Dahibara Divas
ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ ସହର । ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍ । ଦହି ପାଣିରେ ଡୁବିଥିବା କଅଁଳ ବରା ଉପରେ ମସଲା ଆଳୁଦମ୍ । ଟିକେ ଗରମ ଘୁଗୁନି ତା'ଉପରେ ଛଣା ସେଉ ସହ କଟା ପିଆଜ ଆଉ ଧନିଆ ପତ୍ର । ଏଭଳି ଦହିବରା ଦୋକାନୀ ଠୋଲାରେ ବାଢିବା ବେଳକୁ ପାଟିରୁ ଲାଳ ବୋହି ଆସିଥାଏ ।
ଆଉ ତୁଣ୍ଡରେ ଦେବା ମାତ୍ରେ ମନ ଆଉ ପ୍ରାଣ ଖୁସ୍ ହୋଇଯାଏ । ଖାଇସାରିବା ପରେ ରାଗ-ଖଟାର ଦହି ପାଣି ଯିଏ ପିଇଛି, ସିଏ ଜାଣିଛି ଏହାର ନିଆରା ସ୍ବାଦ । ସକାଳେ ଜଳଖିଆ ହେଉ କି ଦ୍ବିପ୍ରହର ଲଂଚ୍ ଅବା ସନ୍ଧ୍ୟାରେ ପାଟି ସୁଆଦ । ଦହି ବରା-ଆଳୁ ଦମ୍ ର ଡିମାଣ୍ଡ କାହିଁରେ କଣ ।
ଏହା ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ଆଉ ରୁଚିର ଖାଦ୍ୟ । ଅପରପକ୍ଷେ ଓଡିଶାରେ କଟକି ଦହିବରା ଆଳୁଦମର ରହିଛି ସବୁଠି ଆଦର । ପାଖାପାଖି ୭୦ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ କଟକର ଲାଇଫ ଲାଇନ ପାଲଟିଛି । ବର୍ତ୍ତମାନ କଟକରେ ରହିଛନ୍ତି ସହରରେ ଛୋଟବଡ ପାଖାପାଖି ହଜାରେରୁ ଅଧିକ ବ୍ୟବସାୟୀ ।
ଏହି ବ୍ୟବସାୟରେ ଦିନକୁ ଦିନ ଆହୁରି ଅନେକ ସାମିଲ ହେଉଛନ୍ତି । ଏମିତିକି ଗଳିକନ୍ଦିରେ ଉଠାଦୋକାନୀରୁ ଉଠି ଦହିବରା-ଆଳୁଦମ୍ ଫାଇଭ୍ ଷ୍ଟାର ହୋଟେଲରେ ପହଞ୍ଚିସାରିଲାଣି । ଏହା ଭୋଜିଭାତରେ ମଧ୍ୟ ପ୍ରମୁଖ ଷ୍ଟାଟର ପାଲଟିଗଲାଣି । ପ୍ରତିବର୍ଷ ମାର୍ଚ୍ଚ ୧ ତାରିଖରେ ପାଳିତ ହେଉଛି ଦହିବରା ଆଳୁଦମ ଦିବସ ।
ଆଜି ବୋଟ୍ କ୍ଲବ ପରିସରରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିବା ବେଳେ ବିଶ୍ବସ୍ତରରେ ପହଁଚିଥିବା ଏହି ଡିସ୍ ର ମଜା ଉଠାଇଥିଲେ କଟକ ବାସିନ୍ଦା । ଏହାରି ଭିତରେ ଦହିବରାକୁ ଜିଆଇ ଟ୍ୟାଗ୍ ପାଇଁ ଦାବି ଜୋର ଧରିଛି । ଏପଟେ ଭୁବନେଶ୍ବରରେ ତିଆରି ହୋଇଛି ବିଶ୍ବର ସବୁଠୁ ବଡ ଦହିବରା । ୫୦ କିଲୋ ଓଜନର ଏହି ଦହିବରାକୁ ରେକର୍ଡ ବୁକରେ ସ୍ଥାନ ଦେବାକୁ ଉଦ୍ୟମ କରିଛି ଦହିବରା ଏକ୍ସପ୍ରେସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740841388.jpg)