Special Story: ନବମ ଶ୍ରେଣୀରେ ଲେଖିଥିଲେ ପ୍ରଥମ ପ୍ରେମ କବିତା

ନରହରି ମଉସା ଆଜି ସିନା ବୁଢା ହେଲେଣି । ହେଲେ ନୂଆ ନୂଆ ନିଶ କଅଁଳୁଥିବା ବୟସରେ ତାଙ୍କ କଲମରୁ ଉତୁରିଥିଲା, ଏଇ କବିତା ଖଣ୍ଡକ ।

ନରହରି ମଉସା ଭାରି ରୋମାଣ୍ଟିକ୍

ବୃତ୍ତିରେ ଚଷା, ହେଲେ ନିଶା ତାଙ୍କର କବିତା ଲେଖିବା । ବହି ଛାପିବାକୁ ଅର୍ଥ ବଳ ନାହିଁ । ହେଲେ ତାଙ୍କର ଉତ୍ସାହ କେବେ କମିନି । ବାର୍ଦ୍ଧକ୍ୟ ସତ୍ତ୍ୱେ ପଚାଶ ବର୍ଷ ହେଲା ନିରବଛିନ୍ନ ଭାବେ ଭିନ୍ନ ଭିନ୍ନ କବିତା ଲେଖିବା ସହ ଶିକ୍ଷା ସଚେତନ ଧର୍ମୀ କବିତା ଆବୃତି କରି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ପ୍ରେରଣା ଯୋଗାଉଛନ୍ତି ।

ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଁବରଡ଼ା ଗାଁର ନରହରି ମଲ୍ଲ । ନାଁ ଯେମିତି ଚରିତ୍ର ମଧ୍ୟ ସେମିତି । ୭୭ ବର୍ଷ ବୟସ, ହେଲେ ସେ ଥକି ଯାଇ ନାହାନ୍ତି କି ଅର୍ଥାଭାବ ତାଙ୍କ କବିତା ଲେଖିବାର ନିଶାରେ ପ୍ରତିବନ୍ଧକ ସାଜିନି । ସେତେବେଳେ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଥିବା ନରହରି ମଉସା ଯୁବାବସ୍ଥାରେ ଚାଷ କରି ପରିବାର ପୋଷୁଥିଲେ । ଏବେ ବାର୍ଦ୍ଧକ୍ୟରେ ଆଉ ଚାଷ କାର୍ଯ୍ୟ କରି ନ ପାରି ଗାଁ ମୁଣ୍ଡରେ ଏକ କ୍ୟାବିନ ପକାଇ ପାନ ଦୋକାନ ଖଣ୍ଡେ କରି ବସିଛନ୍ତି । ପାଠ ପଡିବା ବେଳେ ସେ ବାଲ୍ୟ ବିବାହ କରିଥିଲେ।

ଦେଖନ୍ତୁ ଭିଡିଓ | ବୁଢା ମଉସାଙ୍କ ପ୍ରେମ କାହାଣୀ। କହିଲେ, ମୋ ବୁଢୀ ନାହିଁ... ମୁଁ ରାତିରେ ଶୋଇବି କେମିତି?

କାକଟପୁର ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କ ସ୍ତ୍ରୀ ବାପ ଘରକୁ ଯାଇ ତାଙ୍କୁ ଖଣ୍ଡେ ଚିଠି ପଠାଇଥିଲେ । ସେ ପ୍ରଥମେ ଏକ କବିତା ଲେଖି ପଠାଇ ଚିଠିର ପ୍ରତିଉତ୍ତର ଦେଇଥିଲେ । ସେଇଠୁ ତାଙ୍କର ଆରମ୍ଭ ହୋଇଥିଲା କବିତା ଲେଖିବାର ସଉକ । ପ୍ରେମ କବିତା ଠାରୁ ଆରମ୍ଭ କରି ପରିବେଶ ଭିତ୍ତିକ କବିତା , ଜଣାଣ, ବିପ୍ଳବ କବିତା, ଯୁଦ୍ଧ କବିତା, ସାମାଜିକ ସଂସ୍କାର ଧର୍ମୀ କବିତା ଲେଖିବା ହେଉଛି ତାଙ୍କ ସଉକ । ସେହିପରି ପିଲାମାନେ ସେଜରୁ ଉଠିବା ଠାରୁ ଶୋଇବାକୁ ଯିବା ପର୍ଯ୍ୟନ୍ତ କ’ଣ କ’ଣ କରିବା ଦରକାର ସେ ନୀତିଶିକ୍ଷାକୁ କବିତା ମାଧ୍ୟମରେ ଆବୃତି କରି ଭିନ୍ନ ଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ତାଙ୍କର ଯେପରି ଏକ ଧର୍ମ ପାଲଟି ଯାଇଛି । ଏଭଳି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ନରହରି ମଉସା ।

ତେବେ ବହୁ କବିତା ଲେଖିଥିଲେ ମଧ୍ୟ ଅର୍ଥାଭାବ ପାଇଁ ସେ ତାଙ୍କର କବିତା ଗୁଡିକ ବହି ମାଧ୍ୟମରେ ଛାପି ପାରି ନାହାନ୍ତି । ପର୍ବ ପର୍ବାଣୀ , ସ୍ବାଧୀନତା ଦିବସ, ଗାଁର ଭଲମନ୍ଦରେ ତାଙ୍କ ଖୋଜା ପଡେ । ସେ ତାଙ୍କ କବିତା ମାଧ୍ୟମରେ ସମସ୍ତଙ୍କୁ ସଚେତନ କରି ସମସ୍ତଙ୍କ ଆଦର ସାଉଁଟିଥାନ୍ତି । ତାଙ୍କ କବିତା ଏକ ନିର୍ଦ୍ଧିଷ୍ଟ ପରିସୀମା ମଧ୍ୟରେ ରହିଛି ସତ କିନ୍ତୁ ଏହି ପରିସୀମା ମଧ୍ୟରେ ଥିବା ତାଙ୍କ ଗାଁ ଓ ଆଖପାଖର ଲୋକେ ତାଙ୍କ ପାଇଁ ଗର୍ବ ଅନୁଭବ କରନ୍ତି ।