Vikas Bahan
ଆଜି ରାଜ୍ୟରେ ବିଜେପି ସରକାରର ଏକ ବର୍ଷ ପୂରଣ ହୋଇଛି । ଏହି ଅବସରରେ 'ବିକାଶ ବାହନ'ର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ଏହାର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜିଠୁ ଜୁନ୍ ୨୧ ଯାଏଁ ସାରା ରାଜ୍ୟରେ ଗଡ଼ିବ ବିକାଶ ବାହନ । ୩୧୪ଟି ବ୍ଲକ, ୧୧୫ ଟି ULB ଏବଂ ୫ଟି ପୌର ନିଗମରେ ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ଉପଲବ୍ଧିକୁ ପ୍ରଚାର ପ୍ରସାର କରିବ ଏହି ସ୍ୱତନ୍ତ୍ର ଭ୍ୟାନ୍ । ସରକାରୀ ଯୋଜନାଠୁ ଅପହଞ୍ଚ ଲୋକଙ୍କ ନିକଟରେ ପହଞ୍ଚି ସୂଚନା ପ୍ରସାରଣ କରିବ ।
ଅଧିକ ପଢ଼ନ୍ତୁ: ମୋହନ ସରକାରକୁ ବର୍ଷେ; ଆହ୍ବାନ ଭିତରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ
ସରକାରଙ୍କ ବିକାଶ କଥା ନେଇ ପଞ୍ଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ । ବିକାଶ ବାହନ ମାଧ୍ୟମରେ ବର୍ଷକ ଭିତରେ ମୋହନ ସରକାରଙ୍କ କେତେକ ପ୍ରମୁଖ ଉପଲବ୍ଧି ଯେପରିକି ସୁଭଦ୍ରା ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା, ଅନ୍ତୋଦୟ ଗୃହ ଯୋଜନା, ଯୁବବର୍ଗ ପାଇଁ ଦକ୍ଷତା ବିକାଶ, କୃଷି ସବସିଡି, ଶିଶୁ ବାଟିକା କାର୍ଯ୍ୟକ୍ରମ, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ଅବଗତ କରାଯିବ ।
ବିକାଶ ବାହନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ''ପ୍ରଶାସନକୁ ଜନତାଙ୍କ ଦ୍ୱାର ନିକଟରେ ପହଞ୍ଚାଇବାକୁ ୩୧୪ଟି ବ୍ଲକରେ ବିକାଶ ବାହନ ଗଡ଼ିବ । ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ ଯୋଜନାର ହିତାଧିକାରୀ ଓ ସମ୍ଭାବ୍ୟ ହିତାଧିକାରୀଙ୍କ ସହ ଆଲୋଚନା ହେବ, ମତାମତ ନିଆଯିବ । ଅଭିଯୋଗ ସଂଗ୍ରହ ସହ ଏହାର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଏହା ମାଧ୍ୟମରେ ଲୋକମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜାଣିପାରିବେ ।''
୧୨ ଜୁନ ୨୦୨୪ । ଓଡ଼ିଶାରେ ଆରମ୍ଭ ହୋଇଥିଲା ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ବର୍ଷକ ଭିତରେ ରାଜ୍ୟ ସରକାର ଅନେକ ବଡ଼ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଖୋଲାଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନାରେ କୋଟିଏ ମହିଳାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ, ଚାଷୀଙ୍କୁ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ, ୮୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସାଢେ ୩ ହଜାର ଟଙ୍କା ଭତ୍ତା ଦିଆଯାଇଛି । ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଛି । ଲକ୍ଷପତି ଦିଦି ତିଆରି କରିବା ସହ ପ୍ରଥମ ବର୍ଷରେ ୯ଟି ନିଯୁକ୍ତି ମେଳାରେ ୨୮ ହଜାର ଖାଲି ଥିବା ସରକାରୀ ପଦବି ପୂରଣ ହୋଇଛି ।