ମନ୍ଦିରରେ ମହୁମାଛି ଆକ୍ରମଣ । ଶ୍ରଦ୍ଧାଳୁମାନଙ୍କୁ ଗୋଡାଇ ଗୋଡାଇ ମାରିଲେ ବାଘୁଆ ମହୁମାଛି । କାହା ହାତକୁ ତ ଆଉ କାହା ମୁହଁକୁ, ଯୋଉଠି ପାଇଲେ ବିନ୍ଧିଲେ । ଆଜି ମହାବିଷୁବ ସଂକ୍ରାନ୍ତିରେ ଗଜପତି ଜିଲ୍ଲା ମୋହନା ଚନ୍ଦ୍ରଗିରି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହୁମାଛି ଆକ୍ରମଣରେ ୨୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତ ଶ୍ରଦ୍ଧାଳୁମାନେ ଚନ୍ଦ୍ରଗିରି ଶୈବ ପୀଠକୁ ଦର୍ଶନ ପାଇଁ ଯାଇଥିବାବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ୨୧୫ କୋଟି
ମହାବିଷୁବ ସଂକ୍ରାନ୍ତି ଅବସରରେ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଶୈବ ପୀଠରେ ବେଶ୍ ଉତ୍ସବମୁଖର ପରିବେଶ ଥିଲା । ଚନ୍ଦ୍ରଗିରି ଗାଁ ସମେତ ଦୂରଦୂରାନ୍ତରୁ ବହୁସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରିବାକୁ ଆସିଥିଲେ । ଏହି ସମୟରେ ମନ୍ଦିର ପରିସରରେ ଏକ ଗଛରେ ଥିବା ବାଘୁଆ ମହୁମାଛି ଅତର୍କିତ ଭାବେ ଶ୍ରଦ୍ଧାଳୁମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଶ୍ରଦ୍ଧାଳୁମାନେ ଜୀବନ ବିକଳରେ ଯୁଆଡେ ପାଇଲେ ସିଆଡେ ଧାଁ ଦୌଡ କରିଥିଲେ ।
ତେବେ ଏହି ମହୁମାଛି ଆକ୍ରମଣରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ କିଛି ଛୋଟ ଶିଶୁ ମଧ୍ୟ ରହିଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।