Advertisment

KISS Bhubaneswar: କିସ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଡାହା ମିଛ ତଥ୍ୟ ଦେଇଛନ୍ତି ଅଚ୍ୟୁତ!

୨୦୧୭ ମସିହାରେ ବିଧାନସଭା ତଥ୍ୟ ଅନୁଯାୟୀ କିସ୍‌ ଆଦିବାସୀ ସ୍କୁଲ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍‌ ଚାଉଳ ଯୋଗାଉଛନ୍ତି। ଅର୍ଥାତ ପ୍ରତିବର୍ଷ କିସ୍‌କୁ ଚାଉଳ ଦେବା ବାବଦରେ ସରକାର ଖର୍ଚ୍ଚ କରୁଛନ୍ତି ପ୍ରାୟ ୨୨ କୋଟି ୫୦ ଲକ୍ଷ ଟଙ୍କା।

author-image
Manoranjan Sial
Kiss

Kiss

KIITକୁ ନେଇ କେଳେଙ୍କାରୀ ଯେତେ ଲମ୍ବା, ଏହାର ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱାବଧାନରେ ଚାଲିଥିବା ଆଦିବାସୀ ପିଲାଙ୍କ ପାଇଁ ଆବାସିକ ସ୍କୁଲ କିସ୍‌ର କଳା କାହାଣୀ ସେତିକି ରହସ୍ୟପୂର୍ଣ୍ଣ। କାରଣ କିସ୍‌ରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନେଇ ଅଚ୍ୟୁତ କହିଛନ୍ତି ଡାହା ମିଛ! ବିଭିନ୍ନ ପବ୍ଲିକ୍ ଫୋରମ୍ ସହ ୫ବର୍ଷ ତଳେ ଏକ ବଡ଼ ଟିଭି ସୋ'ରେ ମଧ୍ୟ ଅଚ୍ୟୁତ କହିଥିଲେ ସାଂଘାତିକ ମିଛ।

Advertisment

କିଟ୍ ଲାଭର ୫ ପ୍ରତିଶତ ଓ କିଟ୍‌ କର୍ମଚାରୀଙ୍କ ଦରମାର ୩ ପ୍ରତିଶତ କିସ୍‌କୁ ଦେଉଥିବା କହିଥିଲେ ଅଚ୍ୟୁତ। ଏମିତିକି ବର୍ଷକୁ କିସ୍ ପାଇଁ ୧୦୦ କୋଟି ଖର୍ଚ୍ଚ ହେଉଥିବା ଶୁଣାଇଥିଲେ। ହେଲେ ଅଚ୍ୟୁତଙ୍କ ଏସବୁ କଥାର ସତ୍ୟତା କେତେ? ଜାଣିବାକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ RTI କର୍ମୀ। ହେଲେ ଉତ୍ତର ଆସିଥିଲା, ଆମେ RTI ଅଧିନରେ ଆସୁନାହୁଁ। ଏମିତିକି ସରକାରୀ ଅଧିକାରୀ ମଧ୍ୟ କିସ୍‌ ବାବଦରେ ସେତେବେଳେ ତଥ୍ୟ ଦେବାକୁ ସଫାସଫା ମନା କରିଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, କିସ୍‌କୁ ନେଇ ଅଚ୍ୟୁତ ଦେଇଥିବା ବୟାନ ଓ ବାସ୍ତବତା ଭିତରେ କେତେ ଫରକ? ଅଚ୍ୟୁତ କହିଥିଲେ, କିସ ଚଳାଇବା ପାଇଁ ଆମେ କୌଣସି ସରକାରୀ ପାଣ୍ଠି ଗ୍ରହଣ କରୁନାହୁଁ। ହେଲେ ତଥ୍ୟ କହୁଛି, କିସ ପବ୍ଲିକ ଫଣ୍ଡ ଦ୍ୱାରା ତିଆରି ହୋଇଛି ଓ ପବ୍ଲିକ ପାଣ୍ଠିରେ ପରିଚାଳିତ ହେଉଛି। ଆଦିବାସୀ ସ୍କୁଲ ଓ ହଷ୍ଟେଲ ପରିଚାଳନା ପାଇଁ କିସ୍‌ ସରକାରଙ୍କଠାରୁ ମୋଟା ଅଙ୍କର ଅନୁଦାନ ନିଏ। ଏହାସହ ପ୍ରାୟ ୩୨ ଏକର ସରକାରୀ ଜମି ଉପରେ ଛିଡ଼ା ହୋଇଛି କିସ୍‌ କ୍ୟାମ୍ପସ୍‌। ଏହାର ଭିତ୍ତିଭୂମି ବିକାଶ ପାଇଁ ୨୦୦୭-୦୮ରୁ ୨୦୧୧-୧୨ ମସିହା ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟଠାରୁ ୧୨ କୋଟି ଟଙ୍କା ନେଇଛନ୍ତି ଅଚ୍ୟୁତ।

Advertisment

ଅଧିକ ପଢ଼ନ୍ତୁ: କୁତ୍ସିତ କାରନାମା, ନ୍ୟାୟ ମାଗୁଛି 'କିଟ୍' ପୀଡ଼ିତା; ଭୟଙ୍କର ସନ୍ଦେହ ଘେରରେ କର୍ତ୍ତୃପକ୍ଷ

