Advertisment

Puri News: ଜଗା ଭକ୍ତଙ୍କ ଆସ୍ଥା ସହ ଖେଳ; ଭୋଗ କହି ପୁରୀ ସହର ସାରା ବେଧଡ଼କ୍ ବିକ୍ରି ହେଉଛି ଖଜା

ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ।

undefined

Mahaprasad Sales at Srimandir in Puri

Advertisment

‘ଖଜା’ ଶବ୍ଦଟି ତୁଣ୍ଡରେ ଆସିବା ମାତ୍ରେ ଜିଭ ଲାଳେଇ ଯାଏ। ନିଆରା ସ୍ବାଦ ଲାଗି ସମଗ୍ର ଦେଶରେ ପୁରୀ ଖଜାର ପ୍ରସିଦ୍ଧି ରହିଛି। ଏମିତିକି ମହାପ୍ରସାଦ ସଂସ୍କୃତିରେ ଏହାର ବିଶେଷ ମହତ୍ତ୍ୱ ମଧ୍ୟ ରହିଥିବାରୁ ସରକାର ଏହାକୁ G.I. ଟ୍ୟାଗ୍ ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ହେଲେ ଦିନକୁ ଦିନ ଖଜାର ମାନ ହ୍ରାସ ସହ ଭୋଗ ନାଁରେ ଭକ୍ତଙ୍କ ଆସ୍ଥା ସହ ଖେଳକୁ ନେଇ ଚିନ୍ତା ପ୍ରକାଶ ପାଇଛି। 

Advertisment

ଜଗା ଦର୍ଶନ ପାଇଁ ଆସିବ, ଘରକୁ ଖଜା ଭୋଗ ଯିବନି? ଫେରିବା ବେଳେ କିଛି ନେଉ ବା ନନେଉ ପରିବାର, ପ୍ରିୟଜନଙ୍କ ପାଇଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତଟିଏ ଖଜା ପୁଟୁଳି ବାନ୍ଧିବା ନିଶ୍ଚିତ। ହେଲେ ସାବଧାନ। ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଖଜାକୁ ଭୋଗ ଭାବୁଛନ୍ତି କି ? ଭାବୁଥିଲେ ହୋଇଯାଅନ୍ତୁ ସାବଧାନ! ଶ୍ରୀମନ୍ଦିର ବାହାରେ ଲାଭ ଆଶାରେ ଭକ୍ତଙ୍କ ଆସ୍ଥା ସହ ଖେଳୁଛନ୍ତି କିଛି ଅସାଧୁ ବ୍ୟବସାୟୀ। ମହାପ୍ରସାଦ ନାଁ କହି ଆଗନ୍ତୁକଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି। ଖାଲି ଜଗନ୍ନାଥଙ୍କ ଭୋଗ କହି ଭଣ୍ଡାଉ ନାହାନ୍ତି ଓଜନ ମାପରେ ବି ଦୁଇଗୁଣ ଲୁଟୁଛନ୍ତି। ଡିଜିଟାଲ ଓଜନ ମାପକ ଯନ୍ତ୍ରର ଯେଉଁ ଭିଡିଓ ଭାଇରାଲ ହୋଇଛି ,ତାହା ସ୍ପଷ୍ଟ କରିଛି ଯେ କିଛି ଲାଭଖୋର ବ୍ୟବସାୟୀ ମେସିନ ଟ୍ୟାମ୍ପରିଂ କରି ବି ଲୋକଙ୍କୁ ପ୍ରତି କିଲୋରେ ୩୫୦ରୁ ୪୦୦ ଗ୍ରାମ ପର୍ଯ୍ୟନ୍ତ ଚୁନ ଲଗାଉଛନ୍ତି। ସେପଟେ ଖୋଲାରେ ଖଜା ବିକ୍ରି ହେଉଥିବାରୁ ଫୁଡ୍ ସେଫଟି ଅଫିସର ମଧ୍ୟ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି। ପୁରୀ ଏସପି ବି କହିଛନ୍ତି- ଭକ୍ତଙ୍କୁ ଠକୁଥିବା ବ୍ୟବସାୟୀଙ୍କ ଦୋକାନ ଉପରେ ଚଢ଼ଉ ହେବ।

