• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦାଉ ସାଧିଲା ଦାନା । ବାତ୍ୟା ମାଡ଼ରେ କେତେ ଘାଇଲା ହୋଇଛି ତିନି ଜିଲ୍ଲା କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଓଟିଭି । ସବୁଆଡ଼େ ଅଣଚାଶ ପବନ ମାଡ଼ରେ ଶୋଇଯାଇଛି ବହୁ ପୁରୁଣା ଓ ବଡ଼ ଗଛ ସହ ବିଦ୍ୟୁତ୍ ଖୁଣ୍ଟ । କେଉଁଠି ଲୋକଙ୍କ ଘର ଉପରେ ପଡିଛି ତ ପୁଣି କେଉଁଠି ରାସ୍ତା ଉପରେ । ଧାନ ଫସଲକୁ ବି ବଡ଼ କ୍ଷତି ପହଞ୍ଚାଇଛି ସାମୁଦ୍ରିକ ଝଡ଼ । କିଛି ଗାଁ ବର୍ଷାରେ ଜଳବନ୍ଦୀ ବି ହୋଇଛି ।

ଲ୍ୟାଣ୍ଡଫଲ୍ ବେଳେ ବାତ୍ୟା ଦାନା କେମିତି ରଚିଛି ତାଣ୍ଡବ.. କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା, ରାଜନଗର, ବଗପାଟିଆ, ଜମ୍ବୁ ହେଉ କି ଭଦ୍ରକ ଜିଲ୍ଲାର ଧାମରା, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକ । ସବୁଠି ଭୀଷଣ ବାତ୍ୟା ଛାଡ଼ିଛି ପ୍ରଳୟର ପଦଚିହ୍ନ । କେଉଁଠି ଉଡ଼ି ଯାଇଛି ଘରର ଛପର, ତ କେଉଁଠି ବଡ଼ ବଡ଼ ଗଛ ଧରାଶାୟୀ ହୋଇ ରାସ୍ତା ଓ ଘର ଉପରେ ପଡ଼ିଛି ।

ବହୁ ଯାଗାରେ ଇଲେକ୍ଟ୍ରି ଖୁଣ୍ଟ ଉପୁଡ଼ି ପଡ଼ିବାରୁ ବିଦ୍ୟୁତ୍ ସରୋବରାହ ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ଦେବନାରାୟଣପୁର ଗାଁରେ ଜଣେ ବୃଦ୍ଧଙ୍କ ଘରେ ପଡିଛି ବିଶାଳକାୟ ଗଛ । ବାତ୍ୟା ବେଳେ ଜୀବନ ବଞ୍ଚାଇବାକୁ ସଂପୃକ୍ତ ବୃଦ୍ଧ ଓ ତାଙ୍କ ପତ୍ନୀ ସିନା ପାଖ ଘରେ ଆଶ୍ରୟ ନେଇଗଲେ ହେଲେ ତାଙ୍କ ଝାଟିମାଟିର ବାସ ଖଣ୍ଡକ କିନ୍ତୁ ବଞ୍ଚିଲାନି ।

ଆଉ କ୍ୟାମେରା ଆଗରେ ଦୁଃଖ ବଖାଣିଲା ବେଳକୁ ନିଜ କୋହକୁ ରୋକିପାରି ନଥିଲେ ବିପନ୍ନ ବୃଦ୍ଧ । ଘର ଉପରେ ଧରାଶାୟୀ ଗଛର ଚିତ୍ର ଆହୁରି ଚିନ୍ତାଜନକ ଭଦ୍ରକ ବାସୁଦେବପୁର ନିକଟ ଉଚ୍ଚଡିଆଁ ଗାଁରେ । ବାତ୍ୟା ବିପନ୍ନ, ଉଚ୍ଚଡିଆଁ ଗାଁରେ ୪ରୁ ଅଧିକ ଲୋକଙ୍କୁ ବାତ୍ୟା ଦାନା ବେଘର କରିଥିବାବେଳେ ପଦ୍ମପୁରରୁ ବାସୁଦେବପୁର ଆସିବା ବାଟରେ ଆମ କ୍ୟାମେରା ଟିମକୁ କମ୍ କଷ୍ଟ ସହିବାକୁ ପଡ଼ିନଥିଲା ।

