Advertisment

ଦଶହରା ଭିଡ଼ ବେଳେ ବସ୍ ମାଲିକ ସଂଘର ଆନ୍ଦୋଳନ! ବନ୍ଦର ଦେଲେ ଚେତାବନୀ

ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୧୪ଟି ଜିଲ୍ଲାରେ ଆସନ୍ତାକାଲି ସଂଧ୍ୟାରୁ ତା ପରଦିନ ସଂଧ୍ୟା ଯାଏଁ ବସ୍ ସେବା ବନ୍ଦ ପାଇଁ ଘରୋଇ ବସ୍ ମାଲିକ ସଂଘଗୁଡ଼ିକର ଚେତାବନୀ ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Durga Puja

ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ୧୪ଟି ଜିଲ୍ଲାରେ ଆସନ୍ତାକାଲି ସଂଧ୍ୟାରୁ ତା ପରଦିନ ସଂଧ୍ୟା ଯାଏଁ ବସ୍ ସେବା ବନ୍ଦ ପାଇଁ ଘରୋଇ ବସ୍ ମାଲିକ ସଂଘଗୁଡ଼ିକର ଚେତାବନୀ । ଗ୍ରାମାଞ୍ଚଳ ପରିବହନ ସେବା-GPS’ ଅନ୍ତର୍ଗତ ବସ୍‌ଗୁଡ଼ିକୁ ଏବେ କୁଆଡ଼େ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଚଳାଚଳ ପାଇଁ ସରକାର ଯୋଜନା କରୁଥିବା ଅଭିଯୋଗ ଆଣି, ତାର ପ୍ରତିବାଦରେ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Advertisment

ପୂଜା ସମୟରେ ଏଭଳି ଚକା ବନ୍ଦ ଆନ୍ଦୋଳନ ନିଷ୍ପତ୍ତିକୁ ଯାତ୍ରୀ ନାପସନ୍ଦ କରିଥିବା ବେଳେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଏ ସଂପର୍କରେ ଘରୋଇ ବସ୍ ମାଲିକ ସଂଘଗୁଡ଼ିକ ସହିତ ଆସନ୍ତାକାଲି ଆଲୋଚନା କରାଯିବ । ଦଶହରା ଭିଡ଼ବେଳେ ଦାବି ହାସଲ ପାଇଁ ଘରୋଇ ବସ୍ ମାଲିକ ସଂଘର ଆନ୍ଦୋଳନ ତୟାରି ।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସଂଘର ବଡ଼ ନିଷ୍ପତ୍ତି । କାଲିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ରୋକଠୋକ୍ ଚେତାବନୀ । ଭବାନୀପାଟଣାରେ ଏକଜୁଟ୍ ହୋଇଛନ୍ତି ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ ।

Advertisment

ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ AC ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ତା’ସହ ଆସନ୍ତାକାଲି ସଂଧ୍ୟା ୬ରୁ ୮ ତାରିଖ ସଂଧ୍ୟା ୬ ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡ଼ିବନି ବୋଲି ଚେତାବନୀ ଶୁଣାଇଛନ୍ତି ।

ସଂଘଗୁଡିକର ଅଭିଯୋଗ, ପଞ୍ଚାୟତରୁ ବ୍ଲକ୍ ହେଡକ୍ୱାର୍ଟରକୁ ପୂର୍ବ ସରକାର ଅମଳର ‘ଲକ୍ଷ୍ମୀ ବସ୍’ ଚାଲୁଥିଲା । ଏବେ ଯଦି ବ୍ଲକ ଏବଂ ଜିଲ୍ଲା ହେଡ୍‌କ୍ୱାର୍ଟର ମଧ୍ୟରେ ବସ୍ ଚଳାଚଳ କରେ, ତେବେ ସେହି କ୍ଷତି ଆଉ ସହିବା ଅବସ୍ଥାରେ ନାହୁଁ ବୋଲି ସଂଘଗୁଡ଼ିକ ସଫାସଫା ଶୁଣାଇଛନ୍ତି ।

ଫୁଲବାଣୀ, ବାଲିଗୁଡ଼ା ଏବଂ ଟିକାବାଲି ବସ୍ ମାଲିକ ସଂଘକୁ ଆରଟିଓଙ୍କ ଚିଠି । ଯେଉଁଠି ସ୍ପଷ୍ଟ ଭାବେ ବସ୍ ଚଳାଇବା ପାଇଁ ରୁଟ୍ ଚାର୍ଟ ପରିବର୍ତ୍ତନ କରିବା ସହ ବସ୍ ଚଳାଚଳ ସମୟ ଦେବାକୁ କୁହାଯାଇଛି । ଏଭଳି ଭାବେ ଅନ୍ୟାନ୍ୟ ଜିଲ୍ଲାର ବସ୍ ମାଲିକ ସଂଘକୁ ବି ଚିଠି ଆସିଛି । ଯାହାକୁ ବିରୋଧ ସହ ବସ୍ ଚଳାଚଳ ବନ୍ଦ ରଖିବେ ବୋଲି ଚେତାବନୀ ଦେଇଛନ୍ତି ୧୪ ଜିଲ୍ଲାର ଘରୋଇ ବସ୍ ମାଲିକ ।

ତେବେ ପାର୍ବଣ ସମୟରେ ଏଭଳି ନିଷ୍ପତ୍ତିକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ୨୪ ନିର୍ବାଚନ ପୂର୍ବରୁ ଭୋଟ୍ ଗୋଟାଇବାକୁ ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଲକ୍ଷ୍ମୀବସ୍ ସେବା । ସେତେବେଳେ ବି ଯୋଜନାର କାର୍ଯ୍ୟକାରିତା ଏବଂ ସଫଳତାକୁ ନେଇ ଉଠିଥିଲା ପ୍ରଶ୍ନ ।

ଏପରିକି ଘରୋଇ ବସ୍ ମାଲିକ ସଂଘର ତୀବ୍ର ବିରୋଧ ପରେ କେବଳ ପଞ୍ଚାୟତରୁ ବ୍ଲକ୍ ମଧ୍ୟରେ ବସ୍ ଚଳାଚଳ କରୁଥିଲା । ତେବେ ଏଥିଯୋଗୁଁ ୨୦୨୩ ଅକଟୋବର ୧୨ରୁ ୨୦୨୪ ଅଗଷ୍ଟ ୧୯ ମଧ୍ୟରେ ରାଜ୍ୟ ସରକାର ୩୭୪ କୋଟି କ୍ଷତି ସହିଥିବା ପରିବହନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ । ଏବେ ପରିବହନ ମନ୍ତ୍ରୀ କହିଛନ୍ତି ଆସନ୍ତାକାଲି ବସ୍ ମାଲିକ ସଂଘଗୁଡ଼ିକ ସହ ଆଲୋଚନା କରାଯାଇ ସମାଧାନର ବାଟ ବାହାର କରିବୁ ।

Durga Puja
Advertisment
Advertisment