Advertisment

ଦେଶୀ ମାଟିରେ ବାସୁଛି ବିଦେଶୀ ନାଁର ବାସ୍ନା

ଆମେ ଓଡ଼ିଆ ଲୋକ । ଆମ ମାଟିର ନାଁ, ଗାଁ ଠିକଣା ସବୁଥିରେ ଆପଣ ଓଡ଼ିଆ ଓଡ଼ିଆ ବାସ୍ନା ବାରିବେ । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯାହା ସବୁ ବିଦେଶୀ ବିଦେଶୀ ବାସିବ । ଓଡ଼ିଆ ମାଟିରେ ଏ ବିଦେଶୀ ବିରଳ ନାଁ କ’ଣ ପାଇଁ ?

author-image
Santosh Kumar Sahoo
ଅଦ୍ୟତନ ହୋଇଛି
 Foreign Influence in Odisha's Villages

Foreign Influence in Odisha's Villages

ଦେଶୀ ମାଟିରେ ବିଦେଶୀ ନାଁରେ । ଏମିତି ଅନେକ ସ୍ମାରକୀ ଅଛି ଯାହା ଦେଶୀ ନୁହେଁ ବିଦେଶୀଙ୍କ ନାଁ ବହିଛି । ଏଇ ଯେମିତି ରେଭେନ୍ସା କଲେଜ, ସ୍କଟଲ୍ୟାଣ୍ଡପୁର ଗାଁ ଆଉ କର୍ଜନ ମଣ୍ଡପ । ଆମେ ଓଡ଼ିଆ ଲୋକ । ଆମ ମାଟିର ନାଁ, ଗାଁ ଠିକଣା ସବୁଥିରେ ଆପଣ ଓଡ଼ିଆ ଓଡ଼ିଆ ବାସ୍ନା ବାରିବେ । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯାହା ସବୁ ବିଦେଶୀ ବିଦେଶୀ ବାସିବ । ଓଡ଼ିଆ ମାଟିରେ ଏ ବିଦେଶୀ ବିରଳ ନାଁ କ’ଣ ପାଇଁ ? ଆପଣ ଏଇଆ ଭାବୁଥିବେ।

Advertisment

କଟକର ପରିଚୟ ରେଭେନ୍ସା କଲେଜ । ଏହି କଲେଜ ଆଜି ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି । ହେଲେ ବିତର୍କ ଭିତରେ ଛନ୍ଦି ହୋଇଛି ଏହି ନାଁ ପାଇଁ । ବାସ୍ତବରେ ଏହି କଲେଜର ତତ୍କାଳୀନ ଓଡ଼ିଶାର କମିଶନର ନାଁରେ ନାମିତ ହୋଇଛି । ୧୮୬୫ ମସିହାରେ ଏଡଵାର୍ଡ ରେଭେନ୍ସା ଓଡ଼ିଶାର କମିଶନର ଭାବେ ଯୋଗ ଦିଅନ୍ତି । ପରେ ପରେ ନଅଙ୍କ ଦୁର୍ଭିକ୍ଷକୁ ପ୍ରତ୍ୟକ୍ଷ କରେ ଓଡ଼ିଶା । ବିବାଦରେ ଛନ୍ଦି ହୁଅନ୍ତି ରେଭେନ୍ସା ସାହେବ । ନିଜ ତ୍ରୁଟି ସୁଧାରିବାକୁ ସେ ଓଡ଼ିଶାରେ ଇଂରାଜୀରେ ଉଚ୍ଚତର ଶିକ୍ଷା ପାଇଁ ବ୍ୟବସ୍ଥା କରନ୍ତି । ରାଜ୍ୟର ବିଭିନ୍ନ ରାଜ ପରିବାରର ସହାୟତା ମଧ୍ୟ ନିଅନ୍ତି ।

୧୮୬୮ ମସିହାରେ କଟକ ଜିଲ୍ଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ। ନାଁ ଦିଆଯାଏ କଟକ କଲେଜ । ୧୮୭୯ ସାଲରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ଓଡ଼ିଶାର କିଛି ରାଜାମାନଙ୍କୁ କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ ନିବେଦନ କରନ୍ତି। ଅନ୍ୟ ରାଜାମାନଙ୍କ ସହ ମିଶି ମୟୁରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ ଅର୍ଥ ଦାନ କରନ୍ତି। ଆଉ ରେଭେନ୍ସା ସାହେବଙ୍କ ନାଁରେ ଏହାର ନାମକରଣ ପାଇଁ ସୁପାରିସ୍ କରନ୍ତି । ଅତଏବ୍ ରେଭେନ୍ସା ଓଡ଼ିଶାରୁ ବିଦାୟ ନେବା ପରେ ହିଁ ତାଙ୍କ ନାଁରେ ପରିଚିତ ହୁଏ କଟକ କଲେଜ ଅର୍ଥାତ୍ ଆଜିର ରେଭେନ୍ସା କଲେଜ।

