Migrant Labourers: ପିଠିରେ ଗରିବୀ ବୋଝ, ପେଟରେ ଭୋକର ଜ୍ୱାଳା! ରାତି ଅଧରେ ଦାଦନ ପରିବହନ

କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ ।

Migrant Labourers

ଦାନା ପାଇଁ ଦାଦନ ଯାଇ, କେତେ ଯେ ମଣିଷ ଶବ ପାଲଟିଗଲେଣି, ତଥାପି ବଦଳୁନି ବ୍ୟବସ୍ଥାର ଚିତ୍ର । ନାନା ଆଲୋଚନା, ନାନା ଯୋଜନା ସତ୍ତ୍ୱେ ଦାଦନ ଦହନରୁ ମିଳୁନି ଉପଷମ । ନିଇତି ଦାଦନଙ୍କୁ ବୋହି ରାଜ୍ୟ ବାହାରକୁ ଦୌଡୁଛି ଟ୍ରେନ୍ । ଭୋକର ଭୂଗୋଳ ବଲାଙ୍ଗିରରୁ ନିଇତି ଛୁଟୁଛି ଦାଦନ ଏକ୍ସପ୍ରେସ । କଣ୍ଟାବାଞ୍ଜିରୁ ଟ୍ରେନ୍ ଧରି ଦାନା ପାଇଁ ହାଇଦ୍ରାବାଦକୁ ଦାଦନ ଯାଉଛନ୍ତି ଶ୍ରମିକ ।

କିଏ ପରିବାରକୁ ସାଙ୍ଗରେ ନେଇଯାଉଛନ୍ତି ତ ଆଉ କିଏ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ଦାଦନ ଯାଉଛନ୍ତି । କଣ୍ଟାବାଞ୍ଜି ରେଳ ଷ୍ଟେସନ ପ୍ଲାଟଫର୍ମରେ ଆଖି ଯେ ପର୍ଯ୍ୟନ୍ତ ପାଉଛି, ସେ ଯାଏଁ ଲମ୍ବିଛି ଦାଦନ ଶ୍ରମିକଙ୍କ ସୁଅ । ପେଟରେ ଭୋକର ଜ୍ୱାଳା । ପିଠିରେ ଗରିବୀର ବୋଝ । ଆଉ ବା କ’ଣ କରିଥାନ୍ତେ, ଶେଷରେ ଭିଟାମାଟିକୁ ପର କରି ଥଣ୍ଡା ଆଉ ଜାଡ଼ ଭିତରେ ରାତି ଅଧିଆ ବାହାରିଛନ୍ତି ଟ୍ରେନରେ ।

ଗତ ରାତି ତମାମ କଣ୍ଟାବାଂଜି ଷ୍ଟେସନରେ ଦେଖିବାକୁ ମିଳିଥିଲା ଶ୍ରମିକ ପରିବହନର ଏଭଳି ଦୃଶ୍ୟ । ତାହାରି ଭିତରେ ଭୋକିଲା ମଣିଷଙ୍କୁ ପଚାରିବାରୁ ସିଧା ସିଧା କହିଥିଲେ, କାମ ନାହିଁ କି ମଜୁରୀ ନାହିଁ । ତେଣୁ ଯାଉଛୁ ଇଟା ଗଢ଼ିବାକୁ । ଚା’ଖଣ୍ଡେ ପେଟକୁ ଦି’ ମୁଠା ଦାନା ସନ୍ଧାନରେ ରାଜ୍ୟ ବାହାରକୁ ବଲାଙ୍ଗିର ସମେତ ସାରା ପଶ୍ଚିମ ଓଡ଼ିଶାରୁ ନିଇତି ଦୌଡ଼ୁଥିବା ଏହି ମଣିଷଙ୍କୁ ରୋକିବ କିଏ ? ଶାସନ ଅଛି ସତ, କିନ୍ତୁ ଏଠି ତ ପ୍ରଶାସନ ହିଁ ଢିଲା ।

