/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723269482.jpg)
Bangladesi Migrants
ବାଂଲାଦେଶରେ ୟୁନୁସ୍ ସରକାର ଆରମ୍ଭ ହୋଇଥିବା ବେଳେ, ଏପଟେ ହାସିନା ପୁଣି ନିର୍ବାଚନ ଲଢ଼ିବାକୁ ଢାକା ଫେରିବେ ବୋଲି ତାଙ୍କ ପୁଅ କହିଛନ୍ତି । ଏସବୁ ଭିତରେ ଭୟ ବଢ଼ାଉଛି ବାଂଲାଦେଶ ସୀମା ସେପଟ ଭିଡ଼। ସାମ୍ନାକୁ ଆସୁଛି ଚିନ୍ତାଜନକ ଚିତ୍ର । ବିଏସ୍ଏଫ୍ ବି ସତର୍କ କରିଛି ଯେ, ପ୍ରାୟ ୧୨ଶହ ବାଂଲାଦେଶୀ କଏଦୀ ଭାରତରେ ଅନୁପ୍ରବେଶ କରିପାରନ୍ତି।
ଭାରତ-ବାଂଲାଦେଶ ସୀମାରେ ବଢୁଛି ଉତ୍ତେଜନା । ପଶ୍ଚିମବଙ୍ଗ କୁଚବେହାରରେ ଭାରତ-ବାଂଲାଦେଶ ସୀମାରେ, ସୀମା ସେପଟେ ଭିଡ଼ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ। ସତେ ଯେମିତି ମେଳା ଲାଗିଛି । ନିଜ ଦେଶରେ ସ୍ଥିତି ଭୟଙ୍କର ଥିବା ବେଳେ, ଭାରତକୁ ଅନୁପ୍ରବେଶ ପାଇଁ କରିଛନ୍ତି ଅପେକ୍ଷା। କେବଳ ଆଜି ନୁହେଁ, ହାସିନା ସରକାରର ପତନ ପରଠୁ ପ୍ରତିଦିନ ଏଭଳି ଭିଡ଼ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା।
ସକାଳୁ ଭିଡ଼ ଜମୁଛି, ସଞ୍ଜ ନଇଁଲେ ଅନୁପ୍ରବେଶ ଉଦ୍ୟମ ହେଉଛି । ଆଉ ଏପଟେ ସତର୍କ ଅଛି ସୀମା ସୁରକ୍ଷା ବାହିନୀ। ବିଏସଏଫ୍ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ସେମାନଙ୍କ ଗତିବିଧି ଉପରେ। ବାଂଲାଦେଶୀଙ୍କୁ ଜିରୋ ପଏଣ୍ଟରେ ଅଟକାଇଛି ବିଏସ୍ଏଫ୍ । ସେପଟେ ଜଲପାଇଗୁଡ଼ିରେ ପ୍ରାୟ ୫ଶହ ବାଂଲାଦେଶୀଙ୍କୁ ବାଂଲାଦେଶକୁ ଫେରାଇ ଦେଇଛି ବିଏସ୍ଏଫ୍ । ଝାପରଟୋଲା ଚେକପୋଷ୍ଟ ପାଖରେ ୩ଟି ପର୍ଯ୍ୟାୟରେ ସେମାନେ ଅବୈଧ ଭାବେ ଭାରତରେ ପଶିବାକୁ ଉଦ୍ୟମ କରିଥିଲେ।
ବାଂଲାଦେଶରେ ହିଂସାକାଣ୍ଡ ଥମୁନଥିବା ବେଳେ, ସେଠାରେ ଥିବା ଭାରତର ଭିସା ସେଣ୍ଟର ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ତେଣୁ ହିନ୍ଦୁଙ୍କ ସମେତ ପୀଡ଼ିତ ସଂଖ୍ୟାଲଘୁ, ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ର ନେତା ଓ କାର୍ଯ୍ୟକର୍ତ୍ତା ଏବଂ ଅନ୍ୟ ଭୟଭୀତ ଲୋକେ ଭାରତରେ ସୁରକ୍ଷା ଆଶାରେ ସୀମା ଡେଇଁବାକୁ ଉଦ୍ୟମ କରିପାରନ୍ତି। ତେବେ କେବଳ ସେମାନେ ନୁହେଁ, ହାସିନାଙ୍କ ଇସ୍ତଫା ପରେ ଜେଲରୁ ମୁକୁଳିଥିବା ପ୍ରାୟ ୧୨ଶହ କଏଦୀ ମଧ୍ୟ ଭାରତକୁ ଅନୁପ୍ରବେଶ କରିପାରନ୍ତି ବୋଲି ସତର୍କ କରାଇଛି ବିଏସ୍ଏଫ୍।
ସେମାନଙ୍କ ମଧ୍ୟରେ କିଛି କୁଖ୍ୟାତ ଅପରାଧୀ ଏବଂ ସଶସ୍ତ୍ର ଆତଙ୍କୀ ବି ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଭାରତ ଓ ବାଂଲାଦେଶ ମଧ୍ୟରେ ଲମ୍ବିଛି ୪ ହଜାର ୯୬ କିଲୋମିଟର ଅନ୍ତର୍ଜାତୀୟ ସୀମାରେଖା। ତେଣୁ ବିଏସ୍ଏଫ୍କୁ ହାଇ-ଆଲର୍ଟରେ ରଖାଯାଇଛି। ସେପଟେ ଭାରତ-ବାଂଲାଦେଶ ସୀମା ସ୍ଥିତି ଉପରେ ନଜର ରଖିବା ପାଇଁ ମୋଦି ସରକାର ଏକ ମନିଟରିଂ କମିଟି ଗଠନ କରିଛନ୍ତି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି କମିଟି ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ, ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁ ସମୁଦାୟଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବାକୁ ବାଂଲାଦେଶ ପ୍ରତିପକ୍ଷ ସହ ଯୋଗାଯୋଗ ରକ୍ଷା କରିବ। ବିଏସ୍ଏଫ୍ ଇଷ୍ଟର୍ଣ୍ଣ କମାଣ୍ଡର ଏଡିଜି ଏହାର ନେତୃତ୍ୱ ନେବେ।
କେବଳ ସ୍ଥଳ ସୀମା ନୁହେଁ, ଜଳସୀମା ପଟେ ମଧ୍ୟ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା ଥିବାରୁ ସମୁଦ୍ର ତଟ, ଖାସ୍ କରି ଓଡ଼ିଶା ଓ ପଶ୍ଚିମବଙ୍ଗ ତଟରେ ଆଲର୍ଟରେ ଅଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)