/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727022891.jpg)
Bridge Problem
ସରିଗଲା ଅବଧି । କିନ୍ତୁ ଶେଷ ହେଲାନି ବ୍ରିଜ୍ ନିର୍ମାଣ କାମ । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି କାମ ସରୁନି । ୨୦୧୯ରୁ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ଡେଡଲାଇନ୍ ଥିଲା ୨୦୨୩ । ଏହା ଭିତରେ ୫ ବର୍ଷ ବିତିଗଲାଣି । ତଥାପି କାମ ସାରି ପାରିଲାନି ଠିକା ସଂସ୍ଥା । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର କାଳିଗିରି ସେତୁର ମନ୍ଥର କାମକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଚରମ ହେଲାଣି । ବର୍ଷା ଦିନ ଆସିଲେ ଆପ୍ରୋଚ ରୋଡରେ ଲହଡ଼ି ଭାଙ୍ଗୁଛି ପାଣି । ଅନ୍ୟ ଦିନେ ଧୂଳିଧୂଆଁ। ଖାଲଖମା ରାସ୍ତାରେ ଯାଆସରେ ନୟାନ୍ତ ହେଲେଣି ଅଞ୍ଚଳବାସୀ।
ଏହି ରାସ୍ତାରେ ଭୁବନେଶ୍ବରରୁ ପ୍ରତିଦିନ ପଶ୍ଚିମ ଓଡ଼ିଶାକୁ ଶହ ଶହ ଗାଡ଼ି ମୋଟର ଯା’ଆସ କରୁଛି । ସେହିପରି ବାଘମାରୀ, ଭାପୁର, କଣ୍ଟିଲୋ ଅଞ୍ଚଳର ବହୁ ଗାଁ ଲୋକ ନିର୍ଭରଶୀଳ। କାଳିଗିରି ବ୍ରିଜ ପୂର୍ତ୍ତ ବିଭାଗ ଅଧିକାରୀ ବିଳମ୍ବକୁ ସ୍ବୀକାର କରିଥିବା ବେଳେ ଏଇ ବର୍ଷ ସୁଦ୍ଧା କାମ ସରିବ ବୋଲି କହିଛନ୍ତି ।
ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବର ଆଉ ଏକ ଚିତ୍ର ଦେଖିବାକୁ ମିଳିଛି ନିଆଳିରେ । ୨୦ ବର୍ଷ ହେବ କାମ ଚାଲିଛି । କିନ୍ତୁ ଲୋକଙ୍କ କାମରେ ଆସୁ ନାହିଁ । କଟକ ଜିଲ୍ଲା ନିଆଳି ବ୍ଲକ କାଠଯୋଡିର ଶାଖା କନ୍ଦଳନଦୀର ବିଳାସୁଣୀଠାରେ ଥିବା ଏହି ବ୍ରିଜରେ କେବେ ଚଳାଚଳ ଆରମ୍ଭ ହେବ ଉତ୍ତର କାହା ପାଖରେ ନାହିଁ । କାରଣ ଏଯାଏଁ ହୋଇ ପାରିଲାନି ବ୍ରିଜର ସଂଯୋଗିକରଣ ରାସ୍ତାଟିଏ । ଅଭିଯୋଗ ହୋଇଛି, ରାସ୍ତା ଯିବାକୁ ଥିବା ଜମି ମାଲିକଙ୍କୁ ଉଚିତ ମୂଲ୍ୟ ନ ମିଳିବାରୁ ସେମାନେ ଯାଗା ଦେଉ ନାହାନ୍ତି ।
କନ୍ଦଳ ନଦୀ ଉପରେ ଥିବା ଏହି ବ୍ରିଜ ଉପରେ ନିର୍ଭର କରୁଛନ୍ତି କଟକ ସମେତ ଜଗତସିଂପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଲୋକ। ୨୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବ୍ରିଜ କାମ କେବେ ସରିବ ? ଏନେଇ ପ୍ରଶାସନର ପ୍ରତିକ୍ରିୟା ମିଳି ନାହିଁ। ବ୍ରିଜ ନିର୍ମାଣ ଶୀଘ୍ର ନସାରିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଲୋକ ଚେତେଇ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)