• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗତ ମାର୍ଚ୍ଚ ମାସରୁ ବଲାଙ୍ଗୀରରେ ଦାଉ ସାଜୁଛି ଖରା । ବୈଶାଖ, ଜ୍ୟୋଷ୍ଠ ଯାଇ ଆଷାଢ଼ ଆସିଲାଣି, ତଥାପି କମୁନି ଖରା । ଆକାଶରେ ମେଘଖଣ୍ଡ ଭାସୁଛି । କେତେବେଳେ କେମିତି, କଳାହାଣ୍ଡିଆ ମେଘ ବି ଘୋଟି ଆସୁଛି । ସବୁ ରକମର ପାଗ ସତ୍ତ୍ୱେ, ବର୍ଷା ହେଉନାହିଁ । ଯଦି ବି ହେଉଛି ତାହା ସମୁଦ୍ରକୁ ଶଙ୍ଖେ । ଟିକେ ଟିକେ ବର୍ଷାରେ ଭିଜୁନି ମାଟି । ରୁଆ ବେଉଷଣ ସମୟରେ, ଚାଷୀ ପାଇଁ ଏବେ ଚିନ୍ତା ଗଜା ମରୁଡି ।

ଅଭାବୀ ବର୍ଷା ଯୋଗୁଁ ଫସଲ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ କରୁଛି । ଗଜା ମରୁଡ଼ିରୁ ବଞ୍ଚିବା ପାଇଁ ଜମି ଭିତରେ ପିଇବା ପାଣିର ଟ୍ୟାଙ୍କର । କିନ୍ତୁ ପିଇବା ପାଇଁ ଏହି ପାଣି ଆସିନାହିଁ । ପହ୍ଳା ବଂଚାଇବା ପାଇଁ ଟ୍ୟାଙ୍କରରେ ଆସିଛି ପାଣି । ଟ୍ୟାଙ୍କର ଯୋଗେ ପାଣି ଦେଇ, ଗଜା ମରୁଡିରୁ ବଂଚିବା ପାଇଁ ଉଦ୍ୟମ କରୁଛି ଚାଷୀ । ପୂରା ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ଅଧିକ ପଢ଼ନ୍ତୁ: ବର୍ଷା ନାହିଁ ଚାଷୀ ହତାଶ; ଶୁଖିଲା ପଡିଛି ଚାଷ ଜମି

କୃଷି ବିଭାଗର ସୂଚନା ଅନୁଯାୟୀ, ଜୁନ୍‌ ମାସରେ ବଲାଙ୍ଗିର ଜିଲ୍ଳାରେ ୨୦୦ ମିଲିମିଟର ବର୍ଷା ହେବା କଥା । କିନ୍ତୁ ହୋଇଛି ମାତ୍ର ୧୧୫ ମିଲିମିଟର । ୪୩ ପ୍ରତିଶତ କମ୍‌ ବର୍ଷା ହୋଇଛି । ଜୁଲାଇ ମାସରେ ଆଶା ବାନ୍ଧିଥିଲା ଚାଷୀ । କିନ୍ତୁ ଜୁଲାଇର ସ୍ଥିତି ଆହୁରି ଖରାପ । ଜୁଲାଇ ମାସରେ ୨୯୩ ମିଲିମିଟର ବର୍ଷା ହେବା କଥା, କିନ୍ତୁ ଆଜି ଯାଏ ମାତ୍ର ୪୬ ମିଲିମିଟର ବର୍ଷା ହୋଇଛି । ତେଣୁ ବର୍ତ୍ତମାନ ସୁଦ୍ଧା ଜିଲ୍ଳାରେ ୭୦ ପ୍ରତିଶତରୁ ଅଧିକ କମ୍‌ ବର୍ଷା ଯୋଗୁଁ ଗଜା ମରୁଡ଼ି ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି ।

ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ଏକ କୃଷିପ୍ରଧାନ ଅଂଚଳ । ଜିଲ୍ଲାର ଅର୍ଥନୀତି ଚାଷ ଉପରେ ନିର୍ଭର କରୁଥିଲେ ବି, ଏଠି ଜଳସେଚନର ସୁବିଧା ନାହିଁ । ତେଣୁ ଜିଲ୍ଳାର ଅଧିକାଂଶ ଚାଷ ଜମିରେ କେବଳ ଖରିଫ ଫସଲ ହୋଇଥାଏ । କୃଷି ବିଭାଗର ସୂଚନା ଅନୁଯାୟୀ, ଜିଲ୍ଲାରେ ରହିଛି ୩ ଲକ୍ଷ ୪୫ ହଜାର ହେକ୍ଟର ଚାଷ ଜମି ରହିଛି । ଏ ବର୍ଷ ୧ ଲକ୍ଷ ୬୮ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ ପାଇଁ ଟାର୍ଗେଟ ରଖିଛି କୃଷି ବିଭାଗ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭାବୀ ବର୍ଷା ଯୋଗୁଁ, ମାତ୍ର ୨୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି ।

ଠିକ୍ ସେମିତି ଧାନ ଚାଷ ପରେ ଜିଲ୍ଲାର ଅନ୍ୟତମ ଅର୍ଥକାରୀ ଫସଲ ହେଉଛି କପା । ୭୦ ହଜାର ହେକ୍ଟର ଜମିରେ କପା ଚାଷ ହେଉଥିବା ବେଳେ, ବର୍ଷା ଅଭାବ ଯୋଗୁଁ ମାତ୍ର ୩୭ ହଜାର ହେକ୍ଟର ଜମିରେ କପା ଚାଷ ହୋଇଛି । ତେଣୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଅଭାବୀ ବର୍ଷା ଯୋଗୁଁ, ଚାଷ କାମରେ ଉତ୍କଟ ସମସ୍ୟା ଦେଖାଦେଇଛି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଆଗାମୀ ୫ ଦିନ ଯାଏଁ କାଁ ଭାଁ ବର୍ଷା; ଚାଷୀଙ୍କୁ ଘାରିଲାଣି ଚାଷ ଚିନ୍ତା...

OTV is now on Whatsapp

Join and get latest news update delivered to you via whatsapp

Join Now