• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଯୁଗ ବଦଳିଛି, ବଦଳିଛି ମଣିଷର ଚିନ୍ତା ଓ ଚେତନା । ହେଲେ ଆଧୁନିକ ବୈଜ୍ଞାନିକ ଯୁଗରେ ବି, ମଣିଷ ମନରେ ବସା ବାନ୍ଧିଛି ରୁଢିବାଦୀ ଚିନ୍ତାଧାରା । ଜଡ଼ ହୋଇ ରହିଯାଇଛି ଜାତିବାଦ । ଭିନ୍ନ ଜାତିରେ ବାହା ହୋଇଥିବାରୁ ବାସନ୍ଦ ଭୟରେ ଶବ ଛୁଇଁବାକୁ ସାହାସ କରିନାହାନ୍ତି ଖୋଦ୍ ପରିବାର ଓ ସଂର୍ପକୀୟ । ଫଳରେ ହସପିଟାଲ ବାରଣ୍ଡାରେ ପ୍ରାୟ ୧୦ ଘଣ୍ଟା ଧରି ପଡ଼ିରହିଥିଲା ଶବ ।

ଦିନ ପ୍ରାୟ ୧୧ଟା । ଭୀମଭୋଇ ମେଡିକାଲ କଲେଜ୍ ଆଣ୍ଡ ହସପିଟାଲର ମେଡିସିନ ବିଭାଗ ବାରଣ୍ଡାରେ ପଡିରହିଥିଲା ମୃତଦେହ । କେହି ପାଖ ମାଡୁନଥିଲେ । ମାଆ, ପତ୍ନୀ, ଭାଇ, ପାଖରେ ସମସ୍ତେ ଥିଲେ, ହେଲେ ଶବ ଛୁଇଁବାକୁ କାହାର ଜୁ ନଥିଲା । ବିଳମ୍ବିତ ରାତିରୁ ସକାଳ ଯାଏଁ, ଜୀବନ ଯିବାର ପାଖାପାଖି ୧୦ ଘଣ୍ଟା ଯାଏଁ ଅନ୍ୟ ରୋଗୀଙ୍କ ମଧ୍ୟରେ ସଂସ୍କାର ପାଇଁ ସେମିତି ଅପେକ୍ଷା କରିଥିଲା ୫୦ ବର୍ଷୀୟ ଉପେନ୍ଦ୍ରଙ୍କ ମରଶରୀର । ହସପିଟାଲ କର୍ତ୍ତୃପକ୍ଷ ବି ଯେମିତି ସବୁ ଜାଣି ନିରବ । ଶେଷରେ ସ୍ବେଛାସେବୀ ସଂଗଠନର କିଛି କର୍ମକର୍ତ୍ତା ଆଗେଇ ଆସି ଶବ ସତ୍କାର କରିଥିଲେ। ପରେ ଅଧୀକ୍ଷକ କହିଥିଲେ, ତଦନ୍ତ ହେବ ।

କାହିଁକି ମରଶରୀର ଛୁଇଁନଥିଲେ ଉପେଦ୍ରଙ୍କ ପରିବାର ? ନିଜର ମୃତଦେହ ନେବାକୁ ପଛଘୁଞ୍ଚା ଦେଲେ କାହିଁକି ? ବଲାଙ୍ଗୀର ସଇଁତଲା ବ୍ଲକ୍ ବରାହଗୁଡା ବାସିନ୍ଦା ଉପେନ୍ଦ୍ର ବଗର୍ତ୍ତି ଅନ୍ୟ ଜାତିରେ ବାହା ହୋଇଥିଲେ। ତେଣୁ ଗାଁ ଲୋକ ପୁରା ପରିବାରକୁ ବାସନ୍ଦ କରିଥିଲେ। ଏପରିକି ମୃତ୍ୟୁ ଖବର ପାଇବା ପରେ ଗାଁକୁ ଶବ ନଆଣିବା ପାଇଁ ତାଗିଦ ବି କରିଥିଲେ। ତେଣୁ ମୃତଦେହକୁ ଛୁଇଁବାକୁ କାହାର ସାହସ ନଥିଲା। ଛଳ ଛଳ ଆଖିରେ ମାଆ କହିଥିଲେ, ପୁଅର ଶବସତ୍କାର ତ କରିପାରିଲିନି, ଏବେ ଜାତି ଆଗରେ ହାଜର ହେବାକୁ ପଡିବ । ବୋଦା, କୁକୁଡା, ଟଙ୍କା ଓ ମଦ ଦେଇ ଜାତି ହେବ, ନହେଲେ ନିଆଁପାଣି ବନ୍ଦ ।

  • Reported by:
  • MANARANJAN JOSHI