Advertisment

Baleswar Flood: ଦାଉ ସାଧୁଛି ବନ୍ୟା, ବାଲେଶ୍ଵର ପରିବା ବଜାରରେ ଦୁଇ ଦିନରେ ଦୁଇ ଗୁଣା ଦର

ଏବେ ସୁବର୍ଣ୍ଣରେଖା ନଦୀର ପାର୍ଶ୍ୱ ଅଞ୍ଚଳ ଜଳମଗ୍ନ। ଯାହା ଖୁବ୍ ପ୍ରଭାବ ପକାଇଛି ପରିବା ବଜାର ଉପରେ। ଦୁଇ ଦୁଇଟି ବନ୍ୟାରେ ଉତ୍ତର ବାଲେଶ୍ଵର ୧୨ ଦିନ ଧରି ଭାସୁଛି। ଲୋକଙ୍କ ଜୀବନ ଯାପନ ପ୍ରଭାବିତ ହେବା ସହ ନଷ୍ଟ ହୋଇଛି ବ୍ୟାପକ ପରିବା ଚାଷ। ଆଉ ଚାଷ ନଷ୍ଟ ପରେ ଏବେ ପରିବା ଦର ଆକାଶଛୁଆଁ।

author-image
Prasan Subudhi
ଅଦ୍ୟତନ ହୋଇଛି
ପରିବା ଦର ଆକାଶଛୁଆଁ

ପରିବା ଦର ଆକାଶଛୁଆଁ

ଉତ୍ତର ବାଲେଶ୍ବରରେ ବନ୍ୟା ପାଇଁ ବାଲେଶ୍ଵର ସହରରେ ପରିବା ଦର ଆକାଶ ଛୁଆଁ। ପ୍ରତ୍ୟେକଟି ପରିବା ଦର ଦୁଇ ଗୁଣା ଛୁଇଁଛି। ପୁରା ବାଲେଶ୍ଵର ସହର ଉତ୍ତର ବାଲେଶ୍ବରର ପରିବା ଚାଷ ଉପରେ ନିର୍ଭର କରୁଥିବା ବେଳେ ଅଦିନିଆ ବନ୍ୟା ପାଇଁ ବାଲେଶ୍ଵର ସହରର ପରିବା ବଜାର ପ୍ରଭାବିତ।

Advertisment

ଯେଉଁ ବିନ୍ସ ପୂର୍ବରୁ ବଜାରରେ କିଲୋ ପିଛା ୪୦ ଟଙ୍କାରେ ମିଳୁଥିଲା ଏବେ ଦର ଯାଇ କିଲୋ ପିଛା ୧୬୦। ସେମିତି ୮୦ ଟଙ୍କା ତଳକୁ ପରିବା ମିଳିବା ବିରଳ। କାଙ୍କଡ଼ 80,ବାଇଗଣ 80 ,କଲରା 80 ପୋଟଳ 70 , ଜହ୍ନି 60 , ବିଲାତି 50 , କଖାରୁ 50 ଟଙ୍କା ଭଳି ବଜାରରେ ଏବେ ଦର। ହାତ ମାରିବାକୁ ଡର ଲାଗୁଚି ପରିବାରେ। ଯେଉଁଠି ହାତ ମାରିବେ ଦର ଶୁଣି ଚମକି ଯିବେ। ଦୁଇ ଦୁଇଟି ବନ୍ୟା ରେ ଉତ୍ତର ବାଲେଶ୍ଵର ଭାସିବା ପରେ ଏବେ ପ୍ରଭାବ ପଡ଼ିଛି ବାଲେଶ୍ଵର ସହରର ପରିବା ବଜାରରେ।

