• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ରତ୍ନଭଣ୍ଡାର ଖୋଲାଯାଇ ଦୁଇଟି ପର୍ଯ୍ୟାୟରେ ଅଳଙ୍କାର ସ୍ଥାନାନ୍ତରଣକୁ କିଛିଦିନ ପରେ ମାସେ ପୂରିଯିବ । ହେଲେ ଏଯାଏଁ ଆଗେଇ ପାରିନି ଭଣ୍ଡାର ଗୃହ ମରାମତି କି ଅଳଙ୍କାର ଗଣତି ପ୍ରକ୍ରିୟା । କାରଣ ଏଥିରେ ବାଧକ ସାଜିଛି, ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ଥିବା ଚର୍ଚ୍ଚା । ଯଦିଓ ଏହା ଜାଣିବାକୁ ଭିତର ଭଣ୍ଡାର ଲେଜର ସ୍କାନିଂ ପାଇଁ ଅଳଙ୍କାର ତଦାରଖ କମିଟି ସରକାରଙ୍କୁ ପ୍ରସ୍ତାବ ଦେଇଛି । ହେଲେ ସେନେଇ ନିଷ୍ପତ୍ତିରେ ବିଳମ୍ବକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ । ତେଣେ ଆଇନମନ୍ତ୍ରୀ କହିଛନ୍ତି- ସିନ୍ଦୁକ, ଆଲମାରୀ ଏସଓପି ନିଷ୍ପତ୍ତି ହୋଇଛି, ଖୁବଶୀଘ୍ର ମରାମତି ଆରମ୍ଭ ହେବ।

ଏସଓପି ହେଲା ଅଳଙ୍କାର ସ୍ଥାନନ୍ତର ବି ସରିଲା, ତଥାପି କାହିଁକି ଏଏସ୍ଆଇକୁ ହସ୍ତାନ୍ତର ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର ? କିଏ ଓ କାହିଁକି ଅବଲମ୍ବନ କରୁଛି ଟାଳଟୁଳ ନୀତି ? ରତ୍ନଭଣ୍ଡାର ଭିତରେ ଆହୁରି ଅଧିକ କୋଠରୀ ଓ ଗୁପ୍ତ ସୁଡଙ୍ଗ ଥିବା ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇବାକୁ ଅଳଙ୍କାର ତଦାରଖ ହାଇଲେବଲ କମିଟି, ଅତ୍ୟାଧୁନିକ ଉପାୟ ଅବଲମ୍ବନ କରିବାକୁ ରାଜ୍ୟ ସରକାରଙ୍କୁ ଗତ ୫ ତାରିଖରୁ ପ୍ରସ୍ତାବ ଦେଇ ସାରିଲାଣି, ହେଲେ ରତ୍ନଭଣ୍ଡାର ଭିତର ରହସ୍ୟ ଭେଦିବାରେ ବେଳକୁ ବେଳ ବିଳମ୍ବ ହେବାରେ ଲାଗିଛି । ଯାହାକୁ ନେଇ ବୁଦ୍ଧିଜୀବୀ ଓ ଜଗନ୍ନାଥ ଭକ୍ତ ବି ପ୍ରଶ୍ନ ଉଠାଇଲେଣି ।


ଗତ ୨ଶହ ବର୍ଷ ଭିତରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ମରାମତି ହୋଇଥିବା ନଜିର ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଶ୍ରୀମନ୍ଦିର ଗବେଷକ ଭାସ୍କର ମିଶ୍ର କହିଛନ୍ତି, ଶେଷଥର ପାଇଁ ୧୯୦୯ ମସିହାରେ ସଂମ୍ପୂର୍ଣ୍ଣ ରତ୍ନଭଣ୍ଡାର ଖାଲି ହୋଇଥିଲା ଓ ବେହରଣ ଦ୍ୱାର ପାଖରେ ଅଳଙ୍କାର ସବୁ ସଫା ହୋଇ ପୁଣି ଯଥାସ୍ଥାନରେ ରଖାଯାଇଥିଲା । ୧୯୭୮ ମସିହାରେ ଅଳଙ୍କାର ଗଣତି ଓ ମରାମତି ବେଳେ ବି ଭଣ୍ଡାର ଘର ମରାମତି ହୋଇନି । ତେବେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଥିବା କଥା କୌଣସିଠାରେ ଉଲ୍ଲେଖ ନାହିଁ ବୋଲି ବି ସ୍ପଷ୍ଟ କରିଛନ୍ତି ଭାସ୍କର ମିଶ୍ର ।

ତେଣେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମକୃଷ୍ଣ ଦାସ ମହାରାଜା କହିଛନ୍ତି- ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ସିନ୍ଦୁକ ଓ ଆଲମିରା ସବୁକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯିବ । ତାପରେ ଯଇ ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗକୁ ଭଣ୍ଡାର ଘର ହସ୍ତାନ୍ତର କରାଯିବ । ଆଇନମନ୍ତ୍ରୀ ବି କହିଲେଣି- ସିନ୍ଦୁକ, ଆଲମାରୀ ସ୍ଥାନାନ୍ତର ଏସଓପି ଉପରେ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ସେ କାମ ସରିଲେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ । ଆଉ ଏଭଳି ସ୍ଥିତିରେ ଐତିହ୍ୟ ବିଶେଷଜ୍ଞଙ୍କ ମତ, ଏଏସଆଇ ଭିତର ରତ୍ନଭଣ୍ଡାରର ମରାମତି ଉପଠାଉରିଆ ନକରି ଦୀର୍ଘସ୍ଥାୟୀ କରୁ ।

ଗୋଟିଏ ପଟେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ରେ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତରକୁ ପାଖାପାଖି ମାସେ ପୂରିବାକୁ ବସିଲାଣି । ତେଣୁ ଏବେ ପ୍ରଶ୍ନ କେବେ ଆରମ୍ଭ ହେଉଛି ରତ୍ନଭଣ୍ଡାରର ଲେଜର ସ୍କାନିଂ ସାଙ୍ଗକୁ ମରାମତି କାମ ?

  • Reported by:
  • MADHUSUDAN MISHRA , KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now