ଘୋ ଘୋ ଗର୍ଜନ କରି ଜଳଣ୍ଡାରରୁ ଜଳ ଲିକ୍... ତେଲେଙ୍ଗିରି ତଳମୁଣ୍ଡରେ କୋକୁଆ ଭୟ । ଜୟପୁର ରାଣିଗଡ଼ ସ୍ଥିତ ତେଲେଙ୍ଗିରି ଜଳଭଣ୍ଡାରରୁ ପାଣି ଲିକ୍। ଫଳରେ ତଳମୁଣ୍ଡକୁ ବହୁମାତ୍ରାରେ ପାଣି ନିଷ୍କାସିତ ହେଉଛି । ଖବର ପାଇ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେପଟେ ଜଳ ନିଷ୍କାସନ ହେବା ଦ୍ୱାରା ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି ।
Also Read
ପ୍ରଖର ବେଗରେ ଅହରହ ବାହାରି ଚାଲିଛି ଅଜସ୍ର ପାଣି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ଅନ୍ତର୍ଗତ ରାଣୀଗଡ଼ ସ୍ଥିତ ତେଲେଙ୍ଗିରି ବହୁମୁଖୀ ଜଳସେଚନ ପ୍ରକଳ୍ପ। କୋଲାବ ଉପରେ ତିଆରି ହୋଇଥିବା ଏହି ନଦୀବନ୍ଧରେ ମୋଟ ୩ଟି ଗେଟ୍ ଥିବା ବେଳେ, ପ୍ରଥମ ସ୍ଲୁଇସ୍ ଗେଟ୍ରୁ ପାଣି ଲିକ୍ ହେଉଛି।
ଏହା ସହ ପଢ଼ନ୍ତୁ: Odisha Politics: ମୁଖ୍ୟମନ୍ତ୍ରୀଙ୍କ ଚରମବାଣୀ, ଚାଷୀଙ୍କ ସହ ଖେଳିଲେ ସିଧା ଝାରପଡ଼ା ଜେଲ୍ !
ସୂଚନା ଅନୁସାରେ, ପ୍ରକଳ୍ପ ନିର୍ମାଣ ସମୟରେ ଏଠାରେ ଥିବା କନଷ୍ଟ୍ରକ୍ସନ ସ୍ଲୁଇସ୍ ବନ୍ଦ କରାଯାଇନଥିଲା। ତେଣୁ ପୂର୍ବରୁ ଅଳ୍ପ ପାଣି ଲିକ୍ ହେଉଥିବା ବେଳେ, ଗତକାଲି ଅପରାହ୍ଣରୁ ଅଚାନକ ଲିକେଜ୍ ପରିମାଣ ବହୁ ଗୁଣ ବଢ଼ିଯାଇଛି । ଯାହାକି କେବଳ ଜଳଭଣ୍ଡାର କର୍ତ୍ତୃପକ୍ଷ ନୁହେଁ, ହଜାର ହଜାର ଚାଷୀଙ୍କର ବି ଚିନ୍ତା ବଢ଼ାଇଛି । ପାଣି ଲିକ୍ ବନ୍ଦ ନହେଲେ, ତଳମୁଣ୍ଡରେ ପ୍ରାୟ ୯ ହଜାର ହେକ୍ଟର ଚାଷଜମିରେ ରବି ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥିପାଇଁ ଜୟପୁର ବ୍ଲକର କେବିଡି ଓ ରାଣୀଗଡ଼ ସହିତ ବୋରିଗୁମ୍ମା ଓ କୋଟପାଡ଼ ବ୍ଲକର ଚାଷୀମାନେ ଚିନ୍ତିତ ଅଛନ୍ତି।
ପଦ୍ମ ଘୁଞ୍ଚିବା ଭଳି ଜାନକୀ ସରକାର ବେଳୁ ଘୁଞ୍ଚି ଘୁଞ୍ଚି ଚାଲିଥିବା ତେଲେଙ୍ଗିିରି ପ୍ରକଳ୍ପକୁ ୨୦୦୦ ମସିହାରୁ ନିର୍ମାଣ କାମ ଆରମ୍ଭ କରିଥିଲେ ଗତ ବିଜେଡି ସରକାର । ତେବେ ଠିକ୍ ୨୦୧୯ ନିର୍ବାଚନ ପୂର୍ବରୁ ଏହାର ଉଦଘାଟନ କରିଥିଲେ ନବୀନ ପଟ୍ଟନାୟକ। ଏଠି ପ୍ରଶ୍ନ ଉଠୁଛି, ତେଲେଙ୍ଗିରି ପାଣି ଲିକ୍ ପଛରେ ରହିଛି କି ନିର୍ମାଣଗତ ତ୍ରୁଟି ? କନଷ୍ଟ୍ରକ୍ସନ ସ୍ଲୁଇସ୍ ବନ୍ଦ ନକରି ଏହାକୁ କାହିଁକି କାର୍ଯ୍ୟକ୍ଷମ କରାଯାଇଥିଲା? ୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ତରବରିଆ ଭାବେ ଏହାକୁ ଉଦଘାଟନ କରିଥିଲେ କି ତତ୍କାଳୀନ ନବୀନ ସରକାର ?
ପାଣି ଲିକେଜ୍ ଅଣାୟତ୍ତ ହେବା ପଛରେ ଦାୟୀ କିଏ? ଏହା ଆକସ୍ମିକ ଘଟଣା ନା ଅବହେଳାର ପରିଣତି ? ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଘଟଣାର ଅନୁଧ୍ୟାନ କରିଥିବା ବେଳେ, ତେଲେଙ୍ଗିରି ଜଳସେଚନ ପ୍ରକଳ୍ପର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କହିଛନ୍ତି- କନଷ୍ଟ୍ରକ୍ସନ ସ୍ଲୁଇସ୍ ବନ୍ଦ କରିବାକୁ ଯୋଜନା ଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିନି । ବିଶାଖାପାଟଣାରୁ ଏକ ବୈଷୟିକ ଟିମ୍ ଆସିଲେ, ଏହାକୁ ଅସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ବ୍ୟବସ୍ଥା ହେବ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ।
ଏହା ସହ ପଢ଼ନ୍ତୁ: Paddy Procurement In Odisha: 'ଧାନ ସଂଗ୍ରହ ନେବ ଉତ୍ସବ ରୂପ, ସଂପୂର୍ଣ୍ଣ ବନ୍ଦ ହେବ କଟନୀ ଛଟନୀ'
- Reported by:
- T GOURISHANKAR