Advertisment

National Handloom Day: ଆର୍ଟସ ଅଫ୍‌ ଉଇଭିଂ ପକ୍ଷରୁ ହସ୍ତତନ୍ତ ଦିବସ ପାଳିତ, ବିଦେଶରେ ପହଞ୍ଚିଛି ଓଡ଼ିଶା ହସ୍ତତନ୍ତ

ଏବର୍ଷ ‘ଆର୍ଟସ ଅଫ୍‌ ଉଇଭିଂ’ (ଏଓଡବ୍ଲ୍ୟୁ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍‌ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି। ଦିଶା ଦାଶଙ୍କ ଆଲେଖ୍ୟ।

author-image
Otv Khabar Bureau
ଅଦ୍ୟତନ ହୋଇଛି
AOW

AOW

ଓଡ଼ିଶା ହସ୍ତତନ୍ତର ଅନ୍‌ଲାଇନ୍‌ ବ୍ୟବସାୟିକ ପ୍ଲାଟ୍‌ଫର୍ମ ‘ଆର୍ଟସ ଅଫ୍‌ ଉଇଭିଂ’ ତରଫରୁ ଅତି ଆକର୍ଷଣୀୟ ଏବଂ ନିଆରା ଭାବରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ବୁଣାକାର ପରମ୍ପରାକୁ ସମ୍ମାନ ଦେବା ସହ ଏହାକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଅଭିନବ ପ୍ରୟାସ କରାଯାଇଛି । ଏବର୍ଷ ‘ଆର୍ଟସ ଅଫ୍‌ ଉଇଭିଂ’ (ଏଓଡବ୍ଲ୍ୟୁ) ତାଙ୍କର ଓଡିଶା ହସ୍ତତନ୍ତ ସାମଗ୍ରୀକୁ ଏଆଇ (AI) ମଡେଲ୍‌ ମାଧ୍ୟମରେ ଦର୍ଶାଇବା ଆରମ୍ଭ କରିଛନ୍ତି, ଯାହା ଅତ୍ୟନ୍ତ କମ ଖର୍ଚ୍ଚ ଓ ତ୍ୱରିତ ଉପାୟରେ ଉତ୍ପାଦମାନଙ୍କୁ ବିଶ୍ୱସ୍ତରରେ ଉପସ୍ଥାପନ କରିବାରେ ସାହାଯ୍ୟ କରିଛି ।

Advertisment

ଏହି ମାଧ୍ୟମରେ ଓଡ଼ିଶା ହସ୍ତତନ୍ତକୁ ବିଦେଶୀ ଗ୍ରାହକଙ୍କ ସହ ସଂଯୁକ୍ତ କରାଯାଇପାରିଛି । ହସ୍ତତନ୍ତ ଦିବସ ପାଳନ ଅବସରରେ ଏଓଡବ୍ୟୁ ପକ୍ଷରୁ ସିଲ୍କର ପ୍ରଚାରପ୍ରସାର ପାଇଁ ପଦକ୍ଷେପ ନିଆଯାଇଛି । ଏହି ସିଲ୍କକୁ ଅହିଂସା ରେସମ ବା କରୁଣା ରେସମ ବି କୁହାଯାଏ । ପାରମ୍ପରିକ ରେସମ ଉତ୍ପାଦନରେ ରେସମ କୀଟକୁ ଜୀବନ୍ତ ଅବସ୍ଥାରେ ସିଝେଇ ଦିଆଯାଏ । କିନ୍ତୁ ଏରି ରେସମ ଉତ୍ପାଦନରେ ଏହି କୀଟକୁ କୌଣସି ହାନି ନ କରାଯାଇ, ତାକୁ ପୂର୍ଣ୍ଣ ଜୀବନଚକ୍ର ସମାପ୍ତ କରି ବାହାରିବା ପରେ ରେସମକୁ ତିଆରି କରାଯାଏ ।

ଏହି ମାନବିକ ସମ୍ବେଦନ ଓ ଅହିଂସାର ଧାରାକୁ ଏକ ନୀତିଗତ ବିକଳ୍ପ ହିସାବରେ ବିଶ୍ୱରେ ପ୍ରଚାର କରାଯାଉଛି । ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଏକ ଉତ୍ସବରେ ଏଓଡବ୍ଲ୍ୟୁ ପକ୍ଷରୁ ପ୍ରଥମ ୫୦ ଜଣ ହସ୍ତତନ୍ତପ୍ରେମୀ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କ ସହଯୋଗ ପାଇଁ ସଂଗଠନର ଅନ୍ୟତମ ସହ-ପ୍ରତିଷ୍ଠାତା ଡ. ସୁଜାତା ଦାସ କୃତଜ୍ଞତା ଅର୍ପଣ କରିଥିଲେ ।

Advertisment

ଏଓଡବ୍ଲ୍ୟୁ ସହ ଯୋଡ଼ି ହୋଇ ଓଡ଼ିଶା ହସ୍ତତନ୍ତର ପ୍ରଚାରପ୍ରସାରରେ ବିଶେଷ ଭୂମିକା ନିର୍ବାହ କରିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀଙ୍କୁ କଳାହାଣ୍ଡିର ହବସପୁରୀ ଶାଢ଼ି ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ହସ୍ତତନ୍ତ ବୟନ କଳାର ଉତ୍କର୍ଷ ଏବଂ ଉପାଦେୟତା ସଂପର୍କରେ ଶ୍ରୀମତୀ ପ୍ରିୟଦର୍ଶିନୀ ତାଙ୍କ ବକ୍ତବ୍ୟରେ ଆଲୋକପାତ କରିବା ସହ ଆଜିର ବ୍ୟସ୍ତବହୁଳ ଜୀବନରେ ଓଡ଼ିଶା ହସ୍ତତନ୍ତ ଉତ୍ପାଦ ପାଇବା ନିମନ୍ତେ ଏଓଡବ୍ଲ୍ୟୁ ୱେବସାଇଟ ଏକ ଚମତ୍କାର ବିକଳ୍ପ ବୋଲି ଉଲ୍ଲେଖ କରିଥିଲେ ।

