ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ଅଣ୍ଡା ଦର ବୃଦ୍ଧି ପ୍ରଭାବ । ପିଲାଙ୍କୁ ଆଉ ମିଳୁନି ଆବଶ୍ୟକ ପରିମାଣ ଅଣ୍ଡା । ୨୦ଟି ବଦଳରେ ଅଙ୍ଗନବାଡିରେ ମିଳୁଛି ମାତ୍ର ୧୫ଟି । ମାର୍କେଟରେ ଅଣ୍ଡା ଗୋଟାକୁ ୮ ଟଙ୍କା ଥିବା ବେଳେ ସରକାର ଦେଉଛନ୍ତି ସାଢ଼େ ୪ରୁ ୫ଟଙ୍କା । ଗର୍ଭବତୀ ଓ ପ୍ରସୂତୀଙ୍କୁ ବି ମିଳୁଛି କମ୍ । ଏକଥାକୁ ଉଭୟ ଉପମୁଖ୍ୟମନ୍ତ୍ରୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ମନ୍ତ୍ରୀ ମାନିଥିବା ବେଳେ ସମସ୍ୟା ସମାଧାନ ନେଇ ଆଶାବାଦୀ ଅଛନ୍ତି ।
ଅଙ୍ଗନବାଡି ଦିଦିଙ୍କୁ ଅଣ୍ଡା ଦର ଟେନସନ୍ । ପିଲାଙ୍କୁ ମିଳୁନି ଡାଏଟ୍ ଚାର୍ଟ ଅନୁସାରେ ଅଣ୍ଡା । ୨୦ ଜାଗାରେ ଦିଆଯାଉଛି ୧୫ଟି । ବଜାରରେ ଅଣ୍ଡା ଗୋଟାକୁ ବିକ୍ରି ହେଉଛି ୮ ଟଙ୍କା । ହେଲେ ସରକାର ଦେଉଛନ୍ତି ମାତ୍ର ସାଢ଼େ ୪ରୁ ୫ ଟଙ୍କା । ସରକାରୀ ଦାମ୍ ଓ ମାର୍କେଟ ଦର ଭିତରେ ୩ ଟଙ୍କା ଫରକ ।
ଅଧିକ ପଢ଼ନ୍ତୁ: ବିଜେଡିକୁ ସଞ୍ଜୀବନୀ ଦେବ କି ପ୍ରତିଷ୍ଠା ଦିବସ ? ଆୟୁ ସରି ଆସୁଛି କହି ଛିଗୁଲେଇଲା ବିଜେପି
Also Read
ତେଣୁ ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ଆଉ ସମ୍ଭବ ହେଉନି । ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ମାସକୁ ୨୦ଟି ବଦଳରେ ମିଳୁଛି ମାତ୍ର ୧୫ଟି । ସେହିପରି ଗର୍ଭବତୀ ଓ କିଶୋରୀଙ୍କୁ ବି କମିଗଲାଣି ଅଣ୍ଡା ଯୋଗାଣ । ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା । କିନ୍ତୁ ଅଙ୍ଗନବାଡ଼ି ଦିଦି କେଉଁଠି ୮ଟି ତ’ ଆଉ କେଉଁଠି ୯ଟି ଦେଉଛନ୍ତି ।
ସେମାନଙ୍କର କହିବା କଥା, ଅଣ୍ଡା ଦାମ୍ ୫ରୁ ୮ ଟଙ୍କା ଛୁଇଁଥିଲେ ବି ୨୦୧୮ ପରଠୁ ଆଉ ପିଲାଙ୍କ ପାଇଁ ଡାଏଟ୍ ଚାର୍ଟରେ ସଂଶୋଧନ କରି ନାହାନ୍ତି ସରକାର । କେବେକେବେ ନିଜ ହାତରୁ ବି ଟଙ୍କା ଦେବାକୁ ପଡୁଛି । ଅଣ୍ଡା ଯୋଗାଣ କମିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଭାବକ ।
ସେପଟେ ସମସ୍ୟାକୁ ସ୍ୱୀକାର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କହିଛନ୍ତି, ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ସମସ୍ୟା ସମାଧାନ ନେଇ ଆଶାବାଦୀ ଅଛୁ । ଅନ୍ୟପଟେ ମତ୍ସ୍ୟ, ପ୍ରାଣୀ ସଂପଦ ମନ୍ତ୍ରୀ ଚେତାବନୀ ଦେଇଛନ୍ତି, ଅଣ୍ଡା କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ହେବ ।
ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ୍-SNPରେ ଅଙ୍ଗନବାଡ଼ି ପିଲା, ଗର୍ଭବତୀ ଓ ପ୍ରସୂତୀ ଏବଂ କିଶୋରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ସରକାର । କିନ୍ତୁ ବଜାରରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଭିତରେ କେମିତି ପୁଷ୍ଟିକର ଖାଦ୍ୟ ଯୋଗାଇବେ, ଅଙ୍ଗନବାଡି କର୍ମୀଙ୍କୁ ଚିନ୍ତା ଘାରିଛି ।