ଆଜିଠୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ ‘ସୁଭଦ୍ରା ଶକ୍ତି ମେଳା’ । ଜନତା ମଇଦାନରେ ମେଳାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାର୍ଚ୍ଚ ୨ ଯାଏଁ ମେଳା ଚାଲିବାକୁ ଥିବାବେଳେ ଏଥିରେ ରାଜ୍ୟବ୍ୟାପୀ ସ୍ବୟଂ ସହାୟକ ଗ୍ରୁପର (SHG) ହଜାର ହଜାର ମହିଳା ସଦସ୍ୟା ସାମିଲ ହେବେ । ବିଭିନ୍ନ ପ୍ରାନ୍ତରୁ ସ୍ବୟଂ ସହାୟକ ଗୋଷ୍ଠୀ ସହ ଉତ୍ପାଦକ ଗୋଷ୍ଠୀ ବି ମେଳାରେ ଅଂଶଗ୍ରହଣ କରି ନିଜ ନିଜର ଉତ୍ପାଦର ପ୍ରଦର୍ଶନ ଓ ବିକ୍ରିବଟା କରିବେ ।
ଅଧିକ ପଢନ୍ତୁ: କାଲିଠୁ ରାଜଧାନୀରେ 'ସୁଭଦ୍ରା ଶକ୍ତି ମେଳା', ବଦଳିଯିବ କି ମିଶନ ଶକ୍ତି ନାଁ ?
ମେଳାରେ ପ୍ରାୟ ୩ ଶହରୁ ଅଧିକ ଷ୍ଟଲରେ ପ୍ରାୟ ୭ ଶହ SHG ମହିଳା ନିଜର ଉତ୍ପାଦ ଓ ଅର୍ଗାନିକ ସାମଗ୍ରୀ ବିକ୍ରି କରିବେ । SHG ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ ସୁଭଦ୍ରା ଶକ୍ତି ମେଳା ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, SHG ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ପ୍ରତିଷ୍ଠିତ କରାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରଥମ ପଦକ୍ଷେପ 'ସୁଭଦ୍ରା ଶକ୍ତି ମେଳା' । ଏଥିରେ ହସ୍ତଶିଳ୍ପ, ଟେରାକୋଟା, ବାଉଁଶ ଶିଳ୍ପ, ହସ୍ତତନ୍ତ ଏବଂ ଘରୋଇ ଆବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ୱେଲନେସ୍ ଉତ୍ପାଦ, ଜୈବିକ ଖାଦ୍ୟ ସାମଗ୍ରୀ, ମସଲା, ମିଷ୍ଟାନ୍ନ ଏବଂ ମିଲେଟ୍-ଭିଭିକ ବ୍ୟଞ୍ଜନ ପର୍ଯ୍ୟନ୍ତ, ଉଚ୍ଚ ଗୁଣବତ୍ତା ଏବଂ ଦୀର୍ଘସ୍ଥାୟୀ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହେବ ।
ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦର୍ଶକମାନେ, ମହିଳା ଉଦ୍ୟୋଗୀମାନଙ୍କଠାରୁ ସିଧାସଳଖ ହାତ ତିଆରି ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇବେ, ଯାହା ସେମାନଙ୍କର ଆର୍ଥିକ ସଶକ୍ତିକରଣରେ ମଧ୍ୟ ସହାୟକ ହେବ । ଏହା ଦର୍ଶକମାନଙ୍କୁ ମିଶନ ଶକ୍ତି ମହିଳାମାନଙ୍କର ସୃଜନଶୀଳତା, ଦକ୍ଷତା ଏବଂ ଉଦ୍ୟୋଗିତା ଦେଖିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।