• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରକାରୀ ସ୍କୁଲ୍ ରୂପାନ୍ତୀକରଣ ନାଁରେ ଯେଉଁ ଭୁରୁଡ଼ି ମାରୁଥିଲେ ପୂର୍ବତନ ରାଜ୍ୟ ସରକାର, ଧିରେ ଧିରେ ତାର ଅସଲ ରୂପ ପଦାକୁ ଆସୁଛି । 5T ନାଁରେ ଚୂନ ଏବଂ ରଙ୍ଗ ବୋଳି ଚଳାଇଥିବା ତୁଚ୍ଛା ଆତ୍ମପ୍ରଚାର ଧରାପଡ଼ିଛି । ରୂପାନ୍ତରଣ ନାଁରେ ଭୂଆଁ ବୁଲାଣର ଭଣ୍ଡାଭୋଡ୍ । ସରକାରୀ ସ୍କୁଲର ଭିତ୍ତିଭୂମି ବିକାଶ ନାଁରେ 5Tର ଧୂଆଁବାଣ ।

ବାହାରେ ଚମକ, ଚକାଚକ୍ ଦିଶୁଛି ସରକାରୀ ସ୍କୁଲ୍ । ହେଲେ ଭିତରକୁ ଗଲେ ଶିକ୍ଷାଦାନର ବିକଳ ଚିତ୍ର ଦେଖି ମୁଣ୍ଡ ଘୁରେଇବ । ଖସିପଡିଲା ଫାଇଭ୍ ଟି ହାଇସ୍କୁଲର ସ୍ମାର୍ଟ କ୍ଲାସର ସିଲିଂ । ଏଥିରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି । ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁନ୍ଦଳ ପଞ୍ଚାୟତ ମଲିହାଶୁଣି ହାଇସ୍କୁଲରେ ।

୨ ବର୍ଷ ତଳେ ଫାଇଭ୍ ଟି ସ୍କୁଲ ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା । ତେବେ ଗତକାଲି ହଠାତ୍ ଶ୍ରେଣୀ ଗୃହର ସିଲିଂ ଖସିପଡିଥିଲା । ଫଳରେ ୩ ଜଣ ଛାତ୍ରୀ ଆହତ ହୋଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ବଡଚଣା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଛି ।

ସେପଟେ ନିମ୍ନମାନର କାମ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ କରିବାକୁ ବିଧାୟକ ଅମର ନାୟକ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now