Advertisment

ବିଜେଡି ଗଢ଼ିବ ସରକାର, ହେବ କି ମେଣ୍ଟ ? ମୁଙ୍ଗେରି ଲାଲର ହସିନ୍ ସ୍ୱପ୍ନ ନା ପାଗଳର ପ୍ରଳାପ!!

'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Odisha Politics

'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା । ଖୋଦ୍ ବିଜେଡି ଏହାକୁ ଦେବାଶିଷଙ୍କର ବ୍ୟକ୍ତିଗତ ମତ କହି ନିଜକୁ ଦୂରେଇ ରଖିଥିବା ବେଳେ କଂଗ୍ରେସ କହିଛି ଏହା ମୁଙ୍ଗେରୀଲାଲଙ୍କ ହସିନ୍ ସ୍ୱପ୍ନ ।

Advertisment

ଆଉ ବିଜେପି, ଏହାକୁ ବିଜେଡିର ଦିବାସ୍ୱପ୍ନ କହି ସମାଲୋଚନା କରିଛି । ତା’ସହିତ କେବଳ ନିଜ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଏପରି ବୟାନ ଦେଉଛନ୍ତି ବୋଲି କହିଛି । ୨୪ ନିର୍ବାଚନର ପରାଜୟକୁ ସହଜରେ ଗ୍ରହଣ କରିପାରୁନି କି ବିଜେଡି? ଦିନକ ତଳେ କୁଜଙ୍ଗ ବ୍ଲକ୍ ଆଗରେ ବିରୋଧ ସଭାରେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନରୁ ତାହା ସ୍ପଷ୍ଟ ଜଣାପଡୁଛି ।

ଦେବାଶିଷ କହିଛନ୍ତି, କୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ପାଇଁ ୭ଟି ସ୍ଥାନରେ ଉପନିର୍ବାଚନ ହେବାକୁ ଯାଉଛି । ନବୀନ ବାବୁଙ୍କୁ ଭେଟି କହିଛି, ଯେ ଆପଣ ଏସବୁ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଯିବାକୁ ପ୍ରସ୍ତୁତ ହୁଅନ୍ତୁ । ଆମେ ଜିତିବା । ଯାହା ଫଳରେ ସିଟ୍ ସଂଖ୍ୟା ଆମର ୬୦ ରେ ପହଞ୍ଚିବ । ଆବଶ୍ୟକ ହେଲେ କଂଗ୍ରେସ ସହ ମେଣ୍ଟ କରି ପୁଣି ସରକାର କରିବୁ ।

Advertisment

ନବୀନ ବାବୁଙ୍କୁ କହୁଥିବା ବେଳେ ପାଣ୍ଡିଆନ୍ ବି ସେଠାରେ ବସିଥିବା ସେ କହିଛନ୍ତି । ପ୍ରଶ୍ନ ଉଠୁଛି ସଭାମଂଚରେ ଦେବାଶିଷଙ୍କ ଏଭଳି ଭାଷଣ ପଛରେ ସୁପ୍ରିମୋଙ୍କ ସିଗନାଲ୍ ନାହିଁ ତ? ନା କର୍ମୀଙ୍କୁ ଏକାଠି ରଖିବା ଲାଗି ଏହା ଏକ ରଣନୀତି? କୁଜଙ୍ଗ ସଭାରେ ଭାଷଣକୁ ନେଇ ରାଜନୀତି ତେଜିବା ପରେ ଆଜି ପୁଣି ପ୍ରତିକ୍ରିୟା ଦେଇ ଦେବାଶିଷ କହିଛନ୍ତି ଏହା ମୋର ବ୍ୟକ୍ତିଗତ ମତ ।