ରାସ୍ତା ସାରା ବଡ଼ ବଡ଼ ଗଛ ପଡିଥିଲା, ଯାହାକୁ କଟର ଲଗାଇ ଓଡ୍ରାଫ୍ ଟିମ୍ କାଟିବା ପରେ ରାସ୍ତା ପରିସ୍କାର ହୋଇଥିଲା । ସେମିତି ବାତ୍ୟା ଦାନାର କୋପରେ ବାଲେଶ୍ୱର, ଜଳେଶ୍ୱର ଓ କେନ୍ଦ୍ରାପଡ଼ା ସବୁଠି ଉପୁଡ଼ି ପଡିଛି ବର୍ଷ ବର୍ଷର ପୁରୁଣା ଗଛ । କେଉଁଠି ଘର ଉପରେ ପଡ଼ିଛି ତ ଆଉ କେଉଁଠି ରାସ୍ତାରେ । ସେମିତି ସୋରରେ ଅଣଚାଶ ପବନ ମାଡ଼ରେ ଭାଙ୍ଗି ଯାଇଛି ମାଛ ଧରା ଡଙ୍ଗା ।

ନୀଳଗିରିରେ ଲୋକଙ୍କ ଘର ଦୁଆରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟା ଥଇଥାନ ଅଞ୍ଚଳ ବଗପାଟିଆରେ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ଜଳ ନିଷ୍କାସନ ହୋଇ ପାରୁନଥିବାରୁ ୫ଶହରୁ ଅଧିକ ପରିବାରର ୨ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଗାଁ ଦାଣ୍ଡରେ ଚାଲିଛି ୩ଫୁଟ ଉଚ୍ଚର ପାଣି ।

ଜଣେ ନିରାଶ୍ରୟ ଭିନ୍ନକ୍ଷମଙ୍କୁ ଏକ ବଡ଼ ହଣ୍ଡାରେ ବସାଇ ଏମିତି ଢଙ୍ଗରେ ସୁରକ୍ଷିତ ସ୍ଥାନକୁ ଆଣିଥିଲେ ଗାଁ ଲୋକେ । କେବଳ ବଡ଼ କି ପୁରୁଣା ଗଛ ନୁହେଁ, ବାତ୍ୟା କୋପ ଦେଖାଇଥିବା ଅଧିକାଂଶ ସ୍ଥାନରେ ଅଣଚାଶ ପବନ ମାଡ଼ରେ ଶୋଇଯାଇଛି ବିଦ୍ୟୁତ୍ ଖୁଣ୍ଟ । ଉଦଳାରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଗଛ ଉପରେ ପଡିଛି । ସ୍ଥିତି ଯାହା ବିଦ୍ୟୁତ୍ ସରୋବରାହ ଏଠି ଏତେ ଶୀଘ୍ର ସ୍ୱାଭାବିକ ହୋଇନପାରେ ।

ତେଣେ ବାଲେଶ୍ୱର ସହରର ହେଉ କି ଏହାର ଆଖପାଖ ଅଞ୍ଚଳ, ସବୁଠି ସାଜ ସରଞ୍ଜାମ ଧରି ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସେବା ସ୍ୱାଭାବିକ ପାଇଁ ଲାଗିଛନ୍ତି ବିଦ୍ୟୁତ୍ ବିଭାଗ କର୍ମଚାରୀ । ବାତ୍ୟା ଦାନା ମାଡରେ ସବୁଠୁ ବେଶି ଘାଇଲା ହୋଇଛି ଚାଷ ଜମି । କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସ୍ଥିତି । ପବନ ମାଡ଼ରେ ଶହ ଶହ ଏକର ଜମିରେ ଶୋଇ ପଡ଼ିଛି କଞ୍ଚା ଧାନ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସବୁଠି ଧାନ ଓ ପରିବା ଫସଲ ଉପରେ ଦାଉ ସାଧିଛି ଦାନା ।

OTV is now on Whatsapp

Join and get latest news update delivered to you via whatsapp

Join Now