ଅଧିକ ପଢନ୍ତୁ: ପ୍ରଭୁ ହନୁମାନଙ୍କ ଭଳି ନାଚିଲେ ଅଭିନବ ଆରୋରା, ଭାଇରାଲ ହେଲା ଭିଡ଼ିଓ

ସେଥିପାଇଁ ଦାଦନ କଳଙ୍କର ଟୀକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ଥମୁନି ଦାଦନ ଶ୍ରମିକଟିଏ ଶବ ପାଲଟି ଯାଉଥିବାର ସଂଖ୍ୟା । ଏ ଯେମିତି ବେଲପଡ଼ା ବ୍ଳକ ବାଗଦୋର ଗାଁର ଅମ୍ବିକା ତାଣ୍ଡି । ସ୍ୱାମୀଙ୍କ ସହ ବାହାର ରାଜ୍ୟକୁ ଯାଇଥିଲେ ଦାଦନ ଖଟି । କିନ୍ତୁ ଦାନା କମ୍-କାମ ଅଧିକ ପାଇଁ ରୋଗରେ ପଡ଼ି ଶେଷରେ ଆଖିବୁଜିଲେ ଅମ୍ବିକା । ପାଟଣାଗଡ଼ ବ୍ଳକ୍ ତମିଆଁ ଗାଁର ପୁରଣ କୁମୁରି । ସେ ବି ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ।

ଦାଦନ ପ୍ରବଣ ଟିଟିଲାଗଡ଼ ଉପଖଣ୍ଡରେ ଗତ ୨ ଦିନ ଭିତରେ ୩ ଜଣ ଏବଂ ପାଟଣାଗଡ଼ ଉପଖଣ୍ଡରେ ୩ ଦିନରେ ୨ଜଣ ଦାଦନ ଶ୍ରମିକ ଶବ ହୋଇ ଫେରିଲେଣି । ଦାଦନ ଚାଲାଣ ରୋକିବା ପାଇଁ ଗଠନ ହୋଇଛି ଟାକ୍ସଫୋର୍ସ । ବଲାଙ୍ଗିର ଜିଲ୍ଳା ପ୍ରଶାସନ କହୁଛି, ଆମେ ସଚେତନ କରୁଛୁ, ଲୋକଙ୍କୁ କାମ ଯୋଗାଉଛୁ । କିନ୍ତୁ ଗ୍ରାଉଣ୍ଡ ଜିରୋରେ ଏସବୁ କଥା, ଫମ୍ପା ମାଠିଆ ପାଲଟିଛି ।

ବଲାଙ୍ଗିର ଜିଲ୍ଳା ପରିଷଦ କାର୍ଯ୍ୟାଳୟ ଆଗରେ କୋଡ଼ି, କୋଦାଳ ସହ ଗାଣ୍ଡୁଆ ଧରି ଏଭଳି କାମ ମାଗିବାକୁ ଆସିଥିଲେ ଶ୍ରମିକ । କିନ୍ତୁ, କାମର ନାଁ ଗନ୍ଧ ନାହିଁ। ଶ୍ରମିକଙ୍କୁ ୩ ଶହ ଦିନର କାମ ଯୋଗାଇବାକୁ ସରକାରୀ ନିର୍ଦ୍ଦେଶ ସତ୍ତ୍ୱେ ଦଲିଲ ଦସ୍ତାବିଜରେ କାମ ବଣ୍ଟାଯାଉଛି ସିନା ହିତାଧିକାରୀଙ୍କ ହାତକୁ କାମ ନାହିଁ । ପଚାରିଲେ ଅଧିକାରୀଙ୍କ ଟାଣ ଉତ୍ତର, ସଚେତନ କରୁଛୁ, କାମ ଦେଉଛୁ ।

ଅଧିକ ପଢନ୍ତୁ: ଯେମିତି ସ୍ପିଡ୍ ସେମିତି ଆତ୍ମଘାତୀ, ଭାରତୀୟ ସ୍ଥଳସେନାରେ 'ଖଡ୍ଗ'