରହିଛି। ୩ ଦିନ ହେବ ବନ୍ୟାପାଣି ଘେରରେ ଅନେକ ଗାଁ ଥିବା ବେଳେ, ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ବଢିଛି । ଏପଟେ ବ୍ରାହ୍ମଣୀରେ ବଢି ପାଣି ଆସିବାରୁ ରାଜନଗର ଅଞ୍ଚଳର ୫ଟି ପଚାୟତରେ ବନ୍ୟା ହୋଇଛି । ପ୍ରାୟ ୩୦ଟି ଗାଁ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି। ବନ୍ୟା ବିପନ୍ନ ଲୋକେ ଦିନ ବେଳେ ଯେମିତି ସେମିତି ଦିନ କାଟୁ ଥିବା ବେଳେ, ରାତି ହେଲେ ଘାରୁଛି କୁମ୍ଭୀର ଭୟ । ଏଣୁ ଠେଙ୍ଗାବାଡି ଧରି ଗୋଟିଏ ସ୍ଥାନରେ ଏକାଠି ରହୁଛନ୍ତି ସାରା ଗାଁ ଲୋକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752843403.jpg)