କୁହାଯାଏ ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ । ଏହି ଉକ୍ତିଟି ଅନେକ ଜାଗାରେ ସତ ସାବ୍ୟସ୍ତ ହୋଇଥିବା କଥା ଦେଖାଯାଏ । ବିଶ୍ୱାସ ଓ ଭରସାଠାରୁ ଉପରେ ଭଗବାନ୍ । ଭଗବାନଙ୍କ ହାତରେ ଜୀବନ-ମୃତ୍ୟୁର ପଞ୍ଜିକା । ତାଙ୍କ ଇଚ୍ଛା ବିନା ପତ୍ରଟିଏ ମଧ୍ୟ ହଲେ ନାହିଁ । ଦଣ୍ଡେ ନିମିଷେ ଥିଲେ ପ୍ରାଣ ନେଇ ନପାରେ ଯନ୍ତୁରାଣ । ନିମ୍ନ ଘଟଣାରୁ ଆପଣମାନେ ଏହା ଜାଣିପାରିବେ ।
ପାଇପ୍ ଭିତରେ ୬୦ ରାତି । ଉପରେ କଲଭର୍ଟ ଭିତରେ ପାଇପ୍ ଆଉ ଏହାରି ଭିତରେ ଏମିତି ୬୦ ରାତି କାଟିଛନ୍ତି ଜଣେ ୬୦ ବର୍ଷୀୟ ବୃଦ୍ଧ । ସୁନ୍ଦରଗଡ଼ ଟେନସା ଫାଣ୍ଡି ଅଞ୍ଚଳରେ ଏକ ରାସ୍ତାର କଲଭର୍ଟ ଭିତରେ ଏହି ବୃଦ୍ଧ ଜଣକ ଦୁଇ ମାସ କାଟିଛନ୍ତି । ଲହୁଣୀପଡ଼ା ଥାନା ଟକରା ରେଙ୍ଗାଲବେଢ଼ା ଗାଁର ଜୋହନ କାଣ୍ଡୁଲାନା ଗତ ଦୁଇ ମାସ ଧରି ନିଖୋଜ ଥିଲେ । ପରିବାର ଓ ପୋଲିସ୍ ଖୋଜାଖୋଜି କରିବା ପରେ ଏହି ପାଇପ୍ ଭିତରେ ସେ ଲୁଚି ରହିଥିବା ଖବର ମିଳିଥିଲା । ତେବେ ଏହି ସମୟରେ ସେ ଶୁଖିଲା ଖାଦ୍ୟ ଖାଉଥିଲେ ।
Also Read
ଅଧିକ ପଢନ୍ତୁ:BJDକୁ ଚିନ୍ତା ଅଧୁରା ପାନୀୟ ଜଳ ପ୍ରକଳ୍ପ: କହିଲେ-'ପ୍ରକଳ୍ପ ନ ସରିବାରୁ ହାରିଲେ ବିଧାୟକ'
ତାଙ୍କୁ ଉଦ୍ଧାର କରିବା ବେଳେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଥିଲେ । ଯେଉଁ ଜାଗାରେ ସେ ରହୁଥିଲେ ସେଠି ଜଣେ ସାଧାରଣ ଲୋକ ୬୦ ସେକେଣ୍ଡ ବି ରହିବା ସମ୍ଭବପର ନୁହେଁ । ଜୋହନ୍ କେମିତି ଏତେ ଦିନ କାଟିଲେ ତାକୁ ନେଇ ସମସ୍ତେ ଚକିତ । ପୋଲିସ୍ ଘଟଣାର ତଦନ୍ତ କରୁଛି । ଜଣେ ବୃଦ୍ଧ କେମିତି ୬୦ ଦିନ ଧରି ରହିଲେ ଏପରି ଅବସ୍ଥାରେ, ତାହା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ପରିସ୍ଥିତି ଏମିତି ଯେ, ସେଠାକୁ ଲୋକ ଦିନରେ ଯିବାକୁ ମଧ୍ୟ ଭୟ କରନ୍ତି । କିନ୍ତୁ ସେଠାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଦୁଇମାସ ଅର୍ଥାତ୍ ୬୦ ରାତି କାଟିଛନ୍ତି । ସେ ବି ଲୁଚି ଲୁଚି ଜୀବନ କାଟୁଥିଲେ । ପାରିବାରିକ କଳହ ଯୋଗୁଁ ସେ ଘର ଛାଡ଼ି ଦେଇଥିଲେ । ଫଳରେ ଦୀର୍ଘ ୬୦ ଦିନ ହେଲା ଟେନସା ବରସୁଆଁ ରାସ୍ତାରେ ଥିବା କଲଭର୍ଟ ତଳେ ଲୁଚି ରହୁଥିଲେ ।
ପାରିବାରିକ କଳହ ମାନସିକ ଅଶାନ୍ତି ସୃଷ୍ଟି କରିପାରେ । ଆଉ ଥରେ ମାନସିକ ସ୍ଥିତି ବିଗିଡିଗଲେ... । ତାହା ଏହି ଘଟଣାରୁ ସହଜରେ ଅନୁମେୟ । ନହେଲେ ଜଣେ ବୃଦ୍ଧଙ୍କ ପକ୍ଷେ ୬୦ ରାତି ଲୁଚି ଲୁଚି କାଟିବା କେତେ ଯେ କଷ୍ଟକର ହୋଇପାରେ, ତାହା କେବଳ ଭୁକ୍ତଭୋଗୀ ହିଁ ଜାଣେ । ଅନ୍ୟପଟେ ଘଟଣା ସମ୍ପର୍କରେ ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ତାଙ୍କୁ କଲଭର୍ଟ ଭିତରୁ ଉଦ୍ଧାର କରିଛନ୍ତି । ଦୀର୍ଘ ୬୦ ଦିନ କଲଭର୍ଟ ଭିତରେ ଲୁଚି ରହିଥିଲେ ସୁଦ୍ଧା ଜୋହନ୍ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ଉଦ୍ଧାର ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।