/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722090292.jpg)
Malkangiri Airport
ଏୟାରପୋର୍ଟ ଟର୍ମିନାଲରେ କୁକୁର, ରନୱେରେ ଗାଈ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ । ଆଉ କେଉଁଠି ନୁହେଁ, ଖୋଦ୍ ଆମରି ଓଡ଼ିଶାରେ, ମାଲାକାନଗିରିରେ ଅଛି ଏମିତି ଏକ ବିମାନ ବନ୍ଦର । ପୂର୍ବ ସରକାର ବେଳେ ଉଦ୍ଘାଟନର ମାତ୍ର ୭ ମାସ ଭିତରେ ଏୟାରପୋର୍ଟର ଅବସ୍ଥା ଦେଖି ତାଜୁବ୍ ମାଲକାନଗିରିବାସୀ ।
ମାତ୍ର ୭ ମାସ ଭିତରେ ବଦଳିଯାଇଛି ଚିତ୍ର । ସ୍ୱପ୍ନ ପୂରା ହେବାର ନାଟକ ଓ ସ୍ୱପ୍ନ ଭଙ୍ଗର ଦୁଇଟି ଚିତ୍ର ଲୋକଙ୍କ ସାମ୍ନାରେ । ଭୋଟ ବେଳେ ପଛୁଆ ମାଲକାନଗିରିରେ ଏୟାରପୋର୍ଟ ଭେଟି ଭେଳିକିର ନଗ୍ନ ସତ ଏବେ ସମସ୍ତଙ୍କ ସାମ୍ନାରେ । ନିର୍ବାଚନର ଠିକ୍ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା ବିମାନ ବନ୍ଦର । ତେବେ ବିମାନ ବନ୍ଦର ଟର୍ମିନାଲରୁ ରନୱେକୁ ଯାଇଥିବା ରାସ୍ତାର ଦୟନୀୟ ସ୍ଥିତି ଦେଖିଲେ ଆପଣ ତାଜୁବ ହୋଇଯିବେ ।
ଟର୍ମିନାଲରେ ବୁଲା କୁକୁରଙ୍କ ମେଳା ତ ଏୟାରପୋର୍ଟ ଭିତରେ ଚରୁଛନ୍ତି ଗାଈ ପଲ । ପାଚେରୀରୁ କେଉଁଠି ଝରଣା ଭଳି ପାଣି ଝରୁଛି, ତ ସ୍ଥାନେ ସ୍ଥାନେ କେଉଁଠି ପୋଖରୀସମ ଦୃଶ୍ୟ । ୟା ଭିତରେ ଅତି ନିମ୍ନମାନର କାମ ପାଇଁ ଦୁଇ ଦୁଇ ଥର ପାଚେରୀ ଭୁଶୁଡ଼ି ଏୟାରପୋର୍ଟ ପୂରା ଖୋଲାମେଲା । ତେବେ ଏହା ବିମାନବନ୍ଦର ନା ଏୟାରଷ୍ଟିପ୍ ?
ଉଦ୍ଘାଟନ ପରେ ପରେ ବିଶେଷଜ୍ଞଙ୍କ ମତ ଆଧାରରେ ଆମର ଆଶଙ୍କା ଯାହା ଥିଲା ଆଜିକା ଦିନରେ ଏ ସ୍ଥିତି ସେ ଆଶଙ୍କାକୁ ସତ ପ୍ରମାଣିତ କରିଛି । ବିମାନ ବନ୍ଦର ପାଇଁ ଟ୍ରାନ୍ସପୋର୍ଟ ଆସୋସିଏସନ ବା IATA ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ- DGCAର ଅନୁମୋଦନ ଦରକାର । ବିମାନବନ୍ଦର ପରିଚାଳନା ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବା ATC ସହ ଅନ୍ୟ ଉପକରଣ ନିହାତି ଜରୁରୀ । ନିରାପତ୍ତା ବ୍ୟବସ୍ଥା, ଟିକେଟ୍ କାଉଣ୍ଟର ସହ ଯାତ୍ରୀଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ ରହିବା ଉଚିତ ।
ବିମାନରେ ଇନ୍ଧନ ଭରିବା ପାଇଁ ଏଟିଏଫ୍ ରିଜରଭର ଦରକାର । ହେଲେ ଏଠି ସେସବୁ କିଛି ନଥାଇ ବି ତରବରିଆ ଭାବେ ଅତି ନିମ୍ନମାନର କାର୍ଯ୍ୟ ସହ ମାଲକାନଗିରି ବାସିନ୍ଦାଙ୍କ ବିମାନବନ୍ଦରର ସ୍ୱପ୍ନ ପୂରା ହେଲା ବୋଲି କୁହାଗଲା । ଉଦଘାଟନ ପରେ ନିର୍ବାଚନ ପ୍ରଚାର ପାଇଁ ଯାଇ ପୂର୍ବତନ ଫାଇଭ ଟି ଅଧ୍ୟକ୍ଷଙ୍କ ପରି କିଛି ନେତାଙ୍କ ଏୟାରକ୍ରାଫ୍ଟର ବି ଅବତରଣ ଓ ଉଡ଼ାଣ ହେଲା। ତା ପରେ ସବୁ ଠପ୍...ଆରମ୍ଭ ହେଲା ଭଙ୍ଗା ଭୁଶୁଡ଼ା ପର୍ବ। ଆଉ ଏଭଳି ସ୍ଥିତିକୁ ଦେଖି ପୂର୍ବ ସରକାର ଦ୍ୱାରା ଏକଦମ୍ ଠକି ହୋଇ ଯାଇଥିବା ଅନୁଭବ କରି ସ୍ଥାନୀୟ ବାସିନ୍ଦା ବି ଅସନ୍ତୋଷ ପ୍ରକାଶ କରିବା ସହ ନିମ୍ନମାନର କାମର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଏହା ଭିତରେ ସରକାର ବଦଳିଛି । ଆଗାମୀ ଦିନରେ ବର୍ତ୍ତମାନର ସରକାର ଏହି ତଥାକଥିତ ଏୟାରପୋର୍ଟର ସ୍ଥିତି ସୁଧାରି କାର୍ଯ୍ୟକ୍ଷମ କରାଇବା ଦିଗରେ କିଭଳି ପଦକ୍ଷେପ ନଉଛନ୍ତି, ତା ଉପରେ ନଜର ଥିଲା ବେଳେ, ପରିବହନ ମନ୍ତ୍ରୀ କହିଛନ୍ତି ଉଡାଣ ସ୍କିମରେ ହୋଇଥିବା ସବୁ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)