ସେପଟେ ସଭାରେ ବସିଥିବା ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ରାଜନୀତିରେ କିଛି ବି ହୋଇପାରେ । ଅନ୍ୟପକ୍ଷରେ ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଅନେକ ନୂଆ ସମୀକରଣକୁ ନେଇ ଅନେକ ଆଲୋଚନା ହୁଏ କିନ୍ତୁ ଦଳର ଏହି ନିଷ୍ପତ୍ତି ନୁହେଁ । ସେହିପରି ବିଜେଡି ଏହାର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ X ରେ ଲେଖିଛି, ଏକ ଗଠନମୂଳକ ବିରୋଧୀ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ବିଜୁ ଜନତା ଦଳକୁ ଓଡ଼ିଶାର ଜନସାଧାରଣ ଭୋଟ୍ ଦେଇଛନ୍ତି ।

ବିଜେଡି ଲୋକଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଏଦିଗରେ କାର୍ଯ୍ୟ ଜାରି ରଖିଛି । ଦଳର ସାଂସଦ ଦେବାଶିଷ ସାମନ୍ତରାୟ ରଖିଥିବା ପ୍ରତିକ୍ରିୟା ତାଙ୍କର ବ୍ୟକ୍ତିଗତ ମତ, ଏହା ଦଳୀୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁନାହିଁ । ଅପରପକ୍ଷେ ଦେବାଶିଷ ସାମନ୍ତରାୟଙ୍କ କଂଗ୍ରେସ ସହ ତଥାକଥିତ ମେଣ୍ଟ ସରକାର ପ୍ରସଙ୍ଗକୁ ନେଇ ତୀବ୍ର ବର୍ଷିଛି କଂଗ୍ରେସ ।

ଦଳର ନେତା ମହମ୍ମଦ ମୋକିମ୍ କହିଛନ୍ତି, ଏହା ମୁଙ୍ଗେରିଲାଲ୍ ର ହସିନ୍ ସ୍ୱପ୍ନ ଭଳି । ପ୍ରଶ୍ନ କରିଛନ୍ତି,ଦେବାଶିଷ କିଏ ମେଣ୍ଟ କଥା କହିବାକୁ? ସେମାନେ ନିଜେ ବିଜେପି ସହ ମିଶି ସରକାର ଚଲାଉଥିଲେ । ଏଣେ ବିଜେପି କହିଛି ଏହା ବିଜେଡିର ଦିବା ସ୍ୱପ୍ନ । ବିଜେଡିର ଘର ଖାଲି ହୋଇଗଲାଣି ସେଥିପାଇଁ ପାଗଳର ପ୍ରଳାପ କରୁଛନ୍ତି ବିଜେଡି ନେତା ।

ବିଧାନସଭାରେ ମୋଟ୍ ୧୪୭ ବିଧାୟକଙ୍କ ଭିତରୁ ବିଜେପି ପାଖରେ ୭୮ ଜଣ ଥିବାବେଳେ ୩ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ବି ରହିଛି । ମୋଟ ସଂଖ୍ୟା ଦେଖିବାକୁ ଗଲେ ୮୧ । ବିଜେଡି ପାଖରେ ୫୧ ଓ କଂଗ୍ରେସ ପାଖରେ ୧୪ ସିଟ୍ ରହିଛି । ସିପିଆଇଏମ୍ ର ଜଣେ ବିଧାୟକ ଅଛନ୍ତି । ବର୍ତ୍ତମାନ ସ୍ଥିତିରେ ବିଜେଡି, କଂଗ୍ରେସ ଓ ସିପିଏମ୍ ମିଶିଲେ ସଂଖ୍ୟା ଆସୁଛି ୬୬ । ତେଣେ ହାଇକୋର୍ଟରେ ୩୦ ନିର୍ବାଚନୀ ମାମଲା ରୁଜୁ ହୋଇଥିବା ବେଳେ ସବୁଥିରେ ବିଚାର ଚାଲିଛି । ଏଭଳି ସ୍ଥଳେ ବିଜେଡି ଉପନିର୍ବାଚନକୁ ଭରସା କରିବା ଚର୍ଚ୍ଚାକୁ ଆହୁରି ବଢାଇଦେଇଛି ।

BJP Congress
Advertisment
Advertisment