୨୦୨୪ ମସିହା ଅଗଷ୍ଟ ୨୩ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପଥୁରା ନିବାସୀ ଲକ୍ଷ୍ମୀକାନ୍ତ ଏବଂ ଜାଗ୍ୱେଶରୀ ବେହେରାଙ୍କର ବଡ ପୁଅ ପ୍ରବୀଣ (ବୟସ ୫ ବର୍ଷ) ମୁଣ୍ଡକୁ ନାଗ ସାପ କାମୁଡ଼ିଥିଲେ ମଧ୍ୟ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଆଣ୍ଟିଭେନମ (ASV) ଦେଇ ନଥିଲେ ।
ଅବସ୍ଥା ଅଧିକ ଗୁରୁତର ହେବା ପରେ ଡାକ୍ତର କ୍ୟାପିଟାଲ ହସ୍ପିଟାଲକୁ ରେଫର୍ କରିଦେଇଥିଲେ । ଏହାପରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ପ୍ରବୀଣଙ୍କୁ ଭୁବନେଶ୍ୱର ଆଣିବା ବାଟରେ ଘଟିଥିଲା ଅଘଟଣ । ଯେଉଁ ଆମ୍ବୁଲାନ୍ସରେ ପ୍ରବୀଣକୁ ଭୁବନେଶ୍ଵର ଅଣା ଯାଉଥିଲା, ପ୍ରାୟ ୧୫ କିଲୋମିଟର ଦୂର ଯିବା ପରେ ସେଥିରେ ଥିବା ଅମ୍ଳଜାନ ସିଲିଣ୍ଡରରୁ ଅମ୍ଳଜାନ ଶେଷ ହୋଇଗଲା । ଅନ୍ୟ ଉପାୟ ନପାଇ ଶେଷରେ ସେହି ଆମ୍ବୁଲାନ୍ସକୁ ପୁଣି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫେରେଇ ନିଆଗଲା ।
Also Read
ପୁନର୍ବାର ଅନ୍ୟ ଏକ ଆମ୍ବୁଲାନ୍ସରେ ପୁଣିଥରେ ପ୍ରବୀଣକୁ ଭୁବନେଶ୍ଵର ଅଣାଯାଇଥିଲା । କିନ୍ତୁ ସେତେବେଳକୁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ୨୦୨୪ ମସିହା ଅଗଷ୍ଟ ୨୪ ତାରିଖରେ ପୋଷ୍ଟମର୍ଟମ କରାଯିବା ପରେ ପ୍ରବୀଣଙ୍କ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସରକାରୀ ଅବହେଳା ଯୋଗୁଁ ପ୍ରବୀଣଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ମିଳିପାରିଲା ନାହିଁ । କାରଣ ସାପ କାମୁଡାରେ ମୃତ୍ୟୁ ହେଲେ ପୀଡିତଙ୍କ ନିକଟତମ ସମ୍ପର୍କୀୟଙ୍କୁ ମିଳୁଥିବା ଅନୁକମ୍ପା ମୂଳକ ୪ ଲକ୍ଷ ଟଙ୍କାରୁ ଏଯାଏଁ ବଂଚିତ ଅଛନ୍ତି ପ୍ରବୀଣଙ୍କ ପରିବାର। ତାଙ୍କ ପରିବାର ଏହି ଅଭିଯୋଗ ଆଣିଛନ୍ତି ।
ଅଧିକ ପଢ଼ନ୍ତୁ : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ‘ବାଜ୍ବଲ୍’ ଦୃଷ୍ଟିକୋଣର ଘଟିବ କି ଅନ୍ତ ?
ପ୍ରବୀଣଙ୍କ ମୃତ୍ୟୁ ଘଟିବାର ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନୁକମ୍ପା ଅର୍ଥ ରାଶି ପାଇଁ ପ୍ରବୀଣଙ୍କ ପରିବାର ବାରଦୁଆର ଶୁଣ୍ଢୀ ପିଣ୍ଡା ହେଉଛନ୍ତି । କ୍ୟାପିଟାଲ ହସ୍ପିଟାଲ ତରଫରୁ ପୋଷ୍ଟ ମର୍ଟମ ହେବାର ଠିକ୍ ସପ୍ତାହକ ଭିତରେ ଅର୍ଥାତ ୩୧ ଅଗଷ୍ଟ ୨୦୨୪ ଦିନ ହିଁ ମେମୋ ନମ୍ବର ୮୪୭୬ ରେ ପୋଷ୍ଟ ମର୍ଟମ ରିପୋର୍ଟ ଦିଆ ଯାଇଥିଲା । ସେଇ ପୋଷ୍ଟ ମର୍ଟମ ରିପୋର୍ଟରେ ପ୍ରବୀଣଙ୍କ ମୃତ୍ୟୁ ବିଷଧର ସାପ କାମୁଡିବା ଜନିତ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି ।
ପ୍ରବୀଣଙ୍କ ବାପା ଲକ୍ଷ୍ମୀକାନ୍ତ ବେହେରା ୨୪ ଅଗଷ୍ଟ ୨୦୨୪ ରେ ସ୍ଥାନୀୟ ଆରଆଇ (RI) ଙ୍କୁ ଜଣେଇ ଦେଇଥିଲେ । ପୋଷ୍ଟ ମର୍ଟମ ରିପୋର୍ଟ ପାଇବା ପରେ ତାହାର ଜେରକ୍ସ କପି ମଧ୍ୟ ଆରଆଇଙ୍କୁ ଦେଇଥିଲେ । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ ପ୍ରବୀଣଙ୍କ ନିକଟତମ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସରକାରୀ ଅନୁକମ୍ପା ଅର୍ଥ ମିଳିନାହିଁ । ଚିଲିକା ତହସିଲଦାର, ଏପରିକି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ମଧ୍ୟ ପ୍ରବୀଣଙ୍କ ବାପା ଲକ୍ଷ୍ମୀକାନ୍ତ ଗୁହାରି କରି ସାରିଛନ୍ତି ।
ପ୍ରବୀଣଙ୍କୁ ଯେଉଁଠି ସାପ କାମୁଡିଥିଲା ସେହି ସ୍ଥାନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲରେ ରହିଛି । କିନ୍ତୁ, ନାଗ ସାପ କାମୁଡିବା ଯୋଗୁଁ ପ୍ରବୀଣଙ୍କ ମୃତ୍ୟୁ ଘଟିବାର ୬ ମାସ ପରେ ମଧ୍ୟ ୪ ଲକ୍ଷ ଟଙ୍କା ସରକାରୀ ଅନୁକମ୍ପା ଅର୍ଥ ମିଳି ପାରିଲାନାହିଁ । ସୂଚନାଯୋଗ୍ୟ ଏହି ଅନୁକମ୍ପା ଅର୍ଥ ରାଶି ବାବଦରେ କାହାରିକୁ ନଗଦ ଟଙ୍କା ମିଳେ ନାହିଁ । ଏହା ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାକୁ ଯାଇଥାଏ ।
ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏହି ଘଟଣାରେ କ୍ଷୋଭ ପ୍ରକାଶ କରି କହିଛନ୍ତି “ପ୍ରବୀଣଙ୍କୁ ଯେଉଁ ନାଗ ସାପ କାମୁଡ଼ିଥିଲା ତାହାକୁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ନେହାଲୋକ ମିଶ୍ର ଉଦ୍ଧାର କରିଥିଲେ । ବାଲୁଗାଁ ପିଏଚସିରେ ପ୍ରବୀଣଙ୍କ ମୁଣ୍ଡକୁ ନାଗ ସାପ କାମୁଡିବା ଜାଣିବା ପରେ ମଧ୍ୟ ଆଣ୍ଟିଭେନମ (ASV) ଦେଇ ନଥିଲେ । ସେହି ଡାକ୍ତରଙ୍କୁ ତାଙ୍କର କର୍ତ୍ତବ୍ୟରେ ଅବହେଳା ପାଇଁ ଗିରଫ କରିବାର ଥିଲା । ସେତେବେଳେ ଡାକ୍ତରଙ୍କ ଅବହେଳାରୁ ଜଣେ ୫ ବର୍ଷର ନିରୀହ ବାଳକର ଜୀବନ ଗଲା । ଏବେ ସରକାରୀ ଅନୁକମ୍ପା ଅର୍ଥ ୪ ଲକ୍ଷ ଟଙ୍କା ଦେବା ପାଇଁ ଯେଉଁ ଅଧିକାରୀ ମାନେ ୬ ମାସରୁ ଅଧିକ ସମୟ ଗଡେଇ ସାରିଲେଣି, ସେମାନଙ୍କ ବିରୁଦ୍ଧରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏ ସଂପର୍କରେ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।