ଅତି ଅଳ୍ପ ସମୟ ମଧ୍ୟରେ ଏଓଡବ୍ଲ୍ୟୁ ନିଜର ଗ୍ରାହକ ମଞ୍ଚ ସୃଷ୍ଟି କରିପାରିଛି ଏବଂ ଏ ଯାବତ୍‌ ପର୍ଯ୍ୟାପ୍ତ ପରିମାଣର ସମ୍ବଲପୁରୀ ଇକତ୍‌ ପାଟ, ଖଣ୍ଡୁଆ, କୋଟପାଡ଼, ବ୍ରହ୍ମପୁର ପାଟ, ଗୋପାଳପୁର ଟସର ଏବଂ ପଟ୍ଟଚିତ୍ର ଶାଢ଼ି ଓ ଡ୍ରେସ୍‌ ମ୍ୟାଟେରିଆଲ୍‌ ଗ୍ରାହକମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କ ଆସ୍ଥାଭାଜନ ହୋଇପାରିଛି । ଏହି ଅବସରରେ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଟସର ଓ କୋଟପାଡ଼ ବ୍ଲେଜର୍‌, ଜ୍ୟାକେଟ୍‌, ବିଚିତ୍ରାପୁରୀ ପାଟର ଲଙ୍ଗ୍‌ ଜ୍ୟାକେଟ୍‌ ପ୍ରଦର୍ଶିତ ହୋଇଥିଲା ।

ଏହି ସବୁ ସାମଗ୍ରୀକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ନିମନ୍ତେ କମ୍ପାନୀ ପକ୍ଷରୁ ନିଜସ୍ୱ ଡିଜାଇନର୍‌ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଏଓଡବ୍ଲ୍ୟୁ ଚଳିତ ବର୍ଷ ଯୁବପିଢ଼ିଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନୂଆ ଫ୍ୟାସନ୍‌ ଉପରେ ବି ଗୁରୁତ୍ୱ ଦେଇଛି । ପାରମ୍ପରିକ ଫ୍ୟାବ୍ରିକ୍‌ ଓ ଆଧୁନିକ ଡିଜାଇନ୍‌ର ମିଶ୍ରଣରେ କିଛି ଆକର୍ଷଣୀୟ ପୋଷାକର ଅନ୍‌ଲାଇନ୍‌ ଉପଲବ୍ଧତା ପାଇଁ ପଦକ୍ଷେପ ନେଇଛି ।

ୱେବସାଇଟ୍‌ରେ ଗୋପାଳପୁର ଟସର୍‌ ଓ କୋଟପାଡ କପାସ୍‌ରେ ମହିଳା ବ୍ଲେଜର୍‌ ତଥା ହାଲୁକା ସୌଖୀନ ଜ୍ୟାକେଟ ଏକ ଶକ୍ତିଶାଳୀ ଫ୍ୟୁଜନ୍‌ ରୁପେ ଦେଖାଇଥିବା ପୋଷାକ ଯୁବ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବେଶ୍‌ ପସନ୍ଦଯୋଗ୍ୟ ହୋଇପାରିଛି । ସେହିପରି ସମ୍ବଲପୁରୀ ପାଟ କପଡ଼ାରେ ଇକତ କାମ ହୋଇଥିବା ଲମ୍ବା ଜାକେଟ୍‌ ପାରମ୍ପରିକ ଶିଳ୍ପକୁ ଆଧୁନିକ ମୂଲ୍ୟ ଦେଇ ପୁନଃସୃଷ୍ଟି କରାଯାଇଛି, ଯାହା ସବୁବର୍ଗର ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେଇପାରିବ ।

ଆମେରିକାରେ ଏଆଇ ସମ୍ପର୍କରେ ଉଚ୍ଚତର ଶିକ୍ଷା ଲାଭ କରିଥିବା ଏଓଡବ୍ଲ୍ୟୁର ସଂସ୍ଥାପକ ଦିଶା ଦାସ କହିଛନ୍ତି ଓଡ଼ିଶା ରେସମ ଓ ବୁଣାକାର ଶିଳ୍ପକୁ ବିଶ୍ୱମଞ୍ଚକୁ ନେବା ଆମର ଲକ୍ଷ୍ୟ । ଏହା ପାଇଁ ଆମେ ପ୍ରଯୁକ୍ତି ଓ ସ୍ୱଦେଶୀ କପଡ଼ା ଓ ନୂଆ ଭାବଧାରାରେ ନିର୍ମିତ ପୋଷାକକୁ ନେଇ ଆଗକୁ ବଢ଼ୁଛୁ ।

ଅଧିକ ସୂଚନା ପାଇଁ ଆର୍ଟସ୍ ଅଫ୍ ଓ୍ଵେଭିଂର ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଯୋଗାଯୋଗ କରିବାକୁ କିମ୍ବା ସେମାନଙ୍କ ଓ୍ଵେବସାଇଟ୍ artsofweaving.com ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

(ଦିଶା ଦାଶ, ପ୍ରତିଷ୍ଠାତା, ଆର୍ଟସ ଅଫ୍ ଉଇଭିଂ)

Handlooms National Handloom Day
Advertisment
Related Articles
Advertisment