• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ । ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଇଛନ୍ତି ଏବଂ ଅକ୍ଲାନ୍ତ ପରିଶ୍ରମ ପାଇଁ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି, ସରକାର କାର୍ଯ୍ୟକର୍ତ୍ତାଙ୍କ ପାଖରେ ଉତ୍ତରଦାୟୀ ଏବଂ କାର୍ଯ୍ୟକର୍ତ୍ତା ଜନତାଙ୍କ ପାଖରେ ।

କାର୍ଯ୍ୟକାରିଣୀରେ ନେତା ଓ କର୍ମୀଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କାଉନସେଲିଂ । ବିଜୟର ଶ୍ରେୟ ଦେଲେ, କିଛି ଟାସ୍କ ବି ଦେଲେ । ଶାସକ ଦଳରେ କର୍ମୀଙ୍କ ଭୂମିକା କଣ ରହିବ, ସେନେଇ ମନ୍ତ୍ର ବି ଦେଇଛନ୍ତି । ରାଜ୍ୟରେ ୨୫ ବର୍ଷ କ୍ଷମତାରେ ରହିବାକୁ ପକାଇଛନ୍ତି ମୂଳଦୂଆ । ରାଜ୍ୟରେ ସରକାର ଗଠନ ପରେ ପୁରୀରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକାରିଣୀକୁ ଉଦଘାଟନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ।

କହିଛନ୍ତି, ଏହି ବିଜୟର ଶ୍ରେୟ କାର୍ଯ୍ୟକର୍ତ୍ତାଙ୍କର । ସରକାର ଓ ମନ୍ତ୍ରୀ କାର୍ଯ୍ୟକର୍ତ୍ତା ପାଖରେ ଉତ୍ତରଦାୟୀ ଏବଂ କାର୍ଯ୍ୟକର୍ତ୍ତା, ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ । ଆଗାମୀ ଦିନରେ ସରକାରଙ୍କ କାମ ଲୋକଙ୍କ ପାଖକୁ ନେଇ ଯିବାକୁ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଦଳ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ ହେବ ବୋଲି ଦୃଢ ସ୍ୱରରେ କହିଛନ୍ତି ନଡ୍ଡା ।

ଏଥିସହ କଂଗ୍ରେସକୁ ଅମରିଲତା ସହ ତୁଳନା କରିବା ସହ ପର ଭରସାରେ ବଞ୍ଚିଥିବା କହି କଟାକ୍ଷ ବି କରିଛନ୍ତି ନଡ୍ଡା । କାର୍ଯ୍ୟକାରିଣୀରେ ବିଜେପିର ଫୋକସରେ ରହିଥିଲା, ରାଜ୍ୟରେ ଆଗକୁ କିଭଳି ବିଜେଡିର ଭୋଟବ୍ୟାଙ୍କ ଭାଙ୍ଗି ନିଜ ଭୋଟବ୍ୟାଙ୍କକୁ ମଜବୁତ କରିବା ।

ସରକାରଙ୍କ ବିଭିନ୍ନ ଲୋକପ୍ରିୟ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା । ରାଜ୍ୟବାସୀ କିଭଳି ଡବଲ ଇଞ୍ଜିନ ସରକାରର ଫାଇଦା ଅନୁଭବ କରିପାରିବେ ସେଦିଗରେ କାର୍ଯ୍ୟ କରିବା । ଅନ୍ୟଦଳରୁ ଆସିଥିବା ନେତାଙ୍କୁ ଥଇଥାନ କରିବା ସହ ଆମଦାନୀ ଓ ଦଳୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ରଖିବା ।

ସେପଟେ କାର୍ଯ୍ୟକାରିଣୀ ପୂର୍ବରୁ ଦଳର ପଦାଧିକାରୀ ବୈଠକରେ ବି ଦଳ ଓ ସରକାରକୁ ନେଇ ହୋଇଛି ଚର୍ଚ୍ଚା ଆଲୋଚନା । ଯେଉଁଥିରେ ଉଠିଛି ‘୩ ସ’ ଥିଓରୀ । ୩ ସ ଅର୍ଥାତ୍ ସରକାର, ସଂଗଠନ ଓ ସାଧାରଣ ଲୋକ । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ହୋଇ କାମ କରିବ ସଂଗଠନ । ଲୋକଙ୍କ ସମସ୍ୟା ଓ ଗ୍ରାଉଣ୍ଡରୁ ସମସ୍ୟା ଆଣି ସଂଗଠନ ସରକାରଙ୍କୁ ଦେବ ଓ ସରକାରଙ୍କ ଯୋଜନା ଲୋକଙ୍କ ପାଖକୁ ନେବ ।

ରାଜ୍ୟରେ ସରକାରଙ୍କ ମାସକର ଉପଲବ୍ଧି ପାଇଁ ବି ଧନ୍ୟବାଦ ଦେଇଥିଲେ ନେତା । କାର୍ଯ୍ୟକାରିଣୀର ପ୍ରଥମ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ସହ ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଛି । ବୈଠକ ପରେ ପୁରୀରେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ତିନି ରଥ ପରିକ୍ରମା କରିଛନ୍ତି ବିଜେପି ସଭାପତି । ନଡ୍ଡାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ସମ୍ବିତ ପାତ୍ର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now