ଅଧିକ ପଢନ୍ତୁ: ଭୁଶୁଡ଼ିଲା ଯାତ୍ରା ପାର୍ଟିର ଉଚ୍ଚ ଲୁହା ଏଣ୍ଟ୍ରି ଗେଟ୍, ୩୦ରୁ ଅଧିକ ଦର୍ଶକ ଆହତ

Advertisment

ବଡ଼ଦାଣ୍ଡକୁ ମିଶାଇ ପୁରୀ ସହରରେ ପ୍ରାୟ ୩ଶହ ଛୋଟବଡ଼ ଖଜା ଦୋକାନ ରହିଛି। ସେଠି ଚାଲୁ ଖଜାଠୁ ସ୍ପେଶାଲ ପର୍ଯ୍ୟନ୍ତ ବିଭିନ୍ନ ଭେରାଇଟିର ଖଜା ମିଳୁଛି। ଏମିତିକି କିଲୋ ଦେଢ଼ ଶହରୁ ୫ଶହ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ବିକ୍ରି ହେଉଛି। ହେଲେ ସେ ସବୁ ଖଜା କେଉଁ ମାନର ତେଲ ଓ ଘିଅରେ ପ୍ରସ୍ତୁତ ହେଉଛି ? ବାକି ସାମଗ୍ରୀର ମାନ କଣ ? ଏସବୁ ସମ୍ପର୍କରେ ନା ପ୍ରଶାସନ ନା ଭକ୍ତ କାହାରି ପାଖରେ ସୂଚନା ନାହିଁ। ଏମିତିକି ଜଗନ୍ନାଥଙ୍କ ଭୋଗ ନାଁରେ ଏସବୁକୁ ଲୋକଙ୍କୁ ମିଛ କହି ବିକ୍ରି କରାଯିବାସହ ବାସି ଓ ମାଛି ଭଣଭଣ ହେଉଥିବା ଖଜା ମଧ୍ୟ ବିକ୍ରି ଚାଲୁଛି। ସେପଟେ ପୁରୀର ଅନେକ ଖଜା ବ୍ୟବସାୟୀ ମଧ୍ୟ ଖୋଲାମେଲାରେ ଖଜା ବିକ୍ରିକୁ ନାପସନ୍ଦ କରିଛନ୍ତି। ପୁରୀ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି- କେବଳ ଆନନ୍ଦ ବଜାରରେ ବିକ୍ରି ହେଉଥିବା ଖଜା ହିଁ ଜଗନ୍ନାଥଙ୍କ ଭୋଗ, ବାହାରେ ମିଳୁଥିବା ଖଜା ନୁହେଁ। ଯିଏ ଖଜାକୁ ଭୋଗ କହି ବାହାରେ ବିକ୍ରି କରୁଥିବ ତା ବିରୋଧରେ ଆକ୍ସନ ହେବ।

ଗୋଟିଏ ପଟେ ଶ୍ରୀଜଗନ୍ନାଥଙ୍କ ଶୁଖିଲା ପ୍ରସାଦ ଭାବେ ଖଜାର ସ୍ବତନ୍ତ୍ରତା ରହିଛି ତ ଅନ୍ୟପଟେ ରାଜ୍ୟ ସରକାର ଏହାକୁ ଜି.ଆଇ. ଟ୍ୟାଗ ମାନ୍ୟତା ଦେବାକୁ ପଦକ୍ଷେପ ନେଇଛନ୍ତି। ଏଭଳି ସ୍ଥିତିରେ ପୁରୀରେ ନିମ୍ନ ମାନର ଖଜା ପ୍ରସ୍ତୁତି ଓ ବିକ୍ରି ଉପରେ ଅଙ୍କୁଶ ନଲାଗିଲେ ଏହାର ମାନ ଓ ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିବା ନିଶ୍ଚିତ। 

Advertisment
Puri Srimandir Mahaprasad Puri News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