Advertisment

ରାଜଧାନୀର ପୂଜା ମଣ୍ଡପରେ ନୂଆ ଦୃଶ୍ୟ, ସପତ୍ନୀକ ଆସି ଦୁର୍ଗା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଏବର୍ଷ ଦୁର୍ଗା ପୂଜା ପେଣ୍ଡାଲରେ ନୂଆ ଦୃଶ୍ୟ। ରାଜଧାନୀରେ ବିଭିନ୍ନ ପେଣ୍ଡାଲ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁଠି ତାଙ୍କୁ ମିଳିଛି ସମ୍ବର୍ଦ୍ଧନା।

author-image
Santosh Kumar Sahoo
undefined

Durga Puja

ଆଜି ମୃଣ୍ମୟୀ ଦେବୀଙ୍କ ମହାଷ୍ଟମୀରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମହିଷାମର୍ଦ୍ଦିନୀଙ୍କୁ ଦର୍ଶନ ସହ କୃପା ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଥିରେ ଥିଲେ ପତ୍ନୀ ପ୍ରିୟଙ୍କା ମାରାଣ୍ଡି । ମୁଖ୍ୟମନ୍ତ୍ରୀ ପ୍ରଥମେ ପୁରୁଣା ଭୁବନେଶ୍ବରର ପାଟଣାସାହି ପୂଜାମଣ୍ଡପରୁ ଦର୍ଶନ ଆରମ୍ଭ କରିଥିଲେ। ତାପରେ ସୁନ୍ଦରପଦା, ବରମୁଣ୍ଡା, ନୟାପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ପୁରୁଣା ଷ୍ଟେସନବଜାର ଓ ଲକ୍ଷ୍ମୀସାଗର ପୂଜା ପେଣ୍ଡାଲ ବୁଲି ଦେବୀ ଦର୍ଶନ କରିଥିଲେ ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି- ମା'ଙ୍କ ନିକଟରେ ସେ ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିଛନ୍ତି । ତା ସହ ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟରେ ପରିବର୍ତ୍ତନ ହେଉ ଓ ସମସ୍ତେ ଓଡ଼ିଶାକୁ ପରିବର୍ତ୍ତନ କରିବା ରାସ୍ତାରେ ଯାଆନ୍ତୁ ବୋଲି ଗୁହାରି କରିଛନ୍ତି । ଏହାବାଦ୍ ରାଜ୍ୟବ୍ୟାପୀ ସବୁ ଦୁର୍ଗା ପେଣ୍ଡାଲର ରେଣ୍ଟ ଛାଡ଼ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସପତ୍ନିକ ପାଖରେ ପାଇ ବେଶ୍ ଖୁସି ହୋଇ ସମ୍ବର୍ଦ୍ଧିତ କରିଥିଲେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ।

ତେଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଆଜି ବୁଲିଛନ୍ତି ରାଜଧାନୀର ତିନି ପ୍ରମୁଖ ପୂଜା ପେଣ୍ଡାଲ ରସୁଲଗଡ଼, ସହିଦନଗର ଓ ବରଗଡ଼ । ସାଙ୍ଗରେ ଥିଲେ ମେୟର, ଉତ୍ତର ଭୁବନେଶ୍ବର ବିଧାୟକ ଓ ଅନ୍ୟ ବିଜେଡି ନେତା । ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ପାଇଁ ମାଆଙ୍କୁ ପ୍ରାର୍ଥନା କରିଥିବା ନବୀନ ଧାଡ଼ିକିଆ ପ୍ରତିକ୍ରିୟା ରଖିଥିବାବେଳେ ତାଙ୍କ ମଣ୍ଡପ ବୁଲାକୁ ନେଇ କିନ୍ତୁ ତେଜିଛି ରାଜନୀତି । ଭୁବନେଶ୍ବର ମେୟର କହିଛନ୍ତି- ନବୀନ ଏବେ ବି ଲୋକଙ୍କ ହୃଦୟରେ ଅଛନ୍ତି ଓ ତାଙ୍କର କ୍ରେଜ୍ ଅତୁଟ ରହିଛି ।

Advertisment

ତେଣେ ନବୀନଙ୍କ ମଣ୍ଡପ ବୁଲାକୁ ଅସ୍ବାଭାବିକ ଦର୍ଶାଇ ତେରଛା ବାଣ ମାରିଛି ବିଜେପି । ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆକ୍ଷେପ କରିଛନ୍ତି- ଯିଏ ୨୪ ବର୍ଷ ଧରି ମୋଟେ ପୂଜା ମଣ୍ଡପ ବୁଲି ନଥିଲେ, ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଲୁଥୁବା କଥା ଶୁଣି ସିଏ ବୁଲୁଛନ୍ତି । ଯିଏ ରାବଣପୋଡ଼ି ଉତ୍ସବକୁ ବି ଯିବାକୁ ଅମଙ୍ଗ ହୁଅନ୍ତି, ସେ ଏବେ ନିର୍ବାଚନ ବେଳ ଭଳି ପ୍ରତିଦ୍ବନ୍ଦ୍ବିତା କରି ପେଣ୍ଡାଲ ବୁଲୁଛନ୍ତି । ତାଙ୍କୁ ଲୋକେ କେମିତି ଗ୍ରହଣ କରିବେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୃଥ୍ବୀରାଜ ।

ସେପଟେ ଚଳିତ ବର୍ଷ ଦୁର୍ଗାପୂଜା ପେଣ୍ଡାଲରେ ନୂଆ ଦୃଶ୍ୟ କ୍ରମେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦୁର୍ଗା ଦର୍ଶନକୁ ରାଜନୈତିକ ସମୀକ୍ଷକ କିନ୍ତୁ ଭିନ୍ନ ନଜରରେ ଦେଖୁଛନ୍ତି । ଆଉ ସାଧାରଣ ଲୋକଙ୍କ ମତ ନେତାଙ୍କ ମଣ୍ଡପ ବୁଲାରେ ରାଜନୀତି ନପଶୁ । ଆସନ୍ତାକାଲି ମହାନବମୀରେ ମୁଖ୍ୟମନ୍ତ୍ରୀ, କଟକ ଓ ଦଶହରା ଦିନ ନିଜ ଜିଲ୍ଲା କେନ୍ଦୁଝରର ବିଭିନ୍ନ ପୂଜାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି ।

Naveen Patnaik Durga Puja Mohan Majhi
Advertisment
Advertisment