Odisha Kalki Avatar Puja Incident: 'ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ'

ଆଶ୍ରମରୁ ବାବା କୁହାଯାଉଥିବା ନାବାଳକ ଗାଏବ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । କହିଛନ୍ତି ...

Kalki Avatar Puja Incident

ମୋ ପୁଅ ଠାକୁର ନୁହେଁ । ଆଶ୍ରମରୁ ବାବା କୁହାଯାଉଥିବା ନାବାଳକ ଗାଏବ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ପଣ୍ଡିତ କାଶୀନାଥ ମିଶ୍ର । କହିଛନ୍ତି - ମୁଁ ଓଡ଼ିଶାରେ ଅଛି । ମୋ ପୁଅ ବାବଦରେ ଗଣମାଧ୍ୟମରେ ଯେଉଁ ପ୍ରଚାର ହେଉଛି, ମୁଁ ସେ ବାବଦରେ ସ୍ପଷ୍ଟୀକରଣ ଦେବାକୁ ଚାହୁଁଛି । ଆଜକୁ ୧୦ ବର୍ଷ ତଳେ ଯେତେବେଳେ ମୋ ପୁଅକୁ ୫ ବର୍ଷ ହୋଇଥିଲା, ସେତେବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହେଉଥିଲା ।

ଯେଉଁଥିରେ ଦେଖୁଛନ୍ତି ପାଦତଳେ ତୁଳସୀ ଅଛି ସେଠି ମୋ ପୁଅ ଅଛି । ସେଠି ମୁଁ କିମ୍ବା ମୋ ସ୍ତ୍ରୀ ନାହାଁନ୍ତି । ମୋ ଠୁ ଦୂରେଇ ଯାଇଥିବା କିଛି କୁଚକ୍ରୀ ଗୋଷ୍ଠୀ ଏ ନେଇ ଚକ୍ରାନ୍ତ କରିଛନ୍ତି । ଜାଣିଶୁଣି ସମାଜ ଆଗରେ ବଦନାମ କରୁଛନ୍ତି । ମୋ ପୁଅ ଠାକୁର ବୋଲି ମୁଁ କେବେ କହିନାହିଁ, କି ଏହାକୁ ନେଇ ପ୍ରଚାର କରିନାହିଁ ।

ମୁଁ ଭାଗବତ୍ ଗୀତା ପଠନ କରୁଥିବାରୁ ସନାତନ ଧର୍ମରେ ମତେ ମୋ ପୁଅକୁ ଗୁରୁ ବୋଲି ବିବେଚନା କରନ୍ତି । ଏ ଫଟୋରେ କୌଣସି ଭୁଲ ନାହିଁ । ଏଠି ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଉଛି । ଏ ସବୁ ପ୍ରମାଣ କଲେ ଭଲ ହେବ । ଜଗନ୍ନାଥ ସଂସ୍କୁତି ପ୍ରଚାର ପାଇଁ ମୁଁ ସାରା ବିଶ୍ୱରେ କାମ କରୁଛି । ତେଣୁ ସବୁ ଘଟଣାର ତଦନ୍ତ ହେଲେ ଭଲ ।

ଅଧିକ ପଢନ୍ତୁ: ଶିଶୁକୁ ବାବା କରି ପୂଜାରୁ ଉତ୍ତେଜନା; ଆଶ୍ରମରେ ପଶିଲେ କିଛି ଲୋକ, ଅଶ୍ରାବ୍ୟ ଭାଷାରେ କରୁଛନ୍ତି ଗାଳି ଗୁଲଜ

ଅନ୍ୟପଟେ କାଲି ଭଳି ଆଜି ବି ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ ପରିସରରେ ହଲ୍ଲାପଟା, ଠେଲାପେଲା ଓ ଉତ୍ତେଜନା ହୋଇଛି । ଜଣେ ନାବାଳକକୁ କଳ୍କୀ ଅବତାର କହି ପାଦ ତଳେ ତୁଳସୀ ରଖି ପୂଜାର୍ଚ୍ଚନା ବେଳର ଫଟୋ ଭାଇରାଲ୍ ପରଠୁ ସୃଷ୍ଟି ହୋଇଥିବା ବିବାଦ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଆଜି ସ୍ଥାନୀୟ ଲୋକେ ଆଶ୍ରମ ତାଲା ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଆଶ୍ରମରେ ରହୁଥିବା ଭକ୍ତଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

ଏମିତିକି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ବି ହୋଇଥିଲା, ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଆଶ୍ରମ ଭିତରେ ଥିବା ଦାମୀ କାର ଓ କେଟିଏମ୍ ବାଇକ୍ ବି ଗଣମାଧ୍ୟମ ସାମ୍ନାକୁ ଆସିଥିଲା । କୁହାଯାଉଛି ଏହି କେଟିଏମ୍ ବାଇକ୍ କଳକୀ ଅବତାର ବୋଲି ଭକ୍ତ ଦର୍ଶାଉଥିବା ନାବାଳକ ଚଳାଉଛି ।

ନାବାଳକ ପାଦରେ ତୁଳସୀ ରଖି ହିନ୍ଦୁ ଧର୍ମକୁ କୁଠାରଘାତ କରାଯିବା ସହ ଲୋକଙ୍କୁ ବିଭ୍ରାନ୍ତି କରାଯାଉଥିବା ଓ ସରକାରୀ ଜମି ମାଡ଼ିବସି ଆଶ୍ରମ ନିର୍ମାଣ କରାଯାଇଥିବା ଅଭିଯୋଗରେ ଗତ ଶୁକ୍ରବାର ରାତିରେ ଭରତପୁର ଥାନାରେ ଏତଲା ଦେଇଥିଲା ସମାଜସେବୀ ମହାସଂଘ । ଏହାପରଠୁ କାଲି ଦିନତମାମ ଓ ଆଜି ମଧ୍ୟ ଆଶ୍ରମ ପରିସରରେ ଲାଗି ରହିଛି ଉତ୍ତେଜନା ।

ଭରତପୁର ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଡିସିପି କହିଥିଲେ - ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଏକ ଆଶ୍ରମରେ ଜଣେ ନାବାଳକକୁ କଳ୍କୀ ଅବତାର କହି ପୂଜା କରିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ଶିଶୁ ଆୟୋଗ । ଏହାସହ ଘଟଣା ସମ୍ପର୍କରେ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛି ଆୟୋଗ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଘଟଣାର ତଦନ୍ତ କରିବା ପାଇଁ CWCକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ: 'ଇଞ୍ଚେ ଜମିର ବେଆଇନ ବିକ୍ରିକୁ ବରଦାସ୍ତ କରାଯିବନି' : ପୃଥ୍ୱୀରାଜ ହରିଚନ୍ଦନ