Death of Patients
ଅଳ୍ପ କିଛି ଘଣ୍ଟା ଭିତରେ ଛଅ ଛଅ ଜଣ ରୋଗୀଙ୍କ ମୃତ୍ୟୁ ପରେ, ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ପୁଣି ବିବାଦରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ । ଭୁଲ ଇଞ୍ଜେକ୍ସନ ଯୋଗୁଁ ସର୍ଜରୀ ଆଇସିୟୁ ଓ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ସଂପର୍କୀୟ । ଏହାକୁ ନେଇ ମେଡିକାଲ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଭୁଲ୍ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗକୁ ଡିନ୍ ଖଣ୍ଡନ କରିଛନ୍ତି । ଏପଟେ ତଦନ୍ତ ପାଇଁ SCB ଓ MKCGରୁ କୋରାପୁଟକୁ ଯାଇଛି ୨ଟି ଡାକ୍ତରୀ ଟିମ୍ ।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଅଭିଯୋଗ । ଜଣେ ନର୍ସ ଆସିଥିଲେ... ଇଞ୍ଜେକ୍ସନ୍ ଫୋଡ଼ିଲେ... କେଉଁ ରୋଗୀ ଗୋଡ଼ହାତ ଛାଟିପିଟି ହେଲେ ତ କିଏ ବେହୋସ୍ ହୋଇଗଲେ... ଆଉ ୧୦-୧୫ ମିନିଟ୍ ଭିତରେ ସବୁ ଦିନ ଲାଗି ଆଖି ବୁଜିଦେଲେ । ରୋଗୀ ମୃତ୍ୟୁକୁ ନେଇ ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ, ପୁଣି ସନ୍ଦେହ ଘେରରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ।
ଅଧିକ ପଢ଼ନ୍ତୁ: ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, 'ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ'
ଗତରାତିରେ କୋରାପୁଟ ମେଡିକାଲ କଲେଜରେ ମାତ୍ର କେଇ ଘଣ୍ଟା ଭିତରେ ୬ ଜଣ ରୋଗୀଙ୍କ ଅଚାନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କିଏ ଦୁର୍ଘଟଣାର ଶିକାର ହୋଇଥିଲେ, କାହାକୁ ଛୁରାମାଡ଼ ହୋଇଥିଲା, ଆଉ କିଏ କ୍ୟାନ୍ସର ଆକ୍ରାନ୍ତ ଥିଲେ । ସର୍ଜରୀ ଆଇସିୟୁରେ ୪ ଜଣ ଓ ସର୍ଜରୀ ୱାର୍ଡରେ ୨ ଜଣଙ୍କୁ ଭର୍ତ୍ତି କରାଯାଇଥିଲା । କେଉଁ ରୋଗୀଙ୍କର ଅସ୍ତ୍ରୋପଚାର ବି ସରିଥିଲା, ତ କିଏ କଥା ହେଉଥିଲେ ଓ ଖାଇବାକୁ ବି ମାଗୁଥିଲେ । ଗୁରୁତର ହୋଇ ମେଡିକାଲ ଆସିଥିଲେ ବି, ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଆପାତତଃ ସ୍ଥିର ଥିବାରୁ ସେମାନେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶାବାଦୀ ଥିଲେ ସଂପର୍କୀୟ । ହେଲେ ରାତି ଡ୍ୟୁଟିରେ ଥିବା ନର୍ସ ଇଞ୍ଜେକ୍ସନ ଦେବା ପରେ ରାତି ୧୧ଟାରୁ ସାଢ଼େ ୧୧ଟା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଭୋର୍ ୩ଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରାତିରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ଟାଉନ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।
ରୋଗୀ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ୍ କଲେଜ୍ ଡିନ୍ । କହିଛନ୍ତି- ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଭୁଲ୍ ଇଞ୍ଜେକ୍ସନ୍ ଦିଆଯାଇନାହିଁ । ଅଭିଜ୍ଞ ଷ୍ଟାଫ୍ ଥିଲେ ଏବଂ ପ୍ରୋଟୋକଲ୍ ଅନୁସାରେ ସବୁକିଛି ହୋଇଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ, ସରଜମିନ୍ ଛାନଭିନ୍ ପାଇଁ କଟକ SCB ଓ ବ୍ରହ୍ମପୁର MKCGରୁ ଦୁଇଟି ଡାକ୍ତରୀ ଟିମ୍ କୋରାପୁଟ ଯାଇଥିବା DMET ସୂଚନା ଦେଇଛନ୍ତି ।
କେବଳ ଏଇ ଘଟଣା ନୁହେଁ, ପୂର୍ବରୁ ୱାର୍ଡ ଭିତରେ ମୂଷା ଉପଦ୍ରବ, ଏପରିକି ରୋଗୀଙ୍କ ବେଡରେ ମୂଷା ଚାଲୁଥିବା ଘଟଣାକୁ ନେଇ ଚର୍ଚ୍ଚିତ ହୋଇଥିଲା କୋରାପୁଟ୍ ମେଡିକାଲ୍ କଲେଜ । ଏଥିସହ ଡାକ୍ତର ଅଭାବ ଓ ଚିକିତ୍ସା ଅବହେଳାକୁ ନେଇ ବି ବିଭିନ୍ନ ସମୟରେ ଅଭିଯୋଗ ହୋଇଛି।
ତେବେ ଏହି ବିଶ୍ବାସ ଓ ଭରସାକୁ ଅତୁଟ ରଖିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗକୁ କେଉଁ ପଦକ୍ଷେପ ନିଆଯାଉଛି, ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749048104.jpg)