ଉତ୍ତର ଓଡିଶାର ଉତ୍ତର ବାଲେଶ୍ଵର କେବଳ ବାଲେଶ୍ଵର ନୁହଁ ଅନ୍ୟାନ୍ୟ ଜିଲ୍ଲାକୁ ମଧ୍ୟ ପରିବା ଯୋଗାଇଥାଏ। ଆଉ ବାଲେଶ୍ଵର ସହରର ପରିବା ବଜାର ସମ୍ପୂର୍ଣ୍ଣ ନିର୍ଭର କରିଥାଏ ଉତ୍ତର ବାଲେଶ୍ଵର ଚାଷ ଉପରେ। ବିଶେଷ କରି ପୋଟଳ, ଭେଣ୍ଡି, ବୋଇତାଳୁ, ବିନ୍, କଲରା ଇତ୍ୟାଦି ଭଲ ଯୋଗାଇ ଥାଏ ଏହି ବନ୍ୟା ପ୍ଲାବିତ ଅଞ୍ଚଳ। ସୁବର୍ଣ୍ଣରେଖା ନଦୀର ଆଖପାଖ ଅଞ୍ଚଳରେ ଭଲ ଚାଷ ହେଉଥିବା ଯୋଗୁଁ ବାଲେଶ୍ଵର ସହରକୁ ସେଇଠୁ ପରିବା ରପ୍ତାନି ହୋଇଥାଏ।

Advertisment

ହେଲେ ଏବେ ସୁବର୍ଣ୍ଣରେଖା ନଦୀର ପାର୍ଶ୍ୱ ଅଞ୍ଚଳ ଜଳମଗ୍ନ। ଯାହା ଖୁବ୍ ପ୍ରଭାବ ପକାଇଛି ପରିବା ବଜାର ଉପରେ। ଦୁଇ ଦୁଇଟି ବନ୍ୟା ରେ ଉତ୍ତର ବାଲେଶ୍ଵର ୧୨ ଦିନ ଧରି ଭାସୁଛି। ଲୋକଙ୍କ ଜୀବନ ଯାପନ ପ୍ରଭାବିତ ହେବା ସହ ନଷ୍ଟ ହୋଇଛି ବ୍ୟାପକ ପରିବା ଚାଷ। ଆଉ ଚାଷ ନଷ୍ଟ ପରେ ଏବେ ପରିବା ଦର ଆକାଶଛୁଆଁ।

ବର୍ତ୍ତମାନ ପାଗ ଓ ସମୟ ଅନୁକୂଳ ଯୋଗୁ ବଜାରରେ ପରିବା ଦର କମ୍ ଥିଲା, ଆଉ ବ୍ୟବସାୟ ବି ଭଲ ହେଉଥିଲା। ହେଲେ ଏବେ ବ୍ୟବସାୟ ମଧ୍ୟ ମାନ୍ଦା। ସେମିତି ଚିନ୍ତାରେ ପଡି ଯାଇଛନ୍ତି ଖାଉଟି। ହଠାତ ଦର ବଢିବା ଖାଉଟି ମହଲରେ ମଧ୍ୟ ଚିନ୍ତା ବଢ଼ାଇଛି। ଯେଉଁ ଟଙ୍କା ଧରି ବଜାର ଆସୁଥିଲେ ସେଇ ଟଙ୍କାରେ ଏବେ ବ୍ୟାଗ୍ ବି ଭର୍ତ୍ତି ହେଉ ନାହିଁ। ଚାଷ ଅଞ୍ଚଳରେ ବନ୍ୟା ପାଇଁ ବ୍ୟାପକ ଚାଷ ନଷ୍ଟ ହେବା ସହ ପରିବା ପହଞ୍ଚି ପାରୁନି। ଯାହାର ପରିଣାମ ଏବେ ଉଭୟ ବ୍ୟବସାୟୀ ଓ ଖାଉଟି ଭୋଗୁଛନ୍ତି।

ଯଦିଓ ବର୍ତ୍ତମାନ ସୁବର୍ଣ୍ଣରେଖାର ପାଣି କମୁଛି ହେଲେ କେତେ ପରିବା ଚାଷ ନଷ୍ଟ ହୋଇଛି ତାର ଏ ଯାଏଁ ଆକଳନ ହୋଇ ନାହିଁ। ତେବେ ପାଣି କମି ଗଲେ ମଧ୍ୟ ଏହାର ପ୍ରଭାବ ପରିବା ବଜାର ଉପରେ କେତେ ଦିନ ରହିବ ତାହା ଏବେ ଚିନ୍ତା ବଢ଼ାଇଛି।

(ରିପୋର୍ଟ- ଚନ୍ଦ୍ରକାନ୍ତ ଜେନା, ବାଲେଶ୍ୱର)

Baleswar Flood Havoc Vegetable Price Rise
Advertisment
Advertisment