Advertisment

କଟକ କଥା ଏଇଠି ରଖି ଚାଲନ୍ତୁ ଭୁବନେଶ୍ବର ଯିବା । ଭୁବନେଶ୍ବର କଥା ପଡ଼ିଲେ ସାମ୍ନାକୁ ଆସିବ ଲିଙ୍ଗରାଜ ମନ୍ଦିର । ଆପଣ ଭାବୁଥିବେ ଏଠି ପୁଣି ବିଦେଶୀ ବାସ୍ନା କୋଉଠି ଅଛି ? ଏଠାରେ ଏମିତି ଏକ ସ୍ଥାନ ଅଛି ଯାହା ଉପରେ ଠିଆ ହୋଇ ବିଦେଶୀ ପର୍ଯ୍ୟଟକମାନେ ଲିଙ୍ଗରାଜ ମନ୍ଦିରକୁ ମନ ଭରି ଦେଖନ୍ତି । ନିଜ କ୍ୟାମେରାରେ ଫଟୋ ଉଠାଇ ସାତ ଦରିଆ ସେ ପାରିକୁ ନେଇ ଯାଆନ୍ତି । ଆଉ ଯାହା ଉପରେ ସେମାନେ ଠିଆ ହୁଅନ୍ତି । ତାର ନାଁ ହେଉଛି କର୍ଜନ ମଣ୍ଡପ ।

ଇଂରେଜ ଶାସନାଧିନ ଭାରତରେ ଭୁବନେଶ୍ବରର ଏହି କିର୍ତ୍ତିଗୁଡିକ ଉପରେ ପ୍ରଥମେ ଦୃଷ୍ଟି ପଡିଥିଲା ଛୋଟଲାଟ୍ ଜନ୍ ଉଡବର୍ଗଙ୍କର । ସେ ଏ ସବୁ ପ୍ରାଚୀନ କିର୍ତ୍ତି ଦେଖି ଅଭିଭୂତ ହୋଇଥିଲେ। ଯାହା ପରବର୍ତ୍ତି ସମୟରେ ବଡଲାଟ୍ ଲର୍ଡ କର୍ଜନଙ୍କୁ ଓଡ଼ିଶା ଟାଣି ଆଣିଥିଲା । ସେ ମଧ୍ୟ ପଥର ଛାତିରେ ଏ ଜୀବନ୍ତ ପ୍ରତିମାଗୁଡିକୁ ଦେଖି ଏହାର ସୁରକ୍ଷା ପାଇଁ ସରକାରୀ ତହବିଲକୁ ଅର୍ଥ ଖର୍ଚ୍ଚ କରିବାକୁ ବ୍ୟବସ୍ଥା କରାଇଥିଲେ । ୧୮୯୯ରୁ ୧୯୦୫ ପର୍ଯ୍ୟନ୍ତ ଭାରତର ବଡଲାଟ୍ ଥିବା କର୍ଜନଙ୍କ ଏହି ଅବଦାନ ପାଇଁ ମଣ୍ଡପଟିଏ ନିର୍ମାଣ ହୋଇଥିଲ ଆଉ ନାଁ ରହିଥିଲା କର୍ଜନ ମଣ୍ଡପ। କେହି କେହି ଏ କଥା ବି କୁହନ୍ତି ଯେ, ଏହା ପରେ ପରେ ଉତ୍କଳ ଗୌରବଙ୍କ ପ୍ରରୋଚନାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାର ବାଟ ମଧ୍ୟ ଫିଟି ଯାଇଥିଲା ।

ଏ ତ ଗଲା ମଣ୍ଡପ ଆଉ କଲେଜର କଥା। କଟକ-ଭୁବନେଶ୍ବରର କଥା। ଚାଲନ୍ତୁ ଟିକେ ତାଳଚେର ଯିବା। ଏଠି ତ କୌଣସି ସ୍ମାରକୀ ନୁହେଁ ପୁରା ପୁରି ଗୋଟାଏ ଗାଁ ବିଦେଶୀଙ୍କ ନାଁରେ ହୋଇଛି। ନାଁ ସ୍କଟଲ୍ୟାଣ୍ଡପୁର । ତାଳଚେରଠାରୁ ମାତ୍ର ୧୨ କିଲୋମିଟର ଆଗକୁ କଲେ । ସୁନ୍ଦର ପରିବେଶ ଭିତରେ ପଡେ ଏ ଗାଁ । ତାରି ଭିତରେ ତାଳଚେର ରାଜାଙ୍କ ଉଆସ । କୁହାଯାଏ ତତ୍କାଳୀନ ତାଳଚେର ରାଜା ପ୍ରମୋଦ ଚନ୍ଦ୍ର ଦେବ ସ୍କଟଲ୍ୟାଣ୍ଡ ବୁଲି ଯାଇଥିଲେ। ସେଠୁ ଫେରିବା ପରେ ସେହି ସ୍ମୃତିର ଚିରକାଳ ଅମଳିନ ରଖିବାକୁ ଏଠାରେ ଏହି ଗାଁ ପ୍ରତିଷ୍ଠା କରିଥିଲେ। ୨୬ ହେକ୍ଟର ପରିମିତ ସ୍ଥାନରେ ଏହି ଗାଁ ରହିଥିବା ବେଳେ ଆଜି ବି ଅନେକଙ୍କୁ ଏହା ବିମୋହିତ କରେ।

Ravenshaw University Special Stroy
Advertisment
Advertisment