କେବଳ ସେତିକି ନୁହେଁ, ୨୦୧୭-୧୮ ଓ ୨୦୧୮-୧୯ ମସିହାରେ ବିଭିନ୍ନ NGOଙ୍କଠାରୁ ୨୧ କୋଟି ୪୨ ଲକ୍ଷ ଟଙ୍କା ଗ୍ରହଣ କରିଛି କିସ୍‌। ଏମିତିକି NGOଙ୍କଠାରୁ ସର୍ବାଧିକ ପରିମାଣର ପାଣ୍ଠି ନେବାରେ ଦେଶର ପ୍ରମୁଖ ସଂସ୍ଥା ହେଇଛି। ଆଦିବାସୀ ଶିଶୁଙ୍କ ନାଁରେ ବିଭିନ୍ନ ରାଷ୍ଟ୍ରରୁ ମଧ୍ୟ କିସ୍‌ ପାଇଛି ୨୦ କୋଟିର ଅନୁଦାନ। ତା’ସହ ଆଦିବାସୀ ପିଲାଙ୍କ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ବାବଦରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କଠାରୁ ପାଏ ୫ କୋଟି ଟଙ୍କା। ଏହାବ୍ୟତୀତ ରାଜ୍ୟ ସରକାରଙ୍କଠାରୁ ଦୀର୍ଘ ବର୍ଷ ଧରି ରିହାତି ଦରରେ ଚାଉଳ ପାଇଆସୁଛି ସଂସ୍ଥା।

୨୦୧୭ ମସିହାରେ ବିଧାନସଭା ତଥ୍ୟ ଅନୁଯାୟୀ କିସ୍‌ ଆଦିବାସୀ ସ୍କୁଲ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍‌ ଚାଉଳ ଯୋଗାଉଛନ୍ତି। ଅର୍ଥାତ ପ୍ରତିବର୍ଷ କିସ୍‌କୁ ଚାଉଳ ଦେବା ବାବଦରେ ସରକାର ଖର୍ଚ୍ଚ କରୁଛନ୍ତି ପ୍ରାୟ ୨୨ କୋଟି ୫୦ ଲକ୍ଷ ଟଙ୍କା। ଏମିତିକି ଭୁବନେଶ୍ୱରସ୍ଥିତ କିସ୍‌ରେ ୩୦ ହଜାର ଆଦିବାସୀ ପିଲା ପଢୁଥିବା କହିଥିଲେ ଅଚ୍ୟୁତ। ଏ ସମ୍ପର୍କରେ RTI କର୍ମୀ ଜାଣିବାକୁ ଚାହିଁଥିଲେ। ତଥ୍ୟ ଦେଲାନାହିଁ କିସ୍‌ ଅନୁଷ୍ଠାନ। ଏମିତିକି ଖୋର୍ଦ୍ଧା ଜିଲ୍ଲାପାଳ ଓ SC-ST ବିଭାଗ ମଧ୍ୟ ଏନେଇ ତଥ୍ୟ ନଥିବା ଜଣାଇଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ ୨୦୨୧-୨୨ରେ ପଢୁଥିଲେ ୧୬ ହଜାର ୭୬୫ ଛାତ୍ରଛାତ୍ରୀ।

ଅଧିକ ପଢ଼ନ୍ତୁ:କିଟ୍‌ ଭିତରେ ଚାଲିଛି କ’ଣ, ସରକାର ନେବେ କି କାର୍ଯ୍ୟାନୁଷ୍ଠାନ ?

କିସ୍‌ରେ ଶିଶୁ ଅଧିକାର ସୁରକ୍ଷା ଆଇନ କେତେଦୂର ସଠିକ୍‌ ଅନୁପାଳନ ହୁଏ, ତାର ପୋଲ୍ ଖୋଲିଛି ଶିଶୁ ମଙ୍ଗଳ କମିଟି ବା CWCଙ୍କର ରିପୋର୍ଟ। କିସ୍‌ ହଷ୍ଟେଲର ଯାଞ୍ଚ ପାଇଁ କୌଣସି ସରକାରୀ ଅଧିକାରୀଙ୍କୁ ଅନୁମତି ମିଳିନଥାଏ। ଅନେକ ଦାବି ପରେ ଖୋର୍ଦ୍ଧା CWCଙ୍କ ପକ୍ଷରୁ ୨୦୧୭ ମସିହାରେ କ୍ୟାମ୍ପସ ଯାଞ୍ଚ ହୋଇଥିଲା।

CWC ରିପୋର୍ଟରେ ଆଦିବାସୀ ଶିଶୁଙ୍କ ଅଧିକାର ଉଲ୍ଲଂଘନ ନେଇ ତଥ୍ୟ ରହିଥିଲା। ୨୦୧୭ ମସିହା ସୁଦ୍ଧା ରାଜ୍ୟ ସରକାରଙ୍କ ଆଦିବାସୀ ବ୍ୟାପାର ବିଭାଗଠାରୁ ସ୍ୱୀକୃତି ପାଇନଥିଲା କିସ୍। ପିଲାଙ୍କ ପାଇଁ ହଷ୍ଟେଲରେ ନଥିଲା ପର୍ଯ୍ୟାପ୍ତ ଶୌଚାଳୟ। ୪୦୦ ପିଲାଙ୍କ ପାଇଁ ଥିଲେ ମାତ୍ର ୨ ଜଣ ସୁପରଭାଇଜର। ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଉନଥିଲା। ସକାଳ ଜଳଖିଆରେ ଦିଆଯାଉଥିଲା ଚୁଡ଼ା ଓ ଚିନି। ତେବେ ଏସବୁ ତଥ୍ୟ ନେଇ କିସ୍‌ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହଁ।

Bhubaneswar KIIT KIIT University
Advertisment
Advertisment