• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପରଲୋକରେ ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତି । ଏମ୍ସରେ କ୍ୟାନ୍ସରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ୨୦୦୬ରେ ଜର୍ମାନ୍ ସହପାଠୀଙ୍କୁ ଦୁଷ୍କର୍ମ ନେଇ ଥିଲା ଅଭିଯୋଗ । ୧୮ ବର୍ଷ ତଳେ ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଥିବା ବହୁ ଚର୍ଚ୍ଚିତ ତଥା ବିବାଦୀୟ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ଦିନ ହେଲା ତାଙ୍କର କ୍ୟାନସର ଟ୍ରିଟମେଣ୍ଟ ଚାଲିଥିଲା। ପାକସ୍ଥଳୀ କର୍କଟରେ ପୀଡିତ ୪୨ ବର୍ଷୀୟ ବିତ୍ତିହୋତ୍ରଙ୍କ ପ୍ରବଳ ରକ୍ତସ୍ରାବ ହେଉଥିଲା।

ପ୍ରଥମେ ଆଚାର୍ଯ୍ୟ ହରିହର ଏବଂ ପରେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ରବିବାର ରାତି ପ୍ରାୟ ସାଢେ ୧୧ଟାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି ମୃତଦେହ।

୨୦୦୬ ମାର୍ଚ୍ଚ ୨୧। ଓଡ଼ିଶାର ତତ୍କାଳୀନ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ରଙ୍କ ବିରୋଧରେ ଆସିଥିଲା ଦୁଷ୍କର୍ମ ଅଭିଯୋଗ। ରାଜସ୍ଥାନ ଅଲୱାରକୁ ବୁଲିଯାଇଥିବା ବେଳେ ଜର୍ମାନ୍ ସହପାଠୀଙ୍କୁ ବିତ୍ତିହୋତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ରାଜସ୍ଥାନ ପୋଲିସ ତୁରନ୍ତ ଗିରଫ କଲା। ୯ ଦିନ ଭିତରେ ଅଲୱାର କୋର୍ଟ ବିତ୍ତିହୋତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଶୁଣାଇଥିଲେ ୭ ବର୍ଷ ଜେଲ୍ ଦଣ୍ଡାଦେଶ। 

ସେହି ବର୍ଷ ଅକ୍ଟୋବର ୪ତାରିଖରେ ରାଜସ୍ଥାନ ହାଇକୋର୍ଟ ଦଣ୍ଡାଦେଶକୁ କାଏମ ରଖିଥିଲେ। ପରେ ମାଆଙ୍ ଅସୁସ୍ଥତା ଦର୍ଶାଇ ୨୦୦୬ ନଭେମ୍ବର ୨୦ରେ ୧୫ ଦିନ ପାଇଁ ପାରୋଲରେ ଆସିଥିଲେ ବିତ୍ତିହୋତ୍ର। ହେଲେ ଆଉ ଜେଲ ଫେରିନଥିଲେ। ପାରୋଲରେ ଆସି ଫେରାର ହୋଇଯାଇଥିବାରୁ ଏବଂ ଏଥିରେ ସହଯୋଗ କରିଥିବା ଅଭିଯୋଗରେ ସେତେବେଳେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଥିବା ବାପା ବିଦ୍ୟାଭୂଷଣ ମହାନ୍ତିଙ୍କ ନାଁରେ ବି ମାମଲା ହୋଇଥିଲା।

୨୦୧୩ ମାର୍ଚ୍ଚ ୯। ପାରୋଲରେ ଆସି ଫେରାରର ୭ ବର୍ଷ ପରେ କେରଳ କନ୍ନୁରରୁ ଗିରଫ ହୋଇଥିଲେ ବିତ୍ତିହୋତ୍ର। ସେଠି ଏକ ବ୍ୟାଙ୍କରେ ରାଘବ ରାଜନ ନାଁରେ ପରିଚୟ ଦେଇ ଚାକିରି କରୁଥିଲେ। ଗିରଫ ପରେ ପାରୋଲ୍ ଅର୍ଡର ମାନିନଥିବାରୁ କୋର୍ଟ ତାଙ୍କୁ ଅଧିକ ୩ ମାସ କାରାଦଣ୍ଡାଦେଶ ଦେଇଥିଲେ। ଏହା ବିରୋଧରେ ମଧ୍ୟ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ବିତ୍ତିହୋତ୍ର। ତେବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ୨୦୧୭ ମାର୍ଚ୍ଚ ୩୧ରେ ତାଙ୍କୁ ସୁପ୍ରିମକୋର୍ଟରୁ ମିଳିଥିଲା ସର୍ତ୍ତମୂଳକ ଜାମିନ। ପରେ ସେ ଆଇନ୍ ପାଠ ପଢ଼ି ହାଇକୋର୍ଟରେ ବିଭିନ୍ନ ମାମଲା ବି ଲଢିଥିଲେ।

୨୦୨୩ରେ ଜଣାପଡିଥିଲା ବିତ୍ତିହୋତ୍ରଙ୍କୁ କ୍ୟାନସର ହୋଇଛି। ଦଣ୍ଡାଦେଶକୁ କୋହଳ କରିବା ପାଇଁ ସେ ଗତ ଏପ୍ରିଲରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ସୁପ୍ରିମକୋର୍ଟ ସେ ଆବେଦନକୁ ଖାରଜ କରିଦେଇ ଗତ ଜୁନ ୫ ତାରିଖ ପୂର୍ବରୁ ଚୌଦ୍ବାର ଜେଲରେ ଆତ୍ମସମର୍ପଣ କରିବାକୁ ବିତିହୋତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ଅର୍ଡର ମାନି ୨ ମାସ ତଳେ ଆତ୍ମସମର୍ପଣ କରିଥିଲେ ବିତ୍ତିହୋତ୍ର। ଏବେ ପ୍ରଶ୍ନ ଉଠୁଛି, ବିତ୍ତିହୋତ୍ରଙ୍କ ବିରୋଧରେ ଥିବା ମାମଲାର ଭବିଷ୍ୟତ କଣ ହେବ ? ପୁଅକୁ ଫେରାର କରିବାରେ ସହଯୋଗ କରିଥିବା ଅଭିଯୋଗରେ ବାପା ବିଦ୍ୟାଭୂଷଣ ମହାନ୍ତିଙ୍କ ବିରୋଧରେ ଚାଲିବ କି ମାମଲା ?

 

  • Reported by:
  • GAUTAM PANDA , KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now