ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମୁଣ୍ଡ ଉପରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଶିକ୍ଷାଦାନ ବିଭ୍ରାଟର ଉତ୍କଟ ଚିତ୍ର । କେଉଁଠି ସରିନି କୋର୍ସ ପୁଣି କେଉଁଠି ନାହାନ୍ତି ଶିକ୍ଷକ । ନାଁକୁ ଅଛି 'ଫାଇଭ୍ ଟି' ସ୍କୁଲ୍ ହେଲେ ଶିକ୍ଷାଦାନରେ ଫେଲ୍ । ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ଶିକ୍ଷା ବିଭାଗ ଏବଂ ଶିକ୍ଷାର୍ଥୀ ଚଳଚଞ୍ଚଳ । କିନ୍ତୁ, ଆଶ୍ଚର୍ଯ୍ୟର କଥା ଚଳିତ ବର୍ଷ ବହୁ ସ୍କୁଲରେ ବିଭିନ୍ନ ବିଭାଗର ଶିକ୍ଷକ ନଥିବା ବେଳେ କେତେକ ସ୍କୁଲରେ କୋର୍ସ ଶେଷ ହୋଇନି ।
ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମନରେ ଏବେ ଚିନ୍ତା ଦେଖାଯାଇଛି । ଆସନ୍ତା ୨୧ରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା । ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ୨୧୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୪୩ ହଜାର ୪ଶହ ୩୫ଜଣ ଛାତ୍ରଛାତ୍ରୀ । ତେବେ ଆଶ୍ଚର୍ଯ୍ୟର କଥା ଚଳିତ ବର୍ଷ ପିଲାମାନଙ୍କ ପାଠ ପଢ଼ାରେ ଘୋର ବ୍ୟାଘାତ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ୍ ସରକାରୀ ପାଟପୁର ଉଚ୍ଚବିଦ୍ୟାଳୟରେ ୭୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ, ପ୍ରାଇମେରୀ ଓ ହାଇସ୍କୁଲକୁ ମିଶାଇ ମୋଟ୍ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି।
Also Read
ଗଣିତ ଶିକ୍ଷକ ୪ ମାସ ତଳେ ବଦଳି ହୋଇଯାଇଥିବା ବେଳେ ତିନି ବର୍ଷ ହେଲା ହିନ୍ଦି ଶିକ୍ଷକ ପଦବୀ ଖାଲି ପଡିଛି । ଯାହା ଫଳରେ ପିଲାମାନେ କେମିତି ପରୀକ୍ଷା ଦେବେ ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପୂର୍ବ ସରକାର ସମୟରେ ସ୍କୁଲ ଗୁଡିକୁ 'ଫାଇଭ୍ ଟି' ନାମରେ ଚକାଚକ୍ କରାଗଲା ସତ ହେଲେ ଶିକ୍ଷକ ପୁରଣ ହୋଇ ପାରିନଥିବାରୁ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।
ଠିକ୍ ସମାନ ଅବସ୍ଥା ଖଲିକୋଟ ବ୍ଲକ୍ରେ । ବ୍ଲକ୍ର ବାଲୁଙ୍କେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ହିନ୍ଦି ଶିକ୍ଷକ ନଥିବାରୁ ବର୍ଷ ସାରା ପିଲାମାନେ ହିନ୍ଦି ପଢ଼ି ପାରି ନାହାନ୍ତି । ସେହିଭଳି ବ୍ଲକ୍ର ତୁଳସୀପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଉଭୟେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ନଥିବାରୁ ସେଠାରେ ବି ସମାନ ଅବସ୍ଥା ।