• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜ୍ୟ ବଜେଟ୍ ଗେମ୍ ଚେଞ୍ଜର ନୁହେଁ, ନେମ୍ ଚେଞ୍ଜର । ବିଧାନସଭାରେ ବଜେଟ୍ ଆଲୋଚନା ବେଳେ ଆଜି ଏଭଳି ଢଙ୍ଗରେ ମନ୍ତବ୍ୟ ରଖି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କହିଛନ୍ତି, ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ସରକାର ପୂର୍ବ ବିଜେଡି ସରକାରର ୮୦ ପ୍ରତିଶତରୁ ଅଧିକ ଯୋଜନା ଆପଣାଇଛନ୍ତି ।

ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି ବୋଲି କହିଛନ୍ତି ନବୀନ । ସୁଭଦ୍ରା ଯୋଜନା ଲାଗି ୧ ଲକ୍ଷ କୋଟି ଦରକାର । ମାତ୍ର ବଜେଟରେ ଅଛି ୧୦ ହଜାର କୋଟି । ସେହିପରି ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ୍ ଅପେକ୍ଷାରେ ଅଛନ୍ତି ବୋଲି କହି ନବୀନ ସମାଲୋଚନା କରିଛନ୍ତି ।

ତେବେ ନବୀନଙ୍କୁ ଏକାଧିକ ପ୍ରଶ୍ନ କରିବା ସହ କାଉଣ୍ଟର କରିଛି ଶାସକ ବିଜେପି । ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ସୋହେଲାରେ ଧାନ ବୋନସ୍ ଶହେ ଟଙ୍କା ଘୋଷଣା କିଏ କରିଥିଲେ ? ପିଠା ଯୋଜନା କିଏ କରିଥିଲେ ? ସେ ଜୁମଲା କୁଆଡ଼େ ଗଲା ?

ବିଜୁ ଯୁବ ବାହିନୀ କାହା ଜୁମଲା ଥିଲା ? ଆମେ ନିର୍ବାଚନ ବେଳେ କହିଥିଲୁ । ନିଶ୍ଚିତ ଭାବେ ଚାଷୀଙ୍କୁ କୁଇଣ୍ଟାଲ୍ ପିଛା ୩୧ ଶହ ଟଙ୍କା ମିଳିବ । ୨୪ ବର୍ଷ ଧରି କେନ୍ଦ୍ରର ଯୋଜନାକୁ ଜୁମଲାର ଥୋପ ଦେଇ ଶାସନ ଚଳାଇଥିଲେ । କେବଳ ନାମକରଣ କରି ପୂର୍ବରୁ ସରକାର ଚଳାଉଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।

ସେପଟେ ସ୍ୱାଧିକାର ଭଙ୍ଗ ନୋଟିସକୁ ନେଇ ସରଗରମ ବିଧାନସଭା । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ତାରା ବାହୀନିପତି, ତାରାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ।

ଆଜି ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ହଟ୍ଟଗୋଳ ହୋଇଥିଲା । ଗୃହ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ସେପଟେ ତାରାଙ୍କ ବିରୋଧରେ ପାଲଟା ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ ଇରାଶିଷ ଆଚାର୍ଯ୍ୟ । ବାଚସ୍ପତିଙ୍କ ବିନା ଅବଗତିରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ଆଣିବା ନେଇ ଗଣମାଧ୍ୟମରେ କାହିଁକି ତାରା କହିଲେ ବୋଲି ପଚାରିଛନ୍ତି ଇରାଶିଷ । ତେଣୁ ତାଙ୍କ ବିରୋଧରେ ମଧ୍ୟ ସ୍ୱାଧୀକାର ଭଙ୍ଗ ନୋଟିସ ଗ୍ରହଣ ହେଉ ଏବଂ ସ୍ୱାଧୀକାର ଭଙ୍ଗ କମିଟିକୁ ପଠାଯାଉ ବୋଲି ଇରାଶିଷ କହିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now