Cuttack Filigree
ଦୀର୍ଘ ବର୍ଷ ଅପେକ୍ଷାରେ ହେବ ଅନ୍ତ । ବିଶ୍ବ ଦରବାରରେ ଚମକିବ କଟକର ତାରକସି କାମ । କଟକ ପ୍ରସିଦ୍ଧ ରୂପା ତାରକସୀର ବହୁଳ ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ୭ କୋଟି ଟଙ୍କା ବ୍ୟୟବରାଦରେ ତାରକସି କମନ୍ ଫେସିଲିଟେସନ ସେଣ୍ଟର ନିର୍ମାଣ କରିବ ପୋଲିସ ହାଉସିଂ କର୍ପୋରେସନ । ଏନେଇ ଟେଣ୍ଡର ବି ସରିଥିବା ବେଳେ, ସିଡିଏ ପେଟାନାଳ ପାଖରେ ୧୦ହଜାର ବର୍ଗଫୁଟର ସ୍ଥାନ ଚିହ୍ନଟ ସରିଛି । ୨୦୨୬ ସେପ୍ଟେମ୍ବର ସୁଦ୍ଧା ଏହାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
ତାରକସୀ କାରିଗରଙ୍କୁ ତାଲିମ, ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର, ନୂଆ ନୂଆ ଡିଜାଇନ ବାବଦରେ ପ୍ରଶିକ୍ଷଣ ଭଳି ସୁବିଧା ସୁଯୋଗ ରହିବ ଏହି ଉତ୍କର୍ଷ କେନ୍ଦ୍ରରେ । ଏହାଛଡା ପ୍ରଦର୍ଶନୀ ଓ ବିକ୍ରି କକ୍ଷ, ଅତ୍ୟାଧୁନିକ ଟୁଲ୍ ରୁମ, କ୍ୱାଲିଟି ଟେଷ୍ଟିଙ୍ଗ ଲାବ୍ ଏବଂ କଟକ ତାରକସି କାମର ଇତିହାସ ସମ୍ପର୍କରେ ଅବଗତ ହେବା ପାଇଁ ଏକ ମ୍ୟୁଜିୟମ ଆଦି ସୁବିଧା ରହିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ଅଧିକ ପଢ଼ନ୍ତୁ: ‘ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍ସିଟିରେ ବଢୁଛି ଅପରାଧ’
ଜିଆଇ ଟ୍ୟାଗ ପାଇଥିବା କଟକର ରୁପା ତାରକସୀ କାର୍ଯ୍ୟର ଝଲକ କଟକ ଦଶହରା ମେଢ଼ ଓ ଅନ୍ୟାନ୍ୟ ସୂକ୍ଷ୍ମ କାରୁକାର୍ଯ୍ୟରେ ଦେଖିବାକୁ ମିଳିଥାଏ । ହେଲେ ପ୍ରୋତ୍ସାହନ ଓ କଞ୍ଚାମାଲ ଅଭାବରୁ ନୂଆ ପୀଢି ଏବି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି । ଏବେ ସିଏଫସି କେନ୍ଦ୍ର ହେବାକୁ ଯାଉଥିବାରୁ ତାରକସି କାରିଗରଙ୍କ ମଧ୍ୟରେ ପୁଣି ଆଶା ସଞ୍ଚାର ହୋଇଛି । ସିଏଫସି ପ୍ରତିଷ୍ଠା ହେଲେ ତାରକସୀ କାରିଗର ଉଚିତ୍ ସମ୍ମାନ ସହ ପ୍ରାପ୍ୟ ମଧ୍ୟ ପାଇବେ, ପ୍ରୋତ୍ସାହନ ମିଳିବ ଏବଂ ପ୍ରଚାର ପ୍ରସାର ବି ହେବ । ଏହାବାଦ ଅତ୍ୟାଧୁନିକ ଜ୍ଞାନକୌଶଳ ତାରକସୀ ଶିଲ୍ପର ବିକାଶରେ ସହାୟକ ହେବ ବୋଲି ଆଶା ରଖିଛନ୍ତି ତାରକସୀ କାରିଗର ।
ଫିଲିଗ୍ରୀ କମନ ଫେସିଲିଟେସନ ସେଣ୍ଟର ପାଇଁ 2024 ଡିସେମ୍ବରରେ କଟକ ଜିଲ୍ଲା ପ୍ରଶାସନ ଏବଂ IIT ଭୁବନେଶ୍ୱର ମଧ୍ୟରେ MOU ସ୍ବାକ୍ଷର ହୋଇଥିଲା । ଏବେ ଏହା ବାସ୍ତବ ରୂପ ନେବାକୁ ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748101303.jpg)