/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751284504.jpg)
ration card
ଆଉ ଘୁଞ୍ଚିବନି ଡେଡଲାଇନ । e-KYC କରିନଥିଲେ ଚଳିତ ମାସରୁ ଚାଉଳ ବନ୍ଦ । ସସପେଣ୍ଡ ହେବ ରାସନ କାର୍ଡ । ୩ ମାସ ଭିତରେ ଜଣାଇଲେ ପୁଣି ଥରେ କାର୍ଡକୁ ସଚଳ କରାଯିବ । ନହେଲେ କାର୍ଡ ପୂରା କଟିଯିବ । ରାସନ କାର୍ଡରେ e-KYC ର ଆଜି ଶେଷ ଦିନ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରାୟ ବର୍ଷେ ହେଲା e-KYC ପ୍ରକ୍ରିୟା ଚାଲିଥିଲେ ବି ରାଜ୍ୟରେ ଆହୁରି ୨୦ ଲକ୍ଷ ୫୮ ହଜାର ହିତାଧିକାରୀ କରିନାହାନ୍ତି ଅପଡେଟ୍ ।
ନୂଆ ସରକାର ଆସିବା ପରେ ରାସନ ଚୋରିକୁ ଧରିବା ପାଇଁ ରାସନ କାର୍ଡର ଇ-କେୱାଇସି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବହୁ ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ବାଧ୍ୟ ହୋଇ ସରକାର ରାସନ କାର୍ଡ ସସପେଣ୍ଡ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗରିବ ଲୋକମାନେ ରାସନ କାର୍ଡର ସୁବିଧା ନିଅନ୍ତୁ । କିନ୍ତୁ ଭୂତ ରାସନ କାର୍ଡ ଚିହ୍ନଟ କରାଯିବା ମଧ୍ୟ ଜରୁରୀ । ଇ-କେୱାଇସି କରିନଥିବା ହିତାଧିକାରୀମାନେ ତୁରନ୍ତ ଇ-କେୱାଇସି କରିନିଅନ୍ତୁ, ନଚେତ ୩ ମାସ ପରେ ରାସନ କାର୍ଡ ଆପେ ଆପେ କଟିଯିବ ବୋଲି ସେ କହିଛନ୍ତି ।
ମନ୍ତ୍ରୀଙ୍କ ଏଭଳି ଡେଡଲାଇନ ପରେ ବିଭିନ୍ନ ସମସ୍ୟା ପାଇଁ ଇ-କେୱାଇସି କରିନଥିବା ହିତାଧିକାରୀ ଚିନ୍ତାରେ ପଡିଲେଣି। ନେଟୱାର୍କ ସମସ୍ୟା ପାଇଁ ମାଲକାନଗିରି ଚିତ୍ରକୋଣ୍ଡାର ଅନେକ ହିତାଧିକାରୀ ଇ-କେୱାଇସି କରି ପାରିନାହାଁନ୍ତି। ନୂଆ ରାସନ୍ କାର୍ଡ ଆବେଦେନ୍ ପାଇଁ ୱେବ୍ ସାଇଟ୍ ବି ଖୋଲୁନାହିଁ ଲୋଲି ମଧ୍ୟ ଅଭିଯୋଗ ହୋଇଛି । ତେଣୁ ସରକାର ଆଉ ଥରେ ଚିନ୍ତା କରିବାକୁ ଅନୁରୋଧ କରିଛନ୍ତି ଉପାନ୍ତ ଅଞ୍ଚଳର ଅନେକ ହିତାଧିକାରୀ।
ନୂଆ ସରକାର ଆସିବା ପରେ ଭୂତ ଏବଂ ଅଯୋଗ୍ୟ ହିତାଧିକାରୀ ଖୋଜିବାକୁ ଇକେୱାଇସି ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲା । ଏବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ୩ କୋଟି ୩୬ ଲକ୍ଷ ୩୫ ହଜାର ହିତାଧିକାରୀ ରହିଛନ୍ତି । ନୂଆ ସରକାର ଆସିବା ପରେ ପୁଣି ୬ ଲକ୍ଷ ନୂଆ କାର୍ଡ ଦିଆଯାଉଛି । ଇ-କେୱାଇସି ପ୍ରକ୍ରିୟାରୁ ୫ ଲକ୍ଷ ୨୩ ହଜାର ଅଯୋଗ୍ୟ ଏବଂ ମୃତ ହିତାଧିକାରୀଙ୍କୁ ବାହାର କରାଯାଇ କାର୍ଡରୁ କାଟି ଦିଆଯାଇଛି । ଏବେ ବି କିଛି ହିତାଧିକାରୀ ନକଲି ବୋଲି ଚର୍ଚ୍ଚା ହେଉଛି ।