ଆଶିଷ ସିଂ ଆଉ D.S. କୁଟ୍ଟେ । ବିଜେଡି ସରକାର ଏବଂ ପାଣ୍ଡିଆନଙ୍କ ଦୁଇ ବ୍ଲୁ ଆଏଡ୍ ଆଇପିଏସ୍ । ଏବେ ଏହି ଦୁଇ ଅଧିକାରୀଙ୍କ ନୂଆ ଦାୟିତ୍ୱକୁ ନେଇ ପାୱାର୍ କରିଡରରେ ଚର୍ଚ୍ଚା । କାର୍ଯ୍ୟାନୁଷ୍ଠାନ ନା ପ୍ରମୋସନ ? ବିଜେଡି ଅଭିଯୋଗ କରିଛି ଦୁଇ ଅଧିକାରୀଙ୍କ ସହ ବିଜେପିର ଭଲ ସଂପର୍କ ଥିଲା । ପ୍ରମୋସନ ନିର୍ଦ୍ଦେଶ ଏହାକୁ ସ୍ପଷ୍ଟ କରୁଛି । ଜବାବରେ ବିଜେପି କହିଛି, ଆମର ସଂପର୍କ ନଥିଲା ସେଥିପାଇଁ କେନ୍ଦ୍ରକୁ ପଠାଗଲା । ଏସବୁ ଭିତରେ ବଡ଼ ପ୍ରଶ୍ନ, ଅଗଷ୍ଟରୁ ସୋ କଜ୍ ହୋଇଥିଲେ ବି କାହିଁକି ଏ ଯାଏଁ ଆରମ୍ଭ ହୋଇନି ବିଭାଗୀୟ ପ୍ରୋସିଡିଂ?
ଦିନେ ଅର୍ଡର ଦେଉଥିଲେ, ଏବେ ବର୍ଡର ଜଗିବେ! ଡେପୁଟେସନରେ ଗଲେ ପାଣ୍ଡିଆନ ମାର୍କା ଦୁଇ ଆଇପିଏସ ଅଫିସର । ହେଲେ ଏହା କାର୍ଯ୍ୟାନୁଷ୍ଠାନ ନା ପୁରସ୍କାର ? ପାୱାର କରିଡରରେ ଏ ନେଇ ଜୋରଦାର୍ ଚର୍ଚ୍ଚା । ରାଜନୀତି ବି ତେଜିଲା । ପ୍ରମୋସନ କହି ବାଣ ମାରିଲେ ପ୍ରମିଳା । ଆଶିଷ ସିଂଙ୍କୁ ITBP ଆଇଜି ପରେ କୁଟ୍ଟେଙ୍କୁ BSF ଆଇଜି ଭାବେ ମିଳିଛି ନୂଆ ଦାୟିତ୍ୱ ।
ଏମିତି କି ଦୁଇ ଅଧିକାରୀଙ୍କୁ ତୁରନ୍ତ ରିଲିଫ୍ ପାଇଁ ରହିଛି ନିର୍ଦ୍ଦେଶ । ସେପଟେ ଡେପୁଟେସନ ଅର୍ଡର ପରେ ଏହି ବହୁ ଚର୍ଚ୍ଚିତ ଏବଂ ବିବାଦୀୟ ଦୁଇ ଆଇପିଏସଙ୍କୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଛନ୍ତି ସାଂଘାତିକ ଅଭିଯୋଗ । କହିଛନ୍ତି- ପ୍ରମୋସନ ପାଇଥିବା ଅଧିକାରୀଙ୍କ ସହ ବିଜେପିର ଭଲ ସଂପର୍କ ଥିଲା ।
Also Read
ଅଧିକ ପଢନ୍ତୁ:୧୦ ଲକ୍ଷ ଟଙ୍କା କାରବାର ମାମଲା, ଚଞ୍ଚଲଙ୍କୁ ରିମାଣ୍ଡରେ ନେଇ ଜେରା
ବିଜେପି ସ୍ପଷ୍ଟ କରୁ ସେମାନଙ୍କ ସହ କି ସଂପର୍କ ଥିଲା । ବିଜେପି କହିଛି କୌଣସି ବି ଅଫିସରଙ୍କ ସହ ବିଜେପିର ସମ୍ପର୍କ ନଥିଲା । ଅଭିଯୋଗ ସମ୍ପୂର୍ଣ୍ଣ ଅବାସ୍ତବ । ସବୁ ଲୋକ ଜାଣିଛନ୍ତି ଅଫିସରମାନେ କାହା ଲିଙ୍କରେ ଥିଲେ ଆଉ କାହା ପାଇଁ କାମ କରୁଥିଲେ? ସେଥିପାଇଁ ସେମାନଙ୍କୁ କେନ୍ଦ୍ରକୁ ପଠାଇ ଦିଆଯାଇଛି ।
ନିର୍ବାଚନ ସମୟରେ ଉଭୟ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଥିଲା ବିଜେପି । ମିଥ୍ୟା କାରଣ ଦର୍ଶାଇ ଛୁଟି ନେଇ, ନିର୍ବାଚନରେ ବିଜେଡି ପାଇଁ କାମ କରୁଥିବା ନେଇ ଆଶିଷ ସିଂଙ୍କ ବିରୋଧରେ ଅଭିଯୋଗ ଥିଲା । ସେହିପରି ନିର୍ବାଚନ ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡି.ଏସ୍. କୁଟ୍ଟେ! ଏହା ସହ ବିଜେପି ବିଜ୍ଞାପନକୁ ଅନୁମତି ନଦେବାକୁ ନିର୍ବାଚନ ଅଧିକାରୀଙ୍କୁ ଚାପ ପକାଉଥିବା କୁଟ୍ଟେଙ୍କ ବିରୋଧରେ ଅଭିଯୋଗ ଥିଲା ।
ଯେଉଁଥି ପାଇଁ କୁଟ୍ଟେଙ୍କୁ ନିଲମ୍ବନ ସହ ଦିଲ୍ଲୀ ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟକୁ ପଠା ଯାଇଥିଲା । ନିର୍ବାଚନ ପରେ ଉଭୟ ଅଧିକାରୀଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି କରାଯିବା ସହ ଆରମ୍ଭ ହୋଇଥିଲା ବିଭାଗୀୟ ପ୍ରୋସିଡିଂ । ଗତ ଅଗଷ୍ଟରେ ଦୁଇ ଅଧିକାରୀଙ୍କୁ ସୋ କଜ୍ ବି ମଗାଯାଇଥିଲା । କିନ୍ତୁ ୩ ମାସ ପରେ ବି ବିଭାଗୀୟ ତଦନ୍ତ ଆରମ୍ଭ ହୋଇନି । ପୁଣି ଡେପୁଟେସନ ଅର୍ଡର ଏକ ପ୍ରକାର କ୍ଲିନ ଚିଟ୍ ବୋଲି ପାୱାର କରିଡରରେ ବି ଚର୍ଚ୍ଚା ହେଉଛି । କୁଟ୍ଟେ ଏବଂ ଆଶିଷ ସିଂଙ୍କ ଭଳି ଆଉ ଜଣେ ଆଇପିଏସ ଅଧିକାରୀ ରବି କାନ୍ତ ମଧ୍ୟ ଗୃହ ବିଭାଗର ଓଏସଡି ଅଛନ୍ତି । ତାଙ୍କ ବିରୋଧରେ ଆଭିମୁଖ୍ୟ କଣ ହେଉଛି ତାଉପରେ ନଜର ।