କଟକର ଐତିହାସିକ ବାଲିଯାତ୍ରା । ବାଲିଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଛି । କିଣାବିକା ସାଙ୍ଗକୁ ଖିଆପିଆର ମଜା ଉଠାଉଛନ୍ତି ଦର୍ଶକ । ତେବେ ଆପଣ ବାଲିଯାତ୍ରାରେ ଖାଉଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର? କାରଣ ଲକ୍ଷାଧିକ ଟଙ୍କାର କୁଇଣ୍ଟାଲ କୁଇଣ୍ଟାଲ ବାସିଖାଦ୍ୟ ତା ପୁଣି ବିଭିନ୍ନ ଖାଦ୍ୟ ଷ୍ଟଲରୁ ଜବତ ହେବା ପରେ ଖାଦ୍ୟର ମାନ ଓ ଗୁଣବତ୍ତାକୁ ନେଇ ଉଠିଛି ପ୍ରଶ୍ନ ।
ଏ ଲାଲ୍ ଲାଲ ରଙ୍ଗର ଚିକେନ୍, ଅବା ବିରିୟାନୀ । ଦେଖିଲେ, ଖାଇବାକୁ ଇଚ୍ଛା ହେବ ନିଶ୍ଚୟ । ଆଖିକୁ ସିନା ସୁନ୍ଦର, ହେଲେ ଦେହକୁ ବିଷ । କାରଣ ଏସବୁ ଅପମିଶ୍ରିତ ଆଉ ବାସି । ବାଲିଯାତ୍ରା ପଡିଆରେ ଏଇଭଳି ଲକ୍ଷାଧିକ ଟଙ୍କାର କୁଇଣ୍ଟାଲ କୁଇଣ୍ଟାଲ ବିଭିନ୍ନ ତରକାରୀ ସହ ଫିମ୍ପିମରା ଜିନିଷ ସବୁ ନଷ୍ଟ କରାଯାଇଛି । ସିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ବିଭିନ୍ନ ଖାଇବା ଷ୍ଟଲ୍ ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାସି ଖାଦ୍ୟ ଜବତ କରାଯାଇ ନଷ୍ଟ କରାଯାଇଛି ।
Also Read
ମଟନ, ଚିକେନ, ପନିର, ଛତୁ, ବୈଡ୍, ବିରିୟାନୀ... କୌଣସି ଖାଦ୍ୟ ବାଦ୍ ପଡିନି ବାସି ଲିଷ୍ଟରୁ । ଆଉ ଏତେ ପରିମାଣର ବାସି ଖାଦ୍ୟ ଜବତ ହେବା ପରେ ଏବେ ବାଲିଯାତ୍ରାରେ ଚାଲିଥିବା ଠକେଇ ଓ ଅପମିଶ୍ରଣ ସମ୍ପର୍କରେ ଚିତ୍ର ସାମ୍ନାକୁ ଆସିଛି । ଅଭିଯୋଗ ହେଉଛି, ଏସବୁ ଜିନିଷକୁ ପୁଣି ରି- ସାଇକେଲିଂ କରି ଗ୍ରାହକଙ୍କୁ ବିକ୍ରି କରାଯାଇଥାନ୍ତା । ମୁନାଫା ପାଇଁ ଲୋକଙ୍କ ଜୀବନ ସହ ଅସାଧୁ ବ୍ୟବସାୟୀ ଖେଳ ଖେଳୁଥିବା ଅଭିଯୋଗ ହୋଇଛି ।
ବାଲିଯାତ୍ରା ବୁଲିବାକୁ ଗଲେ, ସାଧାରଣ ଭାବେ ଖାଦ୍ୟ ଷ୍ଟଲ ଗୁଡିକରେ ଲୋକଙ୍କ ଭିଡ଼ ଜମେ । ହେଲେ ଅସ୍ୱାସ୍ଥ୍ୟକର ଖାଦ୍ୟ ଶରୀର ପାଇଁ ଖୁବ୍ କ୍ଷତିକାରକ ବୋଲି ଚେତାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବାସି ଖାଦ୍ୟରୁ ପେଟ ସମସ୍ୟା ସହ କିଡନୀ ଉପରେ ସିଧାସଳଖ ପ୍ରଭାବ ପଡିଥାଏ । ଫୁଡ୍ ପଏଜନିଂର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ପୁଣି ଛୋଟପିଲା, ଗର୍ଭବତୀ ମହିଳାଙ୍କୁ ବିପଦ ଅଧିକ । ତେବେ ବାରମ୍ବାର ବିଭିନ୍ନ ନାମୀଦାମୀ ଫୁଡ ଷ୍ଟଲରେ ଏତେ ପରିମାଣର ବାସି ଖାଦ୍ୟ ଜବତ ହେବାପରେ ଖାଦ୍ୟର ଗୁଣବତ୍ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।