ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବ ଖଣ୍ଡଗିରି ଯାତ୍ରା । ସେଥିପାଇଁ ଏବେଠୁ ଅନୁଭବ ହେଲାଣି ମାହୋଲ୍ । କିନ୍ତୁ ଏଥର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏଥର ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ଭଳି ବିବାଦୀୟ ଆଇଟମ ଡ୍ୟାନସର । ଯାତ୍ରା ପେଣ୍ଡାଲରେ ଏଥର ହେବନି ଅଙ୍ଗ ପ୍ରଦର୍ଶନ । କେବଳ ଏତିକି ନୁହେଁ ଏହା ସହିତ ବ୍ୟାନ୍ ହେବ ଡାଏଲଗ୍ ଭିତରେ ଦ୍ବିଅର୍ଥ ବୋଧକ ଶବ୍ଦ ।ରାଜ୍ୟ ସରକାର ଏଥିପାଇଁ ମାର୍ଗଦର୍ଶିକା ଜାରି କରିବେ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ସରକାରଙ୍କ ଏହି ପଦକ୍ଷେପକୁ ଯାତ୍ରାପାର୍ଟି ମାଲିକ ଓ ଆୟୋଜକ କମିଟି ସ୍ବାଗତ କରିଥିବାବେଳେ, ଅଶ୍ଳୀଳତାକୁ ଆଇଟମ୍ ଡ୍ୟାନସ୍ ସହ ନମିଶାଇବା ପାଇଁ କହିଛନ୍ତି କଳାକାର । ଅନ୍ୟପଟେ ମନ୍ତ୍ରୀ କହିଛନ୍ତି ଯାତ୍ରାରେ ଅଶ୍ଳୀଳତା ସମ୍ପୂର୍ଣ୍ଣ ବନ୍ଦ ଲାଗି ଯାତ୍ରା କମିଟି, କଳାକାର ଓ ଯାତ୍ରା ପାର୍ଟି ମାଲିକମାନଙ୍କ ସହ ଆଲୋଚନା ସରିଛିି । ଯେହେତୁ ସେମାନେ ହଠାତ୍ କିଛି କଠୋର ଆଇନ ନଆଣିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ତେଣୁ ତାକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି । ତେବେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଓଡ଼ିଆ ଭାଷା ଓ ସଂସ୍କୃତିକୁ ଯେପରି କୁଠାରଘାତ ନହୁଏ, ସେଥିପ୍ରତି ସରକାର ଯତ୍ନବାନ ରହିଛନ୍ତି ।
ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ରହସ୍ୟ; CBI ତଦନ୍ତ ପାଇଁ ଲେଖିକି ଦେବେ ଦୀପାଳି
Also Read
ଅନ୍ୟପଟେ ଯାତ୍ରାରେ ଅଶ୍ଳୀଳତା ବୃଦ୍ଧି ପଛରେ ସ୍ଥାନୀୟ ଯାତ୍ରା କମିଟିମାନେ ଦାୟୀ ବୋଲି କହିଛନ୍ତି ଯାତ୍ରା ପାର୍ଟି ମାଲିକ । ଆୟ ବୃଦ୍ଧି ଓ ଅଧିକ ଟିକେଟ୍ ବିକ୍ରି ଲକ୍ଷ୍ୟରେ ସେମାନେ ଆଇଟମ୍ ଗାର୍ଲଙ୍କୁ ପେଣ୍ଡାଲକୁ ଉଠାଉଛନ୍ତି । ଖଣ୍ଡଗିରି ଯାତ୍ରା ଆୟୋଜନ କମିଟିର ସଦସ୍ୟ ମଧ୍ୟ ଯାତ୍ରାରେ ଅଶ୍ଳୀଳତା ବନ୍ଦ ପଦକ୍ଷେପକୁ ସଠିକ୍ ବୋଲି ଦର୍ଶାଇବା ସହ ଗାଇଡଲାଇନ୍ସ କେବଳ ଖଣ୍ଡଗିରି ପାଇଁ ଲାଗୁ ନହୋଇ ସାରା ରାଜ୍ୟରେ ଲାଗୁ ହେବା ଦରକାର ମତଦେଇଛନ୍ତି । ଆଗାମୀ ଖଣ୍ଡଗିରି ଯାତ୍ରାକୁ ଅଶ୍ଳୀଳତା ମୁକ୍ତ କରିବା ଲାଗି ଏଥର ୩ଜଣ ଆଇଟମ୍ ଡ୍ୟାନ୍ସର ନିଶା ମହାରଣା, ଭାଗ୍ୟଶ୍ରୀ ସାହୁ ଓରଫ ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀଙ୍କୁ ବାରଣ କରାଯାଇଛି ।
ଏମାନଙ୍କ ମଧ୍ୟରୁ ରାଣୀ ପ୍ରିୟଦର୍ଶିନୀ ଅଶ୍ଳିଳତାକୁ ଆଇଟମ୍ ଡ୍ୟାନସ ସହ ନମିଶାଇବାକୁ ଅନୁରୋଧ କରିଛନ୍ତି । ଆସନ୍ତା ଫେବୃଆରୀ ୬ ରୁ ୧୭ ତାରିଖ ଯାଏଁ ଚାଲିବ ଖଣ୍ଡଗିରି ମେଳା । ଯେଉଁଥିରେ ୧୨ରୁ ଅଧିକ ଅପେରା ପାର୍ଟି ନାଟକ ପରିବେଷଣ କରିବେ । କିଛି ଦିନ ପୂର୍ବରୁ କମିଶନରେଟ୍ ପୋଲିସ ସହ ଆଲୋଚନା ବେଳେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବା ପାଇଁ ସହମତି ପ୍ରକାଶ କରିଥିଲେ ୬ଟି ଯାତ୍ରା କମିଟି ।