/odishatv-khabar/media/post_attachments/uploadimage/library/16_9/16_9_0/kiit_1758123036.jpg)
kiit
କଳେବଳେ କୌଶଳେ ଆଗ ଯାଗା ମାଡ଼ିବସ । ସରକାରୀ ଜମିରେ ନିଜ ସାମ୍ରାଜ୍ୟ ବିସ୍ତାର କର । ଏହାପରେ ଉପରେ ଫଳେପୁଷ୍ପେ ସନ୍ତୁଷ୍ଟ କରି ମାଡ଼ିବସିଥିବା ଜମିକୁ ଲିଗାଲାଇଜ୍ କରିନିଅ । କୁହାଯାଉଛି ଇଏ କୁଆଡ଼େ ସରକାରୀ ଜମି ଜବରଦଖଲର 'ଅଚ୍ୟୁତ' ଫଣ୍ଡା!
କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଶୈଳୀ ବି କେମିତି ଏଇ ଦିଗକୁ ସ୍ପଷ୍ଟ କରୁଛି ଅନେକରୁ ଇଏ ହେଉଛି ତାର ଗୋଟିଏ ନମୁନା। ଭୁବନେଶ୍ବର ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ 4ଟି ପ୍ଲଟ- N/57, N/58, N/59 ଓ N-59/1 ଉପରେ ନିର୍ମାଣାଧୀନ ଏ ବିରାଟ ବିଲଡିଂ। ଏହି ଜମିର ମୂଳ ମାଲିକ ହେଉଛି ଇଡକୋ।
ଇଡକୋ ଓ୍ବେବସାଇଟରୁ ଜଣାପଡୁଛି ଏହି 4ଟି ପ୍ଲଟର ଆକାର ହେଉଛି 0.821 ଏକର ବା ପ୍ରାୟ 1 ଏକର। ଏଠାରେ ଏକ ସଫଟଓ୍ବେୟର ଡେଭଲପମେଣ୍ଟ ୟୁନିଟ୍ ବସାଇବାକୁ 2011 ମସିହାରେ ଜମି ନେଇଥିଲା ପୁନେର ଏକ କମ୍ପାନି- ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ। ଯାହାକୁ ସେହି ଫାର୍ମ ସେତେବେଳେ ମାତ୍ର 20 ଲକ୍ଷ 52 ହଜାର ଟଙ୍କା ଦେଇ ଲିଜ ନେଇଥିଲା। ହେଲେ ଏବେ ଆଉ ଏହା କାର୍ଯ୍ୟ କରୁନାହିଁ ବୋଲି ଓ୍ବେବସାଇଟରେ ଦର୍ଶାଯାଇଛି। ମାତ୍ର ସେଇ ଜମିରେ କିଟ୍ ନିଜର ବିଲ୍ଡିଂ କରୁଛି ଯେଉଁଥିରେ ଅଡିଟୋରିୟମ ବି ରହିଛି। ହେଲେ ଇଡକୋର ବିଭାଗୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କିଟ୍ ଏପର୍ଯ୍ୟନ୍ତ କିନ୍ତୁ ଏ ଜମି ନିଜ ନାମକୁ ଟ୍ରାନସଫର କରିବାକୁ ଇଡକୋର ଅନୁମତି ବି ନେଇନାହିଁ।...ଅପରପକ୍ଷେ କାମ ଚାଲୁଥିବା ସ୍ଥଳରେ ରାଜମିସ୍ତ୍ରୀ, ସୁରକ୍ଷା କର୍ମୀ ମଧ୍ୟ ନିର୍ମାଣାଧୀନ ଏ ବିଲଡିଂ କିଟର ବୋଲି ସ୍ପଷ୍ଟ କରିଛନ୍ତି।...
ପୂର୍ବ ବିଜେଡି ସରକାରରେ ଦଳୀୟ ସାଂସଦ ଥିବାରୁ ଶାସନ କଳ ଉପରେ ପ୍ରଭୁତ୍ବ ବିସ୍ତାର କରି ଯାହା ଚାହୁଁଥିଲେ ତାହା କରିପାରୁଥିଲେ, ଆଇନକୁ ମୋଡ଼ି ମକଚି ନିଜ ପଟକୁ ନେଇ ପାରୁଥିଲେ କିଟ୍ ମୁଖିଆ ଅଚ୍ୟୁତ ସାମନ୍ତ। ଯାହାର ପ୍ରମାଣ ଇଡକୋ ୱେବସାଇଟରେ ବି ଜଳଜଳ। ସାଇଟ୍କୁ ଗଲେ କିଟ୍ ଇତିମଧ୍ୟରେ ଇଡକୋରୁ 27 ଥରରେ ପ୍ରାୟ 84 ଏକର ସରକାରୀ ଜମି ଲିଜରେ ନେଇଥିବା ସ୍ପଷ୍ଟ ହୋଇଛି। ତେବେ ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନିର ଏହି ଜମିଟି ଏପର୍ଯ୍ୟନ୍ତ କିଟ୍ ନାମରେ ହୋଇପାରିନାହିଁ। କିଟ୍ ପୂର୍ବରୁ ଅନ୍ୟ କେତେକ ଶିଳ୍ପ ସଂସ୍ଥା ଭଳି 16.92 ଏକର ଇଡକୋ ଜମି ମାଡ଼ି ବସିଥିବାରୁ ତାର ଆବେଦନ ଗ୍ରହଣ ନ କରିବାକୁ IDCO 2004ରେ ନିଷ୍ପତ୍ତି ନେଇଥିଲା। ଜବରଦଖଲକାରୀଙ୍କ ଆବେଦନକୁ ନିୟମିତ କରିବା ପାଇଁ ବିଚାରକୁ ନ ନେବାକୁ ନିଷ୍ପତ୍ତି ନେଇଥିଲା।
ମାତ୍ର 2011 ମସିହାରେ କିଟ୍ ଇଡକୋଠାରୁ ପ୍ରାୟ 14 ଏକର ଜମି ବିଭିନ୍ନ ଶିଳ୍ପ ସଂସ୍ଥାଠାରୁ ଟ୍ରାନସଫର କରି ନେଇଥିଲା। 2014ରେ ସିଏଜି ଏଭଳି ଜବରଦଖଲ ବା ଅନିୟମିତତାକୁ ନିୟମିତ କରିବା ନେଇ ଆପତ୍ତି ଉଠାଇବା ସହ କିଟକୁ ବେଞ୍ଚମାର୍କ୍ ଭାଲ୍ୟୁଠାରୁ କମ୍ ରେଟରେ ଜମି ଦେଇ ଅଯଥା 66.25 କୋଟି ଟଙ୍କା ଫାଇଦା ଦିଆଯାଇଛି ବୋଲି ଦର୍ଶାଇଥିଲେ। କେବଳ ସେତିକି ନୁହେଁ, ଜିଏ ବା ସାଧାରଣ ପ୍ରଶାସନ ବିଭାଗରୁ ବି କିଟ୍ ପ୍ରାୟ 11 ଏକର ଜମିକୁ ମାଡ଼ି ବସି ପରେ ତାକୁ ନିୟମିତ କରିନେବା 2013ରେ ଆରଟିଆଇ ଉତ୍ତରରୁ ଜଣାପଡ଼ିଥିଲା। କିସ୍ ପାଇଁ ପଥରଗାଡ଼ିଆ ଅଂଚଳରେ 10 ଏକର ଜଙ୍ଗଲ ଜମି ମାଡ଼ି ବସି ତାକୁ ବି ପରେ ନିୟମିତ କରିବାରେ ସଫଳ ହୋଇଥିଲା।
ଏଥିରୁ ଜଣାପଡ଼ୁଛି, ଆଇନ କେବଳ ସାଧାରଣ ଲୋକଙ୍କ ପାଇଁ ରହିଛି। ପ୍ରଭାବଶାଳୀଙ୍କ ପାଖରେ ମୋଡ଼ି ମକଚି ଯାଉଛି। ଏ ନେଇ ଆମେ ପୁନେ ସ୍ଥିତ ଆଲାଏନ୍ସ କମ୍ପ୍ୟୁଟର ଟେଲିଫୋନି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ସଂଜୟ ଅଗ୍ରଓ୍ବାଲଙ୍କୁ ମେଲ୍ କରିଥିଲୁ। ଏଥିସହ କିଟର ମୁଖ୍ୟ ଲୋକସଂପର୍କ ଅଧିକାରୀ ଶ୍ରଦ୍ଧାଞ୍ଜଳି ନାୟକଙ୍କୁ ବି ହ୍ବାଟସଆପ୍ ଯୋଗେ ପ୍ରତିକ୍ରିୟା ମାଗିଥିଲୁ। ମାତ୍ର କୌଣସି ପ୍ରତିକ୍ରିୟା ମିଳିନଥିଲା।...
Announced To Leave: ବେଙ୍ଗାଲୁରୁ ଛାଡ଼ିଲା ୧୦ ହଜାର କୋଟିର କଂପାନୀ...କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Shubhamitra Murdered: ବସ୍ତା ଭିତରେ ନିଖୋଜ ଲେଡି କନଷ୍ଟେବଳ, ହୋଣ୍ଡା ସିଟି ଗାଡି ଭିତରେ ହତ୍ୟାର ସବୁ ପ୍ରମାଣ

Wedding Ceremony :ସଜବାଜ ହୋଇ ବିବାହ ଭୋଜିକୁ ଯାଇଥିଲେ, ଦାମୀ ପର୍ସରେ ଯାହା ଲୁଚାଇ ରଖିଲେ....ଆପଣଙ୍କ ମୁଣ୍ଡ ଘୂରାଇଦବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)