• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ରାଜଧାନୀରୁ ଗିରଫ ହୋଇଥିବା ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କ ପାଇଁ ବଢୁଛି ଅଡୁଆ । ହାଇପ୍ରୋଫାଇଲ ଠକ ଯୋଡି ହଂସିତା- ଅନିଲ ମାମଲାରେ ହଂସିତା ଅଭିଲିପ୍ସାଙ୍କ ଦ୍ବିତୀୟ ସ୍ବାମୀ କୁହାଯାଉଥିବା ମନୋଜ କୁମାର ଆଚାର୍ଯ୍ୟଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଛି । ହାଇକୋର୍ଟର ବିଚାରପତି ଜଷ୍ଟିସ ଭି. ନରଂସିହଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ମନୋଜଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଗିରଫଦାରୀ ଭୟ କାହିଁକି ରହିଛି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ । ତେବେ ପରବର୍ତ୍ତୀ ସମୟରେ ସେ ପୁଣି ଆବେଦନ କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।

ଭୁବନେଶ୍ବର ଇନଫୋସିଟି ଥାନାରେ ହୋଇଥିବା କେସ୍ ନମ୍ବର ୬୧୧/୨୦୨୪କୁ ଭିତ୍ତି କରି ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ମନୋଜ । ହଂସିତା-ଅନିଲଙ୍କ ଠକେଇ ମାମଲାକୁ ନେଇ ମନୋଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ତେବେ ହଂସିତା ଓ ଅନିଲଙ୍କ ବିରୋଧରେ ହୋଇଥିବା ଏତଲାରେ ମନୋଜଙ୍କ ନାଁ ନ ଥିଲା । ହେଲେ କାହିଁକି ସେ ଆଗୁଆ ଜାମିନ ଆବେଦନ କରିଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ହଂସିତା-ଅନୀଲଙ୍କ ଠକ ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିଥିଲା କମିଶନରେଟ୍ ପୋଲିସ । କେମିତି ବିଷ୍ଣୁପ୍ରିୟା ଚାନ୍ଦରୁ ସାଜିଥିଲେ ହଂସିତା ଅଭିଲିପ୍ସା ତା'ର ସମ୍ପୂର୍ଣ୍ଣ ଗୁମର ଖୋଲିଥିଲା ପୋଲିସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କ ଝିଅ-ଜ୍ୱାଇଁ ପରିଚୟ ଦେଇ ଲୋକଙ୍କୁ ଠକୁଥିଲେ ଏହି ଠକ ଯୋଡି । ଯାହାକି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ବଡ଼ ବଡ଼ିଆଙ୍କ ସହ ସମ୍ପର୍କ ଥିବା କହିବା ସହ ବିଲଡର,ଖଣି ବ୍ୟବସାୟୀଙ୍କୁ ଚୂନ ଲଗାଉଥିଲେ ହାଇପ୍ରୋଫାଇଲ୍ ଠକ ହଂସିତା ଅଭିଲିପ୍ସା ଏବଂ ସହଯୋଗୀ ଅନୀଲ । ଏହି ଠକ ଯୋଡି ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୂର୍ବତନ ସିଏମଜି ଗିରିଶ ମୁର୍ମୁଙ୍କ ଭଳି ବଡ଼ ବଡ଼ିଆଙ୍କ ସହ ନିଜ ଫଟୋ ଏଡିଟ୍ କରି ଦେଖାଉଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now