Medha Patekar
ସମାବେଶରେ ଯୋଗ ଦେବା ପୂର୍ବରୁ ଅଟକ ପରିବେଶବିତ୍। ରାୟଗଡ଼ାରେ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ବିଶ୍ବ ପରିବେଶ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଅଧା ବାଟରୁ ଉଠାଇ ନେଇଛି ପୋଲିସ। ରାୟଗଡାର କାଶୀପୁର ବ୍ଲକ ଅନ୍ତର୍ଗତ ହାଟପଦାରେ ଏକ ଜନସଭାରେ ଯୋଗ ଦେଇଥାନ୍ତେ ମେଧା ପାଟେକର।
ମିଳିଥିବା ସୂଚନା ମୁତାବକ, କାଶୀପୁରରେ ମାଆ-ମାଟି-ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସଭା ଆୟୋଜନ କରାଯାଇଥିଲା । ସିଜିମାଳୀ ଖଣିରେ ଖଣି ଖନନ କାର୍ଯ୍ୟକୁ ବିରୋଧ କରି ଏକ ଜନସଭା ଆୟୋଜିତ ହୋଇଥିଲା। ସିଜିମାଳି ଖଣିରେ ବକ୍ସାଇଟ ଖନନକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାରୁ ମେଧା ପାଟେକରଙ୍କ ଗସ୍ତ ସେହି ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବା ଆଶଙ୍କାରେ ପୋଲିସ୍ ତାଙ୍କୁ ସେଠାରେ ଅଟକାଇଥିଲା। ରାୟଗଡା ରେଲୱେ ଷ୍ଟେସନରୁ ତାଙ୍କୁ ଉଠାଇ ନେଇ ବ୍ରହ୍ମପୁରରେ ଛାଡିଥିଲା ବୋଲି ସୂଚନା ମିଳିଛି।
ଏ ନେଇ ମେଧା ପାଟେକର କହିଛନ୍ତି, ‘‘ଆମେ ଗୁରୁବାର ଟ୍ରେନରୁ ଓହ୍ଲାଇବା କ୍ଷଣି ହିଁ ବହୁ ସଂଖ୍ୟକ ପୋଲିସ ଆମକୁ ଅଟକାଇଥିଲେ। ଆମକୁ ଷ୍ଟେସନ ଛାଡିବାକୁ ଅନୁମତି ଦିଆଗଲା ନାହିଁ। ଆମେ ଅପରାଧି ନୁହଁ କି ଆତଙ୍କବାଦୀ ନୁହଁ। ଆମେ ତ ଏଠାକୁ କେବଳ ପରିବେଶ ସୁରକ୍ଷାର ମହତ୍ତ୍ବ ବିଷୟରେ ଲୋକଙ୍କୁ କହିବାକୁ ଆସିଥିଲୁ।’’
ଅଧିକ ପଢନ୍ତୁ : ଏଥର ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍, ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ
ସୂଚନାଯୋଗ୍ୟ, ମାଆ-ମାଟି-ମାଳି ସୁରକ୍ଷା ମଞ୍ଚ ଦ୍ୱାରା କାଶୀପୁର ବ୍ଲକ ଅନ୍ତର୍ଗତ ହାଟପଦାରେ ଆୟୋଜିତ କରାଯାଇଥିବା ଏହି ସମାବେଶରେ ଶତାଧିକ ଆଦିବାସୀ କର୍ମକର୍ତ୍ତା ଯୋଗ ଦେବାର ଥିଲା। ସିଜିମାଳି ବକ୍ସାଇଟ ଖଣିଠାରୁ ମାତ୍ର କିଛି ଦୂରରେ ଏହି ଗାଁ ଅବସ୍ଥିତ। ୧୫୪୯ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ଥିବା ସିଜିମାଳି ବକ୍ସାଇଟ ଖଣିରୁ ବାର୍ଷିକ ୯୦ ଲକ୍ଷ ଟନ ଖଣି ଖନନ କରେ ବେଦାନ୍ତ। ଗତ କିଛି ବର୍ଷ ହୋଇଯିବ ଏହି ଖଣି ଖନନକୁ ନେଇ ଉତ୍ତେଜନା ଲାଗି ରହିଛି।
ସ୍ଥାନୀୟ ଆଦିବାସୀମାନେ ଅଭିଯୋଗ ଆଣିଛନ୍ତି ଯେ, ବେଦାନ୍ତ କମ୍ପାନୀର ଚାପରେ ମାଇନିଂ ବିରୋଧରେ ଲୋକଙ୍କ ସ୍ୱରକୁ ଚାପି ଦେଉଛନ୍ତି ସ୍ଥାନୀୟ ପୋଲିସ ଓ ପ୍ରଶାସନ। ଏପରିକି ଜୁନ ୪ ତାରିଖରୁ ୨୦ ଜଣ ଆନ୍ଦୋଳନକାରୀଙ୍କୁ ୨ ମାସ ପାଇଁ ଜିଲ୍ଲାରେ ପ୍ରବେଶ ଉପରେ ରୋକ ଲାଗିଛି। ଏପରିକି କୌଣସି ଆନ୍ଦୋଳନ କରିବା ପାଇଁ ସେମାନଙ୍କୁ ବାରଣ କରାଯାଇଛି। ବେଦାନ୍ତ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀମାନଙ୍କ ମଧ୍ୟରୁ ଗୋଟିଏ। ସେ ୨୦୦୭ରୁ କଳାହାଣ୍ଡିର ଲାଞ୍ଜିଗଡରେ ଖଣି ରିଫାଇନରି ପରିଚାଳନା କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749112167.jpg)