• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଅଣସର ପରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ କରି କୃତ୍ୟ କୃତ୍ୟ ଭକ୍ତ । ଆଜି ସକାଳୁ ସକାଳୁ ବଡ଼ଦାଣ୍ଡରେ ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି । ଅନବସର ତାଟି ଫିଟିବା ପରେ ଆରମ୍ଭ ହୋଇଥିଲା ପରମାଣିକ ଦର୍ଶନ । ତେବେ ଘୋଷଯାତ୍ରାର ଦିନକ ପୂର୍ବରୁ ଆଜି ଥିଲା ଭାବମୟ ପରିବେଶ । 

ଆକୁଳ ଭକ୍ତ... ବ୍ୟାକୁଳ ଭକ୍ତ... ଭକ୍ତିରେ ଗଦ୍-ଗଦ ଭକ୍ତପ୍ରାଣ  । ୧୪ ଦିନର ଅଣସର ପରେ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ଭାବ ବିନୋଦିଆ । ଚକା ଆଖିରେ ଆଖି ମିଶାଇ ଲୁହ ଢାଳିଛନ୍ତି ଶ୍ରଦ୍ଧାଳୁ । ଅଶ୍ରୁ ଅଞ୍ଜଳିରେ ଧୋଇ ଦେଇଛନ୍ତି ମହାପ୍ରଭୁଙ୍କ ଶ୍ରୀ ପୟର । ଆଜି ଗୋଟିଏ ଦିନରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନର ବିରଳ ସଂଯୋଗ । ସୁସ୍ଥ ହୋଇ ଅଣସର ଘରେ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂରତି । ଏଭଳି ଅପୂର୍ବ ସୁଯୋଗକୁ ହାତଛଡ଼ା ନକରି, ସକାଳୁ ସକାଳୁ ବଡ଼ଦାଣ୍ଡରେ ଭିଡ଼ ଜମାଇଥିଲେ ଅଗଣିତ ଭକ୍ତଜନ । ଦେଖିବାକୁ ମିଳିଥିଲା ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି । ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲେ ବି, ମହାପ୍ରଭୁଙ୍କୁ ଅତି ପାଖରୁ ଦେଖି ଭାବବିହ୍ବଳ ହୋଇଥିଲେ ସମସ୍ତେ ।

Also Read

ଅଧିକ ପଢ଼ନ୍ତୁ: ଘୋଷଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ ସହର; ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ନଜର

ଭକ୍ତଙ୍କ ପ୍ରବଳ ଉତ୍ସାହକୁ ଚଳଚଞ୍ଚଳ ଶ୍ରୀମନ୍ଦିର । ଆଜି ସକାଳୁ ଚକା ଅପସର, ମଙ୍ଗଳ ଆରତି, ମଇଲମ, ଅବକାଶ ,ଦଶାବତାର ଠାକୁର ବାହୁଡ଼ା ବିଜେ ପରେ ଫିଟିଥିଲା ଅନବସର ତାଟି। ତା ପରେ ସମୟ ନୀତି ନିର୍ଘଣ୍ଟ ଅନୁଯାୟୀ ପ୍ରଥମେ ପରମାଣିକ ଦର୍ଶନ ଓ ପରେ ଭିତର କାଠ ନିକଟରେ ଦର୍ଶନ ଦେଇଥିଲେ ଭାବଗ୍ରାହୀ । ଏହାପରେ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ । 

ଏପଟେ ଘୋଷଯାତ୍ରା ପାଇଁ ଆଜିଠୁ ଭାବଭକ୍ତିରେ ଉଛୁଳିଲାଣି ବଡ଼ଦାଣ୍ଡ । ଶୁଭିଲାଣି ଘଣ୍ଟଘଣ୍ଟା, ମୃଦଙ୍ଗର ଧ୍ବନି । ଜୟଧ୍ବନିରେ ଗୁଞ୍ଜରିତ ହେଲାଣି ଗଗନପବନ। ସଜେଇ ହେଲାଣି ବଡ଼ଦାଣ୍ଡ... ମନ ମୋହିଲାଣି ସୁସଜ୍ଜିତ ତିନି ରଥ । କାଲି ଭୀଷଣ ଗହଳିରେ କାଳେ ରଥକୁ ଆଖି ପୂରେଇ ଦେଖିହେବନି, ସେଥିପାଇଁ ଆଜି ଖୁବ୍ ନିକଟରୁ ରଥର ସୌନ୍ଦର୍ଯ୍ୟକୁ ନିରେଖି ଦେଖୁଛନ୍ତି ଶ୍ରଦ୍ଧାଳୁ । 
ସେ ବଡ଼ ରଥରେ ସିନା କାଲି ବିରାଜିବେ କାଳିଆ ସାଆନ୍ତ । କିନ୍ତୁ ଆଜିଠୁ ବଡ଼ଦାଣ୍ଡରେ ଗଡ଼ିଲାଣି କୁନି ଭକ୍ତର କୁନି ରଥ, ସେଠି ବିରାଜିଲେଣି ମଣିମା ।..

ଏବେ ଅପେକ୍ଷା କାଲିର ସେ ମହାର୍ଘ ମୁହୂର୍ତ୍ତକୁ । ମହାପ୍ରଭୁଙ୍କ ଦୋଳାୟମାନ ଟାହିଆକୁ । ରଥର ଘର୍ଘର ନାଦ ସହ ଭକ୍ତିପୁତ ଜନସମୁଦ୍ରର ଭାବମୟ କୋଳାହଳକୁ । 

ଓଟିଭି ବିଜ୍ଞାପନ