Advertisment

Credit War:କ୍ୟାପିଟାଲ ରିଜିୟନ ରିଂ ରୋଡକୁ ନେଇ ରାଜନୀତି, ଘନେଇଲା ଶ୍ରେୟ ପଲିଟିକ୍ସ

କ୍ୟାପିଟାଲ ରିଜିୟନ ରିଂ ରୋଡକୁ ନେଇ ରାଜନୀତି । ଘନେଇଲା ଶ୍ରେୟ ପଲିଟିକ୍ସ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ଏବଂ ବିଜେପି ପକ୍ଷରୁ ଧନ୍ୟବାଦ ସଭା। ରିଂ ରୋଡ଼ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା କହିଲା ବିଜେଡି

author-image
Manasranjan Mohanty
odisha

odisha

କ୍ୟାପିଟାଲ ରିଜିୟନ ରିଂ ରୋଡକୁ ନେଇ ତେଜିଲା ରାଜନୀତି । ଘନେଇଲା ଶ୍ରେୟ ପଲିଟିକ୍ସ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହା ଡବଲ ଇଞ୍ଜିନର ବିକାଶ ମଡେଲ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ମିଶନ ପୂର୍ବୋଦୟରେ ଓଡିଶାକୁ ଆଉ ଏକ ବଡ ପ୍ରକଳ୍ପ ପାଇଁ ଆଜି ଉଭୟ ରାଜ୍ୟ ସରକାର ଏବଂ ବିଜେପି ପକ୍ଷରୁ ଆୟୋଜନ ହୋଇଥିଲା ଧନ୍ୟବାଦ ସଭା।

Advertisment

ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ରାଜ୍ୟ ଅତିଥି ଭବନରେ ଏକାଠି ହୋଇଥିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ଏକାଧିକ ମନ୍ତ୍ରୀ ବିଧାୟକ ବି ଏକାଠି ହୋଇ ରିଂ ରୋଡ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ ବା CRRR ପାଇଁ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ପାଖରେ ଆମେ ଦାବି କରିଥିଲୁ। ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରହିଛି ଓଡିଶା। ଦେଶ ବିକାଶର ଗ୍ରୋଥ ଇଞ୍ଜିନ ଓଡିଶାକୁ କରିବାକୁ ମୋଦୀଙ୍କ ଲକ୍ଷ୍ୟ ରହିଛି।

ଏପଟେ ବିରୋଧୀ ଦଳ ବିଜେଡି କହିଛି, ରିଂ ରୋଡ଼ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଥିଲା । ଏହା ବିଜେଡି ସରକାରର ପ୍ରକଳ୍ପ । ନିଜେ ନବୀନ ପଟ୍ଟନାୟକ ଏହାର ପରିକଳ୍ପନା କରିବା ସହ କେନ୍ଦ୍ରକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ଜମି ଅଧିଗ୍ରହଣ ପାଇଁ ମଧ୍ୟ ରାଜ୍ୟ ବଜେଟରୁ ୬୦୦ କୋଟି ଟଙ୍କା ଯୋଗାଇ ଦେବେ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଯେଉଁମାନେ ଏବେ ଦାବି କରୁଛନ୍ତି ଓଡ଼ିଶାକୁ ବହୁତ ବଡ଼ ପ୍ରକଳ୍ପ ଭେଟି ଦେଲେ, ସେମାନେ କହିବେ କି ୪ ବର୍ଷ ହେଲା କାହିଁକି କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ଅନୁମୋଦନ ଦେଉ ନଥିଲେ। ଯାହାର ଜବାବ ରଖିଛି ବିଜେପି।

Advertisment

କ୍ୟାପିଟାଲ ରିଜିଅନ୍ ରିଙ୍ଗ ରୋଡ୍ ଅଧୀନରେ ନିର୍ମାଣ ହେବ ଭୁବନେଶ୍ବର ବାଇପାସ୍ । ଏହିି ପ୍ରସ୍ତାବିତ ବାଇପାସ ତିନିଟି ପ୍ରମୁଖ ଜାତୀୟ ରାଜପଥ NH 55, NH 57, NH 655 ସହ ରାଜ୍ୟ ରାଜପଥ ୬୫ ମଧ୍ୟ ସଂଯୋଗ କରିବ। ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଢେଙ୍କାନାଳକୁ ସଂଯୋଗ ଏକପ୍ରକାର ସହଜ ହୋଇଯିବ। ଆର୍ଥିକ, ସାମାଜିକ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ ଏଇ ରାସ୍ତା। କେବଳ ମାଲ ପରିବହନ ନୁହେଁ ଯାତ୍ରୀ ପରିବହନରେ ବି ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ।

୮ ହଜାର କୋଟି ଟଙ୍କାରୁ ଅଧିକ ଟଙ୍କାରେ ନିର୍ମାଣ ହେବାକୁ ଥିବା ଭୁବନେଶ୍ବର ବାଇପାସ୍ ପ୍ରକଳ୍ପକୁ ଆସନ୍ତା ଅଢେଇ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିସହ ଏହି ରାସ୍ତା ଭୁବନେଶ୍ବର, କଟକ ଓ ଖୋର୍ଦ୍ଧା ସହରରେ ଦେଖାଦେଉଥିବା ଟ୍ରାଫିକ ସମସ୍ୟାକୁ ଦୂର କରିବ ବୋଲି ଆଶା କରାଯାଉଛି ।

Odisha
Advertisment
Advertisment