ମାଗଣାରେ ଚାଉଳ ମିଳୁଛି ୫ କିଲୋ । ହେଲେ ତାକୁ ଘରକୁ ଧରି ପହଞ୍ଚିଲା ବେଳକୁ ଖର୍ଚ୍ଚ ପଡିଯାଉଛି ୫ଶହ ଟଙ୍କା । କାରଣ ବାଧକ ସାଜିଛି ଜଙ୍ଗଲ-ପାହାଡ଼ ରାସ୍ତା । ତା'ସହ ଗାଁରୁ ପଞ୍ଚାୟତକୁ ଆସିଲେ ୪୦ କିଲୋମିଟର ଚାଲି ଚାଲି ହିତାଧିକାରୀଙ୍କର ଅଖିଆ ଅପିଆ ଦିନଟିଏ ଚାଲିଯାଉଛି । କେହି ବି ବୁଝୁନାହାନ୍ତି ଗଞ୍ଜାମ ଧରାକୋଟ ବ୍ଲକ ଝିରଝିରା ଗାଁ ଲୋକଙ୍କ ଦୁଃଖ ।
ସ୍ବାଧିନତାର ସାତ ଦଶନ୍ଧୀ ପରେ ବି ସାଧାରଣ ମୌଳିକ ସୁବିଧା ପାଲଟିଛି ସାତ ସପନ । ରାସନ ଚାଉଳ ନେବାକୁ ଆସିଲେ ସାରା ଦିନ ନଷ୍ଟ ହେବା ସହ ମିଳୁଛି ଶାରୀରିକ ଯନ୍ତ୍ରଣା । ପାହାଡ଼ିଆ ରାସ୍ତାରେ ଚାଲିବାକୁ ପଡୁଛି ପାଖାପାଖି ୪୦ କିଲୋମିଟର ।
Also Read
ଉପାନ୍ତ ଝିରଝିରା ଗାଁର ହିତାଧିକାରୀମାନେ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାରୀ ଚାଉଳ ଆଣିବାକୁ ଧରାକୋଟ ବ୍ଲକ ବଳରାମପୁର ପଞ୍ଚାୟତକୁ ଯାଉଛନ୍ତି । ଗାଁଠୁ ପଞ୍ଚାୟତ ଅଫିସକୁ ବାଟ ୨୦ କିଲୋମିଟର, ତା'ପୁଣି ଜଙ୍ଗଲ- ପାହାଡ଼ ରାସ୍ତା । ଚାଉଳ ମୁଣ୍ଡରେ ଧରି ଚାଲି ଚାଲି ଗାଁରେ ପହଂଚିବା ବେଳକୁ ରାତି ହୋଇଯାଏ । ଯଦି କେଉଁଦନ ଲିଙ୍କ୍ ଫେଲ୍ ହୋଇଯାଏ । ତେବେ ପଞ୍ଚାୟତ ଅଫିସ ବାରଣ୍ଡାରେ ରାତି ମଧ୍ୟ କାଟିବାକୁ ପଡ଼େ ।
ଅଧିକ ପଢ଼ନ୍ତୁ : ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି
ଅଟୋରେ ବୁଲି ବୁଲି ଯଦି ଗାଁକୁ ଆସିବାକୁ ପଡ଼େ, ତାହାଲେ ପଡ଼ିବ ୫ଶହ ଟଙ୍କା ଖର୍ଚ୍ଚ । ତେଣୁ ଅଧିକାଂଶ ହିତାଧିକାରୀ ଚାଉଳ ପାଇବା ମାତ୍ରେ ସେଇଠି କମ୍ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି । ଗାଁକୁ ରାସ୍ତା ନଥିବାରୁ ସେମାନେ ଯମଦଣ୍ଡ ଭୋଗୁଥିଲେ ବି ରାସନ କାର୍ଡ କଟିଯିବା ଡରରେ ଦହଗଞ୍ଜ ହୋଇ ପାହାଡ଼ ତଳକୁ ଆସି ଚାଉଳ ନେଉଛନ୍ତି । ରାଜନେତା ଓ ଅଫିସରଙ୍କୁ ରାସ୍ତାଟିଏ ପାଇଁ କେତେ ଗୁହାରି କଲେ ମଧ୍ୟ ସେମାନେ ନିଦାବିଷ୍ଣୁ ସାଜିଛନ୍ତି ।
ପାହାଡ଼ିଆ ଗାଁ ଝିରିଝିରାର ଉନ୍ନତି ପାଇଁ ଭୋଟ୍ ବେଳେ ପାହାଡ଼ ଭଳି ପ୍ରତିଶ୍ରୁତି ମିଳେ, ହେଲେ ଭୋଟ୍ ସରିଗଲେ କିଏ କାହାକୁ ପଚାରେ । ଧରାକୋଟ ବ୍ଲକ ଅଞ୍ଚଳରେ ପାହାଡ଼ ଉପରେ ଥିବା ଉପାନ୍ତ ଗାଁ ଝିରିଝିରାରେ ୩୦ରୁ ଅଧିକ ପରିବାର ରୁହନ୍ତି । ହେଲେ ସ୍ବାଧୀନତାର ୭୫ବର୍ଷ ପରେ ବି ଏମାନେ ରାସ୍ତା-ପାଣି ଓ ବିଜୁଳି ଭଳି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । ପିଲାଙ୍କ ପାଇଁ ସ୍କୁଲ ସାତସପନ ପାଲଟିଛି । ରୋଗ ବୈରାଗ ହେଲେ ଆମ୍ବୁଲାନସ ସୁବିଧା ମିଳେନି, ମେଡିକାଲ ଯାଇନପାରି ଅନେକଙ୍କ ପ୍ରାଣ ଯାଏ ।
ଏନେଇ ସ୍ଥାନୀୟ ବିଧାୟକ କହିଛନ୍ତି ସେ ଝିରିଝିରା ଗାଁର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି । ଆଗକୁ ସେଠିକୁ ଗମନାଗମନ ସୁବିଧା ପ୍ରତି ଦୃଷ୍ଟି ଦେବେ । ଆଉ ଉପଜିଲ୍ଲାପାଳ କହିଛନ୍ତି ଝିରିଝିରା ଗାଁକୁ ରାସ୍ତାନଥିବା କଥା ସେ ଜାଣନ୍ତିନି, ଅନୁଧ୍ୟାନ କରି ପଦକ୍ଷେପ ନେବେ । ତେବେ ଦେଖିବାକୁ ବାକିରହିଲା କେବେ ଦୂରହେବ ଉପାନ୍ତ ବାସୀଙ୍କ ଦୁଃଖ ।