/odishatv-khabar/media/post_attachments/uploadimage/library/16_9/16_9_0/E_Bus__1722695957.jpg)
E-Bus
ଭକ୍ତଙ୍କ ସେବାରେ ଲାଗିପାରୁନି ବ୍ୟାଟେରୀ ଚାଳିତ ବସ୍ । ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ବେଳେ ପୁରୀ ଆସିଥିଲା । ସେବେଠୁ ଅଲୋଡ଼ା ହୋଇ ପଡ଼ିରହିଛି । କାମରେ ଆସୁନି, ଖତ ଖାଉଛି ୩୫ଟି ଇ-ବସ୍ । ପୁରୀ ସମଙ୍ଗ ପାର୍କିଂରେ ଅଲୋଡା ପଡ଼ିଛି ୩୫ଟି ଇ-ବସ୍ । ବିଜେଡି ସରକାର ଅମଳରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଶ୍ରୀକ୍ଷେତ୍ରକୁ ଆସିଥିଲା ଏହି ବସ୍ । ଶ୍ରୀମନ୍ଦିର ପ୍ରଶାସନ ଲୋଗୋ ସହ ସାଂସ୍କୃତିକ ଚିତ୍ରରେ ଚିତ୍ରିତ ହୋଇଥିବା ଏହି ନୂଆ ବସର ଭାଗ୍ୟ ଯେମିତି ଠେଲି ହୋଇଯାଇଛି ଅନ୍ଧାରକୁ । ଏବେ ବି ଗାଡ଼ି ଗୁଡ଼ିକର ଚାର୍ଜିଙ୍ଗ ଷ୍ଟେସନ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇନି । ମାତ୍ର ୨ଟି ଚାର୍ଜିଂ ଷ୍ଟେସନର କାମ ସରିଥିବାବେଳେ ଆଉ ୫ଟିର କାମ ଚାଲିଛି । ଚାର୍ଜିଂ ଷ୍ଟେସନର ଅଭାବରୁ ଗଲା ୭ ମାସ ହେଲା ଏମିତି ଅଚଳ ପଡ଼ିରହିଛି ନୂଆ ବସ୍ ଗୁଡିକ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ସମଙ୍ଗ ପାର୍କିଂ ସ୍ଥଳଠୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଏ ଗାଡ଼ି ଗୁଡ଼ିକ ଭକ୍ତଙ୍କୁ ନେଇ ଯାତାୟାତ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଗାଡ଼ିରେ ରହିଛି ୨୫ ସିଟ୍ । ଦିବ୍ୟାଙ୍ଗମାନଙ୍କ ପାଇଁ ରହିଛି ସ୍ବତନ୍ତ୍ର ଲିଫ୍ଟ ବ୍ୟବସ୍ଥା ।ତେବେ ଶ୍ରୀସେତୁରେ ପରୀକ୍ଷାମୂଳକ ଭାବେ ସେତେବେଳେ ଗାଡିଗୁଡିକ ଯାତାୟାତ କରିଥିବାବେଳେ ବେଳେ ଏବେ ଅସଜଡା ଭିତ୍ତିଭୂମି ଯୋଗୁଁ ଅଚଳ ହୋଇ ପଡିଛି । ସେପଟେ ପରିଚାଳନା କମିଟିରେ ନିଷ୍ପତ୍ତି ନିଆଯିବା ପରେ ଏହା କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଆସନ୍ତା ୫ ତାରିଖରେ ବସିବାକୁ ଥିବା ପରିଚାଳନା କମିଟି ବୈଠକରେ ବସ୍ ଗୁଡ଼ିକୁ ରାଜ୍ୟ ପରିବହନ ବିଭାଗକୁ ହସ୍ତାନ୍ତର କରାଯିବ କି ଶ୍ରୀମନ୍ଦିର ପ୍ରଶାସନର ଅଧୀନରେ